ଭୁବନେଶ୍ୱର: ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦାଦାଗିରି ପୁଣି ସାମନାକୁ ଆସିଛି । ମହିଳା ସ୍ୱୟଂ ସହାୟକ ଦ୍ୱାରା ନିର୍ମାଣାଧୀନ ଦେବଗଡ଼ ସହର ଟାଉନ ହଲ୍ ପାଚେରୀକୁ ସମର୍ଥକଙ୍କୁ ଲଗାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ବିଧାୟକଙ୍କ ବିରୋଧରେ ଦେବଗଡ଼ ପୌରପାଳିକା ଏବଂ ହରିଓମ୍ ଏସଏଚଜି ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ବେଳେ ପୁଲିସ ଦୁଇଟି ଅପରାଧିକ ମାମଲା ରୁଜୁ କରିଛି ।
ଅଭିଯୋଗ ଅନୁଯାୟୀ, ଦେବଗଡ଼ ପୌରପାଳିକା ପକ୍ଷରୁ ମୁକ୍ତା ଯୋଜନାରେ ଟାଉନ୍ ହଲ୍ ପାଚେରୀ ନିର୍ମାଣ ପାଚେରୀ ନିର୍ମାଣ ଲାଗି ହରିଓମ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪ ଲକ୍ଷ ୬୫ ହଜାର ୩ ଶହ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା । କାର୍ଯ୍ୟାଦେଶ ପାଇଲା ପରେ ସେମାନେ ପାଚେରୀ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ । ମାତ୍ର ସୋମବାର ସକାଳ ପ୍ରାୟ ୧୦ଟା ବେଳେ ଅଚାନକ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ତାଙ୍କର କିଛି ଗୁଣ୍ଡାଶ୍ରେଣୀୟ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ଶାବଳ ଓ ଗଇଁତିରେ ଏହାକୁ ଭାଙ୍ଗିବା ଆରମ୍ଭ କରିଥିଲେ । ସଂପୃକ୍ତ ମହିଳାମାନେ ବାରଣ କରିବାରୁ ସେମାନେ ଧମକଚମକ ଦେବା ସହ ଗାଳିଗୁଲଜ କରିଥିଲେ ।
ଆଇନକୁ ହାତକୁ ନେଇଥିବା ବିଧାୟକଙ୍କ ବିରୋଧରେ ପୌରପାଳିକା ଏବଂ ହରିଓମ୍ ମହିଳା ଏସଏଚଜି ପକ୍ଷରୁ ତୁରନ୍ତ ଥାନାରେ ଏତଲା ଦିଆଯାଇଥିଲା । ବିଧାୟକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ । ସମ୍ବଲପୁରର ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ମଧ୍ୟ ବିଧାୟକଙ୍କ ଆଚରଣକୁ ବିରୋଧ କରି ଗଣମାଧ୍ୟମରେ ବିଷୋଦଗାର କରିଛନ୍ତି ।
ଅନ୍ୟପକ୍ଷରେ ବିଧାୟକଙ୍କ ଏତାଦୃଶ ଆଚରଣକୁ ବିରୋଧ କରିଛି ବିଜେଡି । ଏଥିପାଇଁ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛି । ଏସଏଚଜି ମହିଳାଙ୍କୁ ଧମକଚମକ ଓ ଅପମାନିତ କରିଥିବା ବିଜେପି କ୍ଷମା ନ ମାଗିଲେ ବ୍ୟାପକ ଆନେ୍ଦାଳନ କରିବାକୁ ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଏହି ପ୍ରସଙ୍ଗକୁ ନେଇ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଥିଲେ ଯେ ରାଜ୍ୟ ସରକାର ମା’ ମାନଙ୍କୁ ସ୍ୱାବଲମ୍ବୀ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରୁଥିବା ବେଳେ ବିଜେପି ନେତାମାନେ ମା’ ମାନଙ୍କୁ ଅପମାନିତ କରୁଛନ୍ତି । ନିର୍ଯ୍ୟାତନା ଦେଉଛନ୍ତି ଏବଂ ଧମକ ଚମକ ଦେଇ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟତମ ମୁଖପାତ୍ର ଇପସିତା ସାହୁ ବିଧାୟକଙ୍କ ପୁରୁଣା ଅପରାଧିକ ରେକର୍ଡ ଖୋଲିଥିଲେ । ଅନ୍ୟତମ ମୁଖପାତ୍ର ଗୌତମବୁଦ୍ଧ ଦାସ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଗତ ୨୦୨୨ ଏପ୍ରିଲ୍ ୩୦ ରେ ବିଧାୟକ ଶ୍ରୀ ପାଣିଗ୍ରାହୀ ତିଳେଇବଣି ବ୍ଲକ୍ ର ତତ୍କାଳୀନ ବିଡିଓଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ।
ତେବେ ଗତକାଲିର ଅଭିଯୋଗ ସଂକ୍ରାନ୍ତରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଶେଷ ଖବର ଅନୁଯାୟୀ, ପୁଲିସ ତାଙ୍କର ୩ ଜଣ ସମର୍ଥକଙ୍କୁ ଗିରଫ କରିଛି ।