ଭୁୁବନେଶ୍ୱର: ଆଜି ରାତିରେ ଝାରପଡ଼ା ଜେଲ୍ ହାଜତରେ ପଶିଛନ୍ତି ଆଇଏଫଏସ୍ ଅଫିସର ଅଭୟ କାନ୍ତ ପାଠକ ଏବଂ ତାଙ୍କ ରଙ୍ଗୀଲା ପୁଅ ଆକାଶ ପାଠକ । ସରକାରୀ ଉଚ୍ଚ ପଦବୀରେ ଥାଇ ବିପୁଳ ସମ୍ପତ୍ତି ଲୁଟ୍ କରିଥିବା ବାପା ଏବଂ ନିଜକୁ ଟାଟା ମୋଟର୍ସର ଏମଡି କହି ଲୋକଙ୍କୁ ଚିତା କାଟୁଥିବା ପୁଅକୁ ଆଜି ଭିଜିଲାନସ୍ ବାନ୍ଧି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ଜାମିନ୍ ଆବେଦନ ନାମଂଜୁର ହେବାରୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି ।
ଜେଲ୍ ଯାଇଥିବା ଆଇଏଫଏସ୍ ତଥା ଅତିରିକ୍ତ ପିସିସିଏଫ ଅଭୟ ପାଠକଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ତାଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ ପାଇଁ ଭିଜିଲାନସ୍ ବିଭାଗ ପକ୍ଷରୁ ୨୦ ଜଣିଆ ସ୍ୱତନ୍ତ୍ର ଏସଆଇଟି ଗଠନ କରାଯାଇଛି । ଉଭୟ ବାପପୁଅଙ୍କ କଳା ସାମ୍ରାଜ୍ୟର ଏମାନେ ଛାନଭିନ୍ କରିବେ ।
୩ ଦିନ ଧରି ପାଠକଙ୍କ ଭୁବନେଶ୍ୱରର ୫ଟି ଜାଗା ସମେତ ମୁମ୍ବାଇ, ପୁନେ ଏବଂ ପାଟଣାର ୭ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏ ପର୍ଯ୍ୟନ୍ତ ୫୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ କରାଯାଇଛି । ସେଥିମଧ୍ୟରୁ ୯ କୋଟି ୩୫ ଲକ୍ଷ ୪୨ ହଜାର ୫୯୪ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି । ତାଙ୍କର ଆୟଠାରୁ ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ୪୩୫ ଗୁଣା ଅଧିକ ବୋଲି ଭିଜିଲାନସ୍ ବିଭାଗ ସୂତ୍ରରୁ କୁହାଯାଇଛି ।
ଖାଲି ଆଲିସାନ୍ ବଙ୍ଗଳା, ଦାମୀ ଗାଡି, ସୁନାଗହଣାଚି ନଗଦ ଟଙ୍କା ନୁହେଁ । ବିଭିନ୍ନ ବ୍ୟାଙ୍କରେ ଅଭୟ ପାଠକଙ୍କର କୋଟି କୋଟି ଟଙ୍କା ଜମା ଅଛି । ତାଙ୍କ ପୁଅ ଆକାଶ ଆକାଉଣ୍ଟରେ ୯.୪ କୋଟି ଟଙ୍କା ଅଛି । ଏକଦା ବାଜାଜ୍ ସ୍କୁଟର ଚଢ଼ୁଥିବା ଏହି ବାବୁ ଓ ପରିବାର ଲକଡାଉନ୍ ବେଳେ ଚାର୍ଟର ପ୍ଲେନ୍ ରେ ବୁଲି ଅୟସ କରିବା ବାବଦରେ ଖର୍ଚ୍ଚ କରିଛନ୍ତି ୫ କୋଟିରୁ ଅଧିକ ।
ଟାଟା ମୋଟର୍ସର ଜାଲ୍ ଏମଡି ପରିଚୟ ଦେଉଥିବା ପୁଅ ଆକାଶ ମାସକୁ କୋଟିଏ ଟଙ୍କା ଦରମା ପାଉଥିବା ଏବଂ ସେ ସରକାରୀ ଅର୍ଥ ହରିଲୁଟ୍ କରି ନ ଥିବା ଆଜି ଗିରଫ ପରେ ଅଭୟ ପାଠକ ଗଣମାଧ୍ୟମକୁ ସଫେଇ ଦେଇଥିଲେ ମଧ୍ୟ ତାହା ଡାହା ମିଛ ବୋଲି ଭିଜିଲାନସ୍ ବିଭାଗର ଅଧିକାରୀମାନେ କହିଛନ୍ତି । ତଦନ୍ତ ବେଳେ ଏହାର କୌଣସି କାଗଜପତ୍ର ଦେଖାଇ ପାରିନଥିବା ସେମାନେ କହିଛନ୍ତି ।
୨୦ ଜଣିଆ ଏସଆଇଟି ଟିମ୍ ଏହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବ । ବ୍ୟାଙ୍କ ଡିପୋଜିଟ୍ ବାଦ୍ ସେୟାର୍ ମାର୍କେଟ୍, ମ୍ୟୁଚୁଆଲ୍ ଫଣ୍ଡ୍ ଆଦିରେ କୋଟି କୋଟି ଟଙ୍କା ଖଟାଇଥିବାର ସୂଚନା ମିଳିଥିବାରୁ ସେସବୁର ଛାନଭିନ୍ କରାଯିବ । ଏଥିରେ ସାଇବର ଏବଂ ସେଲ ଫୋନ୍ ଫରେନସିକ୍ ଏକ୍ସପର୍ଟଙ୍କୁ ସାମିଲ କରାଯିବ ବୋଲି ଭିଜିଲାନସ୍ ବିଭାଗ ପକ୍ଷରୁ କୁହାଯାଇଛି ।