ଭୁବନେଶ୍ୱର: କ୍ଷତ ବିକ୍ଷତ ହୋଇ ରାସ୍ତା କଡ଼ରେ ପଡ଼ିଥିଲେ ବେଙ୍ଗାଲୁରୁରେ କାମ କରୁଥିବା ଜଣେ ଓଡିଆ ସ୍ଵିଗି ବୟ, ଏହି ଦୁଃଖଦ ଖବର ଶୁଣିବା ପରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ସୁଦୂର ବେଙ୍ଗାଲୁରୁରେ ଚିକିତ୍ସା ସେବା ପାଇଲେ ଏବଂ ସୁସ୍ଥ ହେବା ପରେ ନିଜ ଘରକୁ ମଧ୍ୟ ଫେରିଲେ ।
ସୂଚନାନୁସାରେ,ଜଗତସିଂହପୁର ଜିଲ୍ଲା ପାଟେଣି ଗାଁ’ର ୨୨ ବର୍ଷିୟ ବୈକୁଣ୍ଠ କୁମାର ସାହୁ ବେଙ୍ଗାଲୁରୁରେ ରହି ସ୍ଵିଗି କମ୍ପାନୀରେ କାମ କରୁଥିଲେ । ଗତ ସେପ୍ଟେମ୍ବର ୨୧ତାରିଖରେ ସେ ଖାଦ୍ୟ ନେଇ ଯାଉଥିବା ବେଳେ ଅଚାନକ ଏକ ଚାରି ଚକିଆ ଯାନ ଆସି ତାଙ୍କୁ ଧକ୍କା ଦେଇଥିଲା, ଫଳରେ ସେ ଗଭୀର ଭାବରେ ଆହତ ହୋଇଥିଲେ । କିଛି ଲୋକ ତାଙ୍କ ମୋବାଇଲ ଫୋନ୍ ରୁ ଘରଲୋକଙ୍କୁ ଯୋଗାଯୋଗ କରି ଦୁର୍ଘଟଣା ବିଷୟରେ କହିଥିଲେ ଏବଂ ଘର ଲୋକ ବ୍ୟସ୍ତ ବିବ୍ରତ ହୋଇ ଓଡ଼ିଶା ମୋ ପରିବାର ଏନ.ଆର.ଓ ଉପଦେଷ୍ଟା ସୁରେନ୍ଦ୍ର ନାଥ ମହାପାତ୍ରଙ୍କୁ କିଛି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।
ଶ୍ରୀ ମହାପାତ୍ର ଏ ସମ୍ପର୍କରେ ସଙ୍ଗେସଙ୍ଗେ ଓଡ଼ିଶା ମୋ ପରିବାର ଆବାହକଙ୍କୁ ଜଣାଇଥିଲେ ଏବଂ ଆବାହକଙ୍କ ନିର୍ଦ୍ଦେଶନାରେ ଶ୍ରୀ ମହାପାତ୍ର ବେଙ୍ଗାଲୁରୁ ନୋଡାଲ ଅଫିସର୍ ତଥା ବରିଷ୍ଠ ସମାଜସେବୀ ପ୍ରଣବ ପାଣିଙ୍କ ସାହାଯ୍ୟରେ ଓଡିଆ ସ୍ଵିଗି ବୟଙ୍କୁ ନିକଟସ୍ଥ ସେଣ୍ଟ ଜୋନ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ବୈକୁଣ୍ଠଙ୍କର ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ପରିବାର ବର୍ଗ ତାଙ୍କୁ ଫେରାଇ ଆଣିବାକୁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ ଓ ସଙ୍ଗେସଙ୍ଗେ ଓଡ଼ିଶା ମୋ ପରିବାର ପକ୍ଷରୁ କମ୍ପାନୀ ମାଲିକଙ୍କ ସହିତ ଆଲୋଚନା କରାଯାଇ ବୈକୁଣ୍ଠଙ୍କୁ ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଣାଯାଇଥିଲା ।








