ଭୁବନେଶ୍ୱର: ବଡ଼ବଡ଼ିଆ ପଇସାବାଲାଙ୍କୁ ସେକ୍ସ ଜାଲରେ ଫସାଇ ବ୍ଲାକମେଲିଂ କରୁଥିବା ଅର୍ଚ୍ଚନା ନାଗକୁ ପୁଲିସ ଗିରଫ କରି ଆଜି ଜେଲ୍ ପଠାଇଛି । କୁଆଡ଼େ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା କମେଇଛି ଏହି ଲେଡି ବ୍ଲାକମେଲର । ଭୁବନେଶ୍ୱରରେ କରିଛି ଆଲିସାନ କୋଠା, ଗୋଛା ଗୋଛା ଦାମୀ ଗାଡ଼ି, ଫାର୍ମହାଉସ୍, କାର୍ ସୋ ରୁମ୍ ଏମିତି କେତେ କ’ଣ । ୫ ବର୍ଷରେ ୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ବନିଯାଇଛି ।
ବହୁ ପଇସାବାଲା ନେତା, ବ୍ୟବସାୟୀ, ବିଲଡର୍, ଫିଲ୍ମ ପ୍ରଯୋଜକଙ୍କୁ ସେ ସେକ୍ସ ଜାଲରେ ଫସାଇ ଆସୁଥିଲା । ଆଗରୁ ଥରେ ଦି ଥର ଏହି ମହିଳା ବିରୋଧରେ ପୁଲିସରେ ଅଭିଯୋଗ ହୋଇଥିଲା । ମାତ୍ର ଚାପ ପକାଇ ଖସିଯାଉଥିଲା । ମାତ୍ର ଏଥର ତା’ର ବେଳା ଖରାପ ପଡ଼ିଗଲା । ଓଲିଉଡ୍ ର ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରିବାର ଧମକ ଦେଇ ତିନି କୋଟି ଟଙ୍କା ମାଗିବା ତାକୁ ମହଙ୍ଗା ହେଲା । ନୂଆପଲ୍ଲୀ ଥାନାରେ ଶ୍ରୀ ପରିଜାଙ୍କ ଏତଲାକ୍ରମେ ପୁଲିସ ସପ୍ତାହେ କାଳ ଛାନଭିନ କରି ତାକୁ ଧରିଲା । ତେବେ ଗଣମାଧ୍ୟମକୁ ଲୁଚାଇ ତରବରିଆ ଭାବେ କୋର୍ଟ ଚାଲାଣ କରିବା ପଛର ରହସ୍ୟକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।
ଏହି ଲେଡି ବ୍ଲାକମେଲର୍ ଙ୍କ ବ୍ଲାକମେଲିଂ ସମ୍ପର୍କରେ ଜଣେ ପୁଲିସ ଅଧିିକାରୀ ବଢ଼ିଆ ସୂଚନା ଦେଇଛନ୍ତି । ସେ ନିଜକୁ ଓକିଲ ଏବଂ ଏକ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ଭାବେ ପରିଚୟ ଦେଉଥିଲା । ପଇସାବାଲା ନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ ଏପରିକି ପୁଲିସ ଅଫିସରଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲା । ବନ୍ଧୁ ହେଲା ପରେ ଫୋନ୍ ନମ୍ବର ମାଗି କଥା ହେଉଥିଲା । ତା’ ପ୍ରେମରେ ଯିଏ ପଡୁଥିଲେ ତାଙ୍କୁ ନିଜ ଘରକୁ ଡାକି ଅନ୍ତରଙ୍ଗ ମୁହୁର୍ତ୍ତ କାଟୁଥିଲା । ସେହି ଘରେ ଏକ ଗୁପ୍ତ କ୍ୟାମେରା ଲଗେଇଥିଲା । ପରବର୍ତ୍ତୀ ସମୟରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଦେଖାଇ ଡରୋଉଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲା ।
