ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୩୩ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍ ଟୁ ଫ୍ୟୁଚର ମହାସମାରୋହରେ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ନିଜର ଅଭିଭାଷଣରେ ଚରିତ୍ର ଗଠନରେ ବିଦ୍ୟାଳୟ ଶିକ୍ଷା ଏକ ବିଶେଷ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ।

ଓଡ଼ିଶା ଡିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ନିଜର ବକ୍ତବ୍ୟରେ ଭବିଷ୍ୟତକୁ ଆଖିଆଗରେ ରଖି ଲକ୍ଷ୍ୟ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ବିଦ୍ୟାଳୟର ଗୌରବମୟ କୀର୍ତ୍ତି ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଜୁନିଅର ରେଡକ୍ରସ୍ ବିଭାଗର ଦାୟିତ୍ୱରେ ଥିବା ଶିକ୍ଷକ ମନୋଜ କୁମାର ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା , ଯେଉଁଥିରେ ୧୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।








