କଟକ: ବାରବାଟୀ ଷ୍ଟାଡିୟମ୍ ରେ ଆଜି ରଙ୍ଗାରଙ୍ଗ ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଛି ହକି ବିଶ୍ୱକପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲା ବେଳେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଅତିଥି ଏବଂ ଆଗନ୍ତୁକମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ । ବିଶ୍ୱକପ୍ ଆୟୋଜନରେ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟପକ୍ଷରେ ଏଭଳି ଆୟୋଜନ ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଶ୍ରୀ ଠାକୁର ଓଡ଼ିଶା ସରକାରଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଯେତେ ବି ବିଶ୍ୱକପ୍ ହୋଇଛି, ଓଡ଼ିଶାରେ ସବୁଠାରୁ ଭବ୍ୟ ଆୟୋଜନ ହୋଇଥିବା ସେ କହିଥିଲେ ।
ଉଦଘାଟନ ସମାରୋହ ପାଇଁ ବାରବାଟୀ ଷ୍ଟାଡିୟମ୍ ରେ ଖଚାଖଚ ଦର୍ଶକ ଓ ଅତିଥିମାନଙ୍କ ଭିତରେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଅରୁଣା ମହାନ୍ତି ଓ ନମିତା ମେଲେକା ଦ୍ୱାରା ଆଦିବାସୀ ଚିତ୍ର କଳା ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଏହା ପରେ ପରେ ସ୍ନିତି ମିଶ୍ରଙ୍କ ସଙ୍ଗୀତ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଙ୍କ ଦ୍ୱାରା ନୃତ୍ୟ ପରିବେଷଣ, ରାପର ବି ଡିଲଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ରିତୁ ରାଜ ମହାନ୍ତିଙ୍କ ସଙ୍ଗୀତ ପରିବେଷଣ, ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଏବଂ ଲିସା ମିଶ୍ରଙ୍କ ସଙ୍ଗୀତ ପରିବେଷଣ ସହ ପ୍ରଥମ ପର୍ଯ୍ୟାୟ ମନୋରଂଜନ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ସଂଧ୍ୟା ୬ଟାରେ ଭବ୍ୟ ସ୍ୱାଗତ ଏବଂ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ହକି ବିଶ୍ୱକପ ସଙ୍ଗୀତ ପରିବେଷଣ ଓ ଜାଇଲୋବ୍ୟାଣ୍ଡ ପ୍ରଦର୍ଶନ ପରେ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ଭାଷଣ ଓ ଆତସବାଜି ସୋ ହୋଇଥିଲା । ଏହାପରେ ବ୍ଲାକସ୍ୱାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ, ଦିଶା ପଟାନିଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ପ୍ରୀତମ, ନୀତି ମୋହନ, ବେନି ଦୟାଲ ଙ୍କ ସଙ୍ଗୀତ ପରିବେଷଣ ଏବଂ ଡ୍ରୋନ ସୋ, ରଣବୀର ସିଂଙ୍କ ଦ୍ୱାରା ନୃତ୍ୟ ପରିବେଷଣ, ନକାଶ ଅଜିଜଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ଏଲିନା ସାମନ୍ତରାୟଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଏବଂ ଶେଷରେ ଅନନ୍ୟା ନନ୍ଦଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ୍ ଖେଳାଯିବ ।