ଦୁଇବର୍ଷ ତଳେ ଅର୍ଚ୍ଚନା ଜଣେ ପ୍ରଭାବଶାଳୀ ନେତାଙ୍କୁ ଜାଲରେ ଫସାଇ ୫୦ ଲକ୍ଷ ମାଗିଥିଲା । ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିଲା ପରେ ନେତାଙ୍କ ଘରେ ଝଡ଼ ସୃଷ୍ଟି ହୋଇଥିଲା । ଏହି ମାମଲା ଥାନାକୁ ଯାଇଥିଲା । ମାତ୍ର ପୁଲିସ ଉପରେ ଚାପ ପକାଇ ଅର୍ଚ୍ଚନା ଖସିଯାଇଥିଲା । ଗତବର୍ଷ ଜଣେ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କଠାରୁ ସେ ୫୦ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି । ୫ ବର୍ଷରେ ତା ସମ୍ପତ୍ତି ୫୦ କୋଟିରୁ ଅଧିକ ବୋଲି କୁହାଯାଉଥିବାରୁ ଏମିତି କେତେ ପଇସାବାଲା ଲୋକଙ୍କୁ ତା ପ୍ରେମ ଜାଲରେ ଫସାଇ ବ୍ଲାକମେଲିଂ କରିଛି ତାହା ସହଜରେ ଅନୁମେୟ ।
ଗିରଫ ଅର୍ଚ୍ଚନାଠାରୁ ଦୁଇଟି ପେନଡ୍ରାଇଭ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ପୁଲିସ ଜବତ କରିଛି । ଏଥିରେ ସବୁ ସମ୍ପର୍କ ଓ ବ୍ଲାକମେଲିଂର ତଥ୍ୟ ପ୍ରମାଣ ଥିବାରୁ ପୁଲିସ ଏହାର ଖୁଲାସା କଲେ ସବୁ ସତ୍ୟ ପଦାକୁ ଆସନ୍ତା । କେଉଁ ବଡ଼ବଡ଼ିଆମାନେ ଅର୍ଚ୍ଚନାର ଗରାଖ ଥିଲେ ତାହା ଜଣାପଡ଼ନ୍ତା । ମାତ୍ର ପୁଲିସ ଏ ଦିଗରେ ଆଗକୁ ଯେ ବଢ଼ିବ ତାହାକୁ ନେଇ ସାଧାରଣରେ ସଂଶୟ ସୃଷ୍ଟି ହୋଇଛି । ପୁଲିସ କୌଣସି ଚାପର ବଶବର୍ତ୍ତୀ ନ ହୋଇ ସବୁ ତଥ୍ୟ ପଦାକୁ ଆଣୁ ବୋଲି ସାଧାରଣରେ ବ୍ୟଗ୍ରତା ଦେଖିବାକୁ ମିଳିଛି ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିର୍ଦ୍ଦିଷ୍ଟ ନେତା ଓ ସମ୍ପର୍କୀୟଙ୍କ ସହ ସଂପୃକ୍ତା ଲେଡି ବ୍ଲାକମେଲର୍ ଅର୍ଚ୍ଚନାର ଅନ୍ତରଙ୍ଗ(ଆପତ୍ତିଜନକ ନୁହେଁ) ଫଟୋ ଇତିମଧ୍ୟରେ ମୋବାଇଲ୍ ରୁ ମୋବାଇଲ୍ ଘୂରି ବୁଲୁଛି । ତା’ର ଏତେବଡ଼ ଜଘନ୍ୟ କାରବାର ଓ ବଳୀୟାନ୍ ପଛରେ ଏହି ନେତା ଓ ସମ୍ପର୍କୀୟଙ୍କ ବଳ ନାହିଁ ତ ବୋଲି ଏବେ ସମସ୍ତେ ପଚରାପଚାରି ହେଉଛନ୍ତି । ଏହିସବୁ ଫଟୋରେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ବି ଦେଖିବାକୁ ମିଳୁଛି । ଫୁଲନଖରା ନିକଟରେ ତାଙ୍କ ନାଁରେ ଏକ କାର୍ ସୋ ରୁମ୍ ଥିବାରୁ ସେଥିରେ ସଂପୃକ୍ତ ନେତାଙ୍କ ପରିବାର ଟଙ୍କା ଲାଗିଥିବା ବି ଲୋକେ ଚର୍ଚ୍ଚା କରୁଛନ୍ତି ।