ଭୁବନେଶ୍ୱର: ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗର ହନିଟ୍ରାପ୍ କାହାଣୀ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି । ବଡ଼ବଡ଼ିଆଙ୍କୁ ଫସାଇବା ପାଇଁ ଏହି ମହିଳାଙ୍କ ଅପରେସନ୍ କାହାଣୀ ସମସ୍ତଙ୍କୁ ତାଜୁବ କରିଛି । ଯେତେ ବଡ଼ବଡ଼ିଆଙ୍କ ନାଁ ଆସୁଛି ତାହା ସତ ହୋଇଥିଲେ ଓଡ଼ିଶାରେ ଏହା ସବୁଠାରୁ ବଡ଼ କଳଙ୍କିତ ଅଧ୍ୟାୟ ହେବ । କାରଣ ଅର୍ଚ୍ଚନାଙ୍କ ହନିଟ୍ରାପରେ ଫସିଥିବା ବଡ଼ବଡ଼ିଆଙ୍କ ମଧ୍ୟରେ ମାଳ ମାଳ ନେତା, ବ୍ୟବସାୟୀ, ବିଲଡର, ଫିଲ୍ମ ପ୍ରଯୋଜକ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଅଛନ୍ତି । ଯାହାର ତଥ୍ୟ ପ୍ରମାଣ ପୁଲିସ ହାତକୁ ଆସି ସାରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।
ଓଲିଉଡର ବିଶିଷ୍ଟ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ ମାମଲାରୁ ଏତେବଡ଼ ଜିନିଷ ସାମନାକୁ ଆସିଛି । ଗତ ସପ୍ତାହରେ ଶ୍ରୀ ପରିଜା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଯେ ଜନୈକା ଯୁବତୀ(ତାଙ୍କ ସହ ଭାଇରାଲ୍ ଭିଡ଼ିଓରେ ଥିବା) ଦୁଇ ବର୍ଷ ପୂର୍ବେ ସୋସିଆଲ୍ ମିଡିଆ ଜରିଆରେ ତାଙ୍କ ସହ ଯୋଗାଯୋଗରେ ଆସିଥିଲେ । ପରବର୍ତ୍ତୀ ସମୟରେ ଫିଲ୍ମରେ ସୁଯୋଗ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ କ୍ରମଶଃ ତାଙ୍କର ନିକଟତ୍ତର ହୋଇଥିଲେ ।
ଏହି ଯୁବତୀ ବେଶ୍ ଚତୁରତାର ସହ ତାଙ୍କ ଅଜାଣତରେ ସେମାନଙ୍କ ଶାରୀରିକ ସମ୍ପର୍କ ସମୟର ଭିଡିଓ ଓ ଫଟୋ ରଖିଦେଇଥିଲେ । ଏହାପରେ ସେହି ଯୁବତୀ ତାଙ୍କୁ ଭିଡିଓ କଥା କହିଥିଲେ ଏବଂ ୫ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ଦେବାକୁ ମନା କରିବାରୁ ତଥାକଥିତ ମହିଳା ଆଇନଜୀବୀ(ଅର୍ଚ୍ଚନା ନାଗ) ତାଙ୍କୁ ଫୋନ୍ କରି ୩ କୋଟି ଟଙ୍କା ମାଗିଥିଲେ । ନ ଦେଲେ ସେହି ଯୁବତୀ ସହ ଅନ୍ତରଙ୍ଗ ସମୟର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ ।
ଶ୍ରୀ ପରିଜା ତାଙ୍କ ଏତଲାରେ ପରୋକ୍ଷରେ ଜଣାଇ ଦେଇଥିଲେ ଯେ ଭାଇରାଲ୍ ଭିଡିଓ ଓ ଫଟୋ ମିଛ ନୁହେଁ । ଅର୍ଥାତ୍ ଉକ୍ତ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କକୁ ସେ ଅସ୍ୱୀକାର କରି ନ ଥିଲେ ।
ସେ ଯାହା ହେଉ, ପରବର୍ତ୍ତୀ ସମୟରେ ଏହି ଯୁବତୀ(ପୀଡ଼ିତା) ଖଣ୍ଡଗିରି ଥାନାରେ ସେହି ମହିଳା ଆଇନଜୀବୀ ଅର୍ଚ୍ଚନା ନାଗଙ୍କ ବିରୋଧରେ ଏତଲା ଦେଇଥିଲେ । ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସମ୍ପର୍କୀୟ ଭାଇ ଖଗେଶ୍ୱର ତାଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ । ଦୀର୍ଘ ୪ ବର୍ଷ ଧରି ବଡ଼ବଡ଼ିଆଙ୍କ ପାଖରେ ତାଙ୍କୁ ଭଡ଼ାରେ ଲଗାଯାଉଥିଲା ବୋଲି ସେ ଅଭିଯୋଗ କରିଥିଲେ ।
ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ ଯୁବତୀଙ୍କ ଅଭିଯୋଗ ସତ । ଅର୍ଚ୍ଚନା ତାଙ୍କୁ ଭଡ଼ାରେ ଲଗାଉଥିଲେ । ବଡ଼ବଡ଼ିଆଙ୍କ ସହ ସୋସିଆଲ୍ ମିଡ଼ିଆରେ ବନ୍ଧୁତା କଲା ପରେ ନିଜ ଘରକୁ ଡିନର୍ ପାଇଁ ଡାକୁଥିଲେ ଏବଂ ମନୋରଂଜନ ପାଇଁ ଉକ୍ତ ଯୁବତୀଙ୍କୁ ଛାଡ଼ି ଦେଉଥିଲେ । ତାଙ୍କର ଏକ ନିର୍ଦ୍ଦିଷ୍ଟ ରୁମ୍ ରେ ଅନ୍ତରଙ୍ଗ ସମ୍ପର୍କର ବ୍ୟବସ୍ଥା କରିଥିଲେ ଏବଂ ସେଠାରେ କ୍ୟାମେରା ଖଞ୍ଜି ଭିଡିଓ ରେକର୍ଡିଂ କରୁଥିଲେ । ସ୍ୱତନ୍ତ୍ର ଅତିଥିଙ୍କ କ୍ଷେତ୍ରରେ ସେ ନିଜେ ସାନ୍ନିଧ୍ୟ ଦେଉଥିଲେ । ପରବର୍ତ୍ତୀ ସମୟରେ ଅର୍ଚ୍ଚନା ଏହି ଭିଡିଓ ଦେଖାଇ ସଂପୃକ୍ତ ବଡ଼ବଡ଼ିଆଙ୍କୁ ବ୍ଲାକମେଲିଂ କରୁଥିଲେ । କେଉଁଠି ଲକ୍ଷ ତ ଆଉ କେଉଁଠି କୋଟିରେ ଖେଳ କରୁଥିଲେ ।
ସୂଚନା ଅନୁଯାୟୀ, ତିନିବର୍ଷ ତଳେ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ସେ ବ୍ଲାକମେଲିଂ କରି ୫ କୋଟି ଟଙ୍କା ମାଗିଥିଲେ । ଏହାକୁ ନେଇ କଥା ଜଟିଳ ହୋଇଥିଲା । ସଂପୃକ୍ତ ରାଜନେତାଙ୍କ ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । ମାତ୍ର ତାଙ୍କୁ ସୁରକ୍ଷା ଦେବାକୁ ଆଉ ଜଣେ ବରିଷ୍ଠ ରାଜନେତା ଆଗେଇ ଆସିଥିଲେ । ସେ ଏବଂ ତାଙ୍କ ପୁଅ ଥାନାକୁ ଆସି ଏତଲାକୁ ରଫାଦଫା କରିଦେଇଥିଲେ ।
ପରବର୍ତ୍ତୀ ସମୟରେ ଆଉ ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ, ଜଣେ ବିଶିଷ୍ଟ ଶିଳ୍ପପତି, ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ହନିଟ୍ରାପ୍ ରେ ଫସାଇ ଅର୍ଚ୍ଚନା କୋଟି କୋଟି ଟଙ୍କା ନେଇଥିବା କୁହାଯାଉଛି ।
ଗତ ମେ’ ମାସରେ ଦକ୍ଷିଣ ଓଡ଼ିଶାର ଜଣେ ଯୁବ ବିଧାୟକ ମଧ୍ୟ ଅର୍ଚ୍ଚନାଙ୍କ ଜାଲରେ ଫସିଥିଲେ । ଟଙ୍କା ମାଗି ବିଫଳ ହେବା ପରେ ଏହି ବିଧାୟକଙ୍କ ନାଁରେ ଖଣ୍ଡିଗିରି ଥାନାରେ ଏତଲା ଦେଇଥିଲେ । ଏହା ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା ।
ଅର୍ଚ୍ଚନାଙ୍କ ଗରାଖ ତାଲିକାରେ ଦୁଇ ଡର୍ଜନରୁ ଅଧିକ ନେତା, ବ୍ୟବସାୟୀ, ବିଲଡର, ଅଫିସର ଏବଂ ଫିଲ୍ମ ପ୍ରଯୋଜକ ଥିବା ପୁଲିସ ମହଲରୁ ସୂଚନା ଆସୁଛି । ନେତାଙ୍କ ମଧ୍ୟରେ ଏକାଧିକ ମନ୍ତ୍ରୀ ଓ ବିଧାୟକ ଅଛନ୍ତି । ଅର୍ଚ୍ଚନାଠାରୁ ଜବତ ଦୁଇଟି ପେନଡ୍ରାଇଭ ଏବଂ ଦୁଇଟି ମୋବାଇଲ୍ ରେ ଏମାନଙ୍କ ସହ ସମ୍ପର୍କର ତଥ୍ୟ ପ୍ରମାଣ ଅଛି । ତେବେ ଏ ସମ୍ପର୍କରେ କମିଶନରେଟ୍ ପୁଲିସ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ । ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବାରୁ ପୁଲିସ ଏହି ମାମଲାକୁ ରଫାଦଫା କରିଦେବ ବୋଲି ସାଧାରଣରରେ ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନାଥାଉକି, ଅର୍ଚ୍ଚନାଙ୍କ କଳା କାରନାମା ଓ ଭୁବନେଶ୍ୱରର ପଳାସୁଣୀ ସତ୍ୟବିହାରଠାରେ ରାଜ ଉଆସ ଭଳି ଘର, ଗାଡ଼ି, ଘୋଡ଼ା ସମସ୍ତଙ୍କୁ ଚକିତ କରିଥିବା ବେଳେ ଆଜି ତାଙ୍କର ଦୁଇଟି ଫୁଟେଜ୍ ପଦାକୁ ଆସିଛି । ଗୋଟିଏ ଭିଡ଼ିଓ ଫୁଟେଜ୍ ରେ ସେ ଭୁବନେଶ୍ୱରରର ଏକ ଷ୍ଟାର ହୋଟେଲରେ କୌଣସି ବଡ଼ବଡ଼ିଆଙ୍କ ସହ ଡିଲ୍ କରୁଥିବା ଦେଖିବାକୁ ମିଳୁଛି । ସଂପୃକ୍ତ ବଡ଼ବଡ଼ିଆଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଦେବାକୁ ଡରାଇ ଏହି ଡିଲ୍ କରୁଥିବା ଜଣାପଡ଼ିଛି । ଅନ୍ୟ ଏକ ଫୁଟେଜ୍ ସେହି ଡିଲ୍ ସମ୍ପର୍କିତ । ମେସେଞ୍ଜରରେ ସେ କଥା ହୋଇ ଟଙ୍କା ଛିଣ୍ଡାଉଛନ୍ତି ।








