ଭୁବନେଶ୍ୱର: କମିଶନରେଟ୍ ପୁଲିସକୁ ବଡ଼ ସଫଳତା । କଟକ ବଡ଼ ଡାକ୍ତରଖାନାରୁ ଫେରାର ହେବାର ୫ ଦିନ ପରେ ଧରାପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ମଟରସାଇକେଲରେ ବୁଲୁଥିବା ହାଇଦରକୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ସଂଧ୍ୟାରେ ଧରିବାରେ ସଫଳ ହୋଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତାକୁ କଟକ ଅଣାଯାଉଛି ଏବଂ ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର କରାଯିବ ବୋଲି କମିଶନର କହିଛନ୍ତି ।
ଗତ ୧୦ ତାରିଖରେ କଟକ ବଡ଼ ଡାକ୍ତରଖାନାରୁ ଫେରାର୍ ହୋଇଥିବା ହାଇଦରକୁ ଧରିବା କମିଶନର ଶ୍ରୀ ପ୍ରିୟଦର୍ଶୀଙ୍କ ନେତୃତ୍ୱ ପାଇଁ ବଡ଼ ଚାଲେଂଜ ଥିଲା । ମାତ୍ର ଏହି ଚାଲେଂଜକୁ ଗ୍ରହଣ କରି ମାତ୍ର ୫ ଦିନରେ ସଫଳତା ଆଣିଛନ୍ତି । ହାଇଦର ଫେରାର ପରେ ପରେ କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ସ୍କ୍ୱାଡ୍ ବାହାର ରାଜ୍ୟରେ ଛାନଭିନ୍ କରୁଥିଲା । ଇତିମଧ୍ୟରେ ସେ ବାଲାଂଦେଶ ଚାଲିଯାଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ପୁଲିସ ପାଇଁ ଅଧିକ ଚାଲେଂଜ ସୃଷ୍ଟି କରିଥିଲା ।
ତେବେ ସେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଗତକାଲି କୌଣସି ସୂତ୍ରରୁ କମିଶନରେଟ୍ ପୁଲିସକୁ ଖବର ମିଳିବା ପରେ ସ୍ୱତନ୍ତ୍ର ସ୍କାଡ୍ ଅଧିକାରୀମାନେ ସେଠାକୁ ଯାଇଥିଲେ । ତେଲେଙ୍ଗାନା ପୁଲିସ ସହାୟତାରେ ତାକୁ ଧରିବା ପାଇଁ ଜାଲ୍ ବିଛାଯାଇଥିଲା । ହାଇଦରର ଗତିବିଧିକୁ ଟ୍ରାକ୍ କରାଯାଇଥିଲା । ଆଜି ସଂଧ୍ୟାରେ ହାଇଦର ଏକ ମଟରସାଇକେଲରେ ବୁଲୁଥିବା ବେଳେ ପୁଲିସ ଟିମ୍ ତାକୁ କାବୁ କରିନେଇଥିଲେ ।
କମିଶନରେଟ୍ ପୁଲିସର ଏହି ସଫଳତା ପାଇଁ ପୁଲିସ ଡିଜି ଶ୍ରୀ ଅଭୟ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ କଟକ ଡିସିପି ପ୍ରତୀକ ସିଂଙ୍କୁ ସାବାସୀ ଦେଇଛନ୍ତି ।