ଭୁବନେଶ୍ୱର: ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମାସେ ହେଲା ରାଜ୍ୟ ସାରା ବୁଲି ପ୍ରଚାର କରୁଛି । ମିଛ କହିବାର ଗୋଟିଏ ସୀମା ଅଛି । ବିଜେପି ମିଛ କହିବାର ସବୁ ସୀମା ଟପିଯାଇଛି ।
ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଆଜି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୟୁରଭଞ୍ଜକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଜେପି ପ୍ରଶ୍ନ କରି ଚାଲିଛି । ନିର୍ବାଚନ ପ୍ରଚାରରେ ଆସୁଥିବା କେନ୍ଦ୍ରୀୟ ନେତାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତାତ୍ସଲ୍ୟ କରୁଛନ୍ତି । ତାଙ୍କ ବୟସର ମଜାକ୍ ଉଡ଼ାଉଛନ୍ତି । ଏହାକୁ ଏକ ନିର୍ବାଚନୀ ମୁଦ୍ଦା ବି କରିଦେଇଛି ।
ଏମିତିକି, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ବିଜେପି ପକ୍ଷରୁ ପୁଲିସ ଡିଜିଙ୍କୁ ଏକ ଚିଠି ଲେଖାଯାଇ ପ୍ରସଙ୍ଗରେ ଦାନା ଧରେଇବାକୁ ଚେଷ୍ଟା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ପୂର୍ବତନ ବ୍ୟକ୍ତିଗତ ସଚିବ କାର୍ତ୍ତିକ ପାଣ୍ଡିଆନ୍ ଓ ତାଙ୍କ ଗୋଷ୍ଠୀର ଅଣ ଓଡ଼ିଆ ଅଧିକାରୀମାନେ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ ଆଣି ତାଙ୍କୁ ବନ୍ଧନରୁ ମୁକ୍ତ କରିବାକୁ ଡିଜିପିଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ରହିଛି ବୋଲି ବିଜେପି ଦାବି କରିଛି ।







