ଭୁବନେଶ୍ୱର: ମୋଷ୍ଟ ୱାଣ୍ଟେଡ୍ ହାଇଦରକୁ ଆଜି ସକାଳେ ବିମାନ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଛି । ସିଧାସଳଖ ତାକୁ କଟକ ନିଆଯାଇ ଡିସିପି ଅଫିସ୍ ରେ ଜେରା ଚାଲିଛି । ଏସସିବିରୁ ଫେରାର ପଛରେ କେଉଁମାନେ ତାକୁ ସହଯୋଗ କରିଥିଲେ ଏବଂ କିଭଳି ତେଲେଙ୍ଗାନା ଗଲା ପୁଲିସ ସେହି ତଥ୍ୟ ଓଗାଳିବ । ଅପରାହ୍ନରେ କଟକ ଜେଏମସି କୋର୍ଟରେ ତାକୁ ହାଜର କରି ରିମାଣ୍ଡରେ ଆଣିବା ଯୋଜନା ରଖିଛି କମିଶନରେଟ୍ ପୁଲିସ ।
୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’ କୁ ମିଳିଛି ସଫଳତା । ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଚମକପ୍ରଦ କାହାଣୀ ବର୍ଣ୍ଣନା କରିଛନ୍ତି ପୁଲିସି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କଟକ ଏସସିବିରେ ଚିକିତ୍ସିତ ହେଉଥିବା ହାଇଦର ତା’ର ସୁରକ୍ଷାକର୍ମୀଙ୍କୁ ନିଶା ଖୁଆଇ ୧୦ ତାରିଖ ଅପରାହ୍ନ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଚମ୍ପଟ୍ ମାରିଥିଲା । କମିଶନରେଟ୍ ପୁଲିସ ପାଖରେ ଏହି ଖବର ପହଞ୍ଚିଲା ବେଳକୁ ସଂଧ୍ୟା ୭ଟା ପାର୍ ହୋଇଯାଇଥିଲା । ଖବର ପାଇଲା ମାତ୍ରେ କଟକ ଡିସିପିଙ୍କ ପୂରା ୟୁନିଟ୍ ସଜାଗ ହୋଇଗଲା । ଏତେବଡ଼ ଦୁର୍ଦ୍ଦାନ୍ତ ଅପରାଧୀ କୁଆଡ଼େ ଯାଇଥାଇପାରେ ତାହାର ଅତୀତ ରେକର୍ଡ, ଅପରାଧିକ ଲିଙ୍କ୍, ପରିବାର ଆଦି ଅନୁଧ୍ୟାନ କରି ଛାନଭିନ୍ ହେଲା ।
ଅତୀତରେ ମହାରାଷ୍ଟ୍ରରୁ ଧରାପଡ଼ିଥିବାରୁ ସେ ରାଜ୍ୟ ବାହାରକୁ ଚାଲିଯାଇ ଥାଇପାରେ ବୋଲି ପ୍ରଥମ ଅନୁମାନ କରାଗଲା । ସେଥିପାଇଁ ଚାରିଟି ସ୍ୱତନ୍ତ୍ର ଟିମ୍ କୁ ତୁରନ୍ତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାକୁ ପଠାଗଲା । ସେମାନଙ୍କର ଫିଜିକାଲ୍ କ୍ଲୁ ଆଣିବା ଉଦ୍ୟମ ପଛରେ ଟେକନିକାଲ୍ କ୍ଲୁ ଏବଂ ଟେକନିକାଲ୍ ଆନାଲିସିସ୍ ର ସହଯୋଗ ନିଆଯାଉଥିଲା । ଏପଟେ ହାଇଦରକୁ ଜାଣିଥିବା ଅନେକ ଲୋକ ଏବଂ କିଛି ସହଯୋଗୀଙ୍କୁ ପଚରାଉଚୁରା କରାଯାଉଥିଲା ।
ଏହି ତଦନ୍ତ ଅବସ୍ଥାରେ ପରଦିନ ଅର୍ଥାତ୍ ୧୧ ତାରିଖ ଦିନ ପୁଲିସକୁ ଏକ ସୂଚନା ମିଳିଥିଲା କି ହାଇଦର ଆନ୍ଧ୍ର ଦେଇ ତେଲେଙ୍ଗାନା ପଟକୁ ପଳାଇ ଯାଇଛି । ଏହି ସୂଚନା ଆଧାରରେ ସେହି ରାତିରେ ବାଦାମବାଡି ଆଇଆଇସିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ତେଲେଙ୍ଗାନାରେ ପହଞ୍ଚିଥିଲା ବେଳେ ପରଦିନ ସକାଳେ ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ଆଉ ଏକ ଟିମ୍ ସେଠାରେ ପହଞ୍ଚିଥିଲା । ସେତେବେଳକୁ ହାଇଦର ତେଲେଙ୍ଗାନାକୁ ପଳାଇ ଯାଇଥିବା ପୁଲିସ୍ ନିଶ୍ଚିତ ହୋଇସାରିଥିଲା ।
ନିର୍ଦ୍ଦିଷ୍ଟ ଭାବେ ହାଇଦର କେଉଁଠି ଅଛି ଖୋଜି ବାହାର କରିବା କାମରେ ଲାଗିଗଲେ ଦୁଇଟି ଯାକ ଟିମ୍ । ସେଥିପାଇଁ ଟେକନିକାଲ୍ ସର୍ଭେଲାନସ୍ ଟିମ୍ ଏବଂ ସାଇବର ଟିମ୍ ର ସହାୟତା ନିଆଯାଉଥିଲା । ଯାହାର ନେତୃତ୍ୱ ନେଇଥିଲେ କଟକ ଡିସିପି ପ୍ରତୀକ ସିଂ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ହାଇଦର ଥିବା ଖବର ମିଳିିବା ପରେ ତା’ ପାଖରେ ପହଞ୍ଚିଥିବା ପାଇଁ ଦୁଇ ଆଇଆଇସିଙ୍କ ନେତୃତ୍ୱରେ ୧୩, ୧୪ ଓ ୧୫ ତାରିଖ ତିନି ଦିନ ଧରି ଅପରେସନ୍ ଚାଲିଲା । ହାଇଦ୍ରାବାଦ ପୁଲିସର ଗୋଟେ ଟିମ୍ ଏବଂ ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲା ପୁଲିସର ଏକ ଟିମ୍ ର ମଧ୍ୟ ସହଯୋଗ ନିଆଗଲା ।
ଗତକାଲି ଗ୍ରାଉଣ୍ଡ ଜିରୋରୁ ସ୍ପଷ୍ଟ ସୂଚନା ମିଳିଲା ପରେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ତାକୁ ଜଗିଥିଲେ । ହାଇଦର ଏକ ମଟରସାଇକେଲରେ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ବାଦାମବାଡି ଆଇଆଇସି ରଶ୍ମି ମହାପାତ୍ର ତାକୁ କାବୁ କରି ନେଇଥିଲେ ।
ବିଳମ୍ବିତ ରାତିରେ ହାଇଦରକୁ ସ୍ଥାନୀୟ ଜାହିରାବାଦ କୋର୍ଟରେ ହାଜର କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଆଜି ସକାଳେ ତାକୁ ହାଇଦ୍ରାବାଦରୁ ବିମାନଯୋଗେ ଭୁବନେଶ୍ୱର ଅଣାଯାଇଥିଲା ଏବଂ ଭୁବନେଶ୍ୱରରୁ ସିଧା କଟକ ଡିସିପି ଅଫିସ ନିଆଯାଇଥିଲା ।