ଭୁବନେଶ୍ୱର: ବିଳମ୍ବରେ ହେଲେ ମଧ୍ୟ ପରୀ ମୃତ୍ୟୁ ମାମଲାର ଗମ୍ଭୀରତାକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକୁ ନ୍ୟାୟ ଦେବା ପାଇଁ ଏସଆଇଟିକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପରୀ ମୃତ୍ୟୁରେ ସେ ମର୍ମାହତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
‘ମୋ ସରକାର ସର୍ବଦା ଆଇନକୁ ତା ବାଟରେ ଯିବାକୁ ଦେଇ ନ୍ୟାୟ ଅପେକ୍ଷା କରେ । ମୁକ୍ତ ଓ ଅବାଧ ତଦନ୍ତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଗୃହକାର୍ଯ୍ୟରେ ଅଂଶଗ୍ରହଣ ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ଘୋଷଣା ଓ ଗୃହକାର୍ଯ୍ୟରେ ସହଯୋଗ କରିବା ଅନୁରୋଧକୁ ଗ୍ରହଣ କରିନି ବିଜେପି । ମାମଲା ସିବିଆଇକୁ ହସ୍ତାନ୍ତର ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ବିଧାୟକମାନେ ହଙ୍ଗାମା ଜାରି ରଖିବାରୁ ଗୃହକାର୍ଯ୍ୟ ଆଜି ମଧ୍ୟ ଚାଲି ପାରିନି । ଫଳରେ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ସମ୍ଭବ ହୋଇନି ।
ଆଜି ଗୃହକାର୍ଯ୍ୟ ଆରମ୍ଭ କ୍ଷଣି, ଗତକାଲି ଭଳି ବିଜେପି ଓ କଂଗ୍ରେସ ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ କଂଗ୍ରେସ ସଦସ୍ୟମାନେ ଏସଆଇଟି ତଦନ୍ତ ଦାବି କରିଥିଲା ବେଳେ ବିଜେପି ସଦସ୍ୟମାନେ ସିବିଆଇ ତଦନ୍ତ ଦାବିରେ ଅଡ଼ି ବସି ଗୃହରେ ହୋ ହଲ୍ଲା ଓ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ତମାମ ଗୃହ ଚଳେଇବା ବାଚସ୍ପତିଙ୍କ ପକ୍ଷରେ ସମ୍ଭବ ନଥିଲା ।
ଖାଲି ବିଧାନସଭା ନୁହେଁ, ପରୀ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି ଏହି ପ୍ରସଙ୍ଗକୁ ଜୋର୍ ଧରିଛି । ‘ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ’ ବୋଲି ଗତକାଲି ବିଧାନସଭାରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ବିବୃତି ବିରୋଧୀ ଦଳ ଉପରେ ପ୍ରଭାବ ପକାଇନାହିଁ । ପରୀ ମୃତ୍ୟୁ ଘଟଣାରେ ରାଜନୀତି ନ କରି ନିରପେକ୍ଷ ତଦନ୍ତରେ ସମସ୍ତେ ସହଯୋଗ କରିବାକୁ ଅରୁଣ ନିବେଦନ କରିଥିଲେ । ମାତ୍ର ବିରୋଧୀ ଦଳର ଜିଦ୍, ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।
କହିବା ବାହୁଲ୍ୟ ଯେ ୫ ବର୍ଷର କୁନିଝିଅ ପରୀକୁ ମାରିଥିବା ଅପରାଧୀଙ୍କୁ ଧରିବାରେ ନିଷ୍କ୍ରିୟତା ଓ ବିଫଳତା ପାଇଁ ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ । ପୁଲିସ ତଦନ୍ତ କେଉଁବାଟରେ ଅଟକିଛି ଡିଜି ସମୀକ୍ଷା କଲେନାହିଁ । ଏହି ଦୋଷରୁ ରାଜ୍ୟ ସରକାର ମୁକୁଳି ପାରିବେ ନାହିଁ । ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ମାମଲାରେ ବିରୋଧୀ ଦଳ ଆଜି ପର୍ଯ୍ୟନ୍ତ ଚୁପ୍ ବସିଥିଲେ । ପରୀକୁ ନ୍ୟାୟ ଦେବା ପାଇଁ ସେମାନଙ୍କର ହୃଦୟ କାନ୍ଦୁ ନ ଥିଲା । ଗତ ମଙ୍ଗଳବାର ଦିନ ପରୀର ବାପାମାଆ ବିଧାନସଭା ସମ୍ମୁଖରେ ଆତ୍ମହୂତି ଦେବାକୁ ଉଦ୍ୟମ କଲା ପରେ ଯାଇ ଉଭୟ ସରକାର ଓ ବିରୋଧୀ ଦଳକୁ ବୁଦ୍ଧି ପଶିଛି ।
କ୍ରାଇମବ୍ରାଞ୍ଚ ଓ ଏସଆଇଟି ତଦନ୍ତ ଘୋଷଣା କରି ରାଜ୍ୟ ସରକାର ତତ୍ପର ହୋଇଥିଲା ବେଳେ ପ୍ରତିକ୍ରିୟାଶୂନ୍ୟ ବିରୋଧୀ ଦଳଗୁଡ଼ିକର ଏବେ ଚୈତନ୍ୟ ଉଦୟ ହୋଇଛି । ବିଧାନସଭା ଓ ରାଜରାସ୍ତା ଫଟାଉଛନ୍ତି । ବିଜେପି ନେତ୍ରୀମାନେ ପରୀ ଘରକୁ ଯାଇ ଶାନ୍ତ୍ୱନା ଦେଉଛନ୍ତି । ଏଥିରେ ପରୀକୁ ନ୍ୟାୟ ଦେବାର ଆନ୍ତରିକତା ଯେତିକି ନାହିଁ, ରାଜନୈତିକ ଫାଇଦା ଗୋଟାଇବାରେ ଅଧିକ ଆନ୍ତରିକତା ଥିବାର ଲକ୍ଷଣ ଦେଖିବାକୁ ମିଳୁଛି । ସମ୍ଭବତଃ ଏକମାତ୍ର ଉଦ୍ଦେଶ୍ୟ, ପରୀ ନ୍ୟାୟ ପାଉ କି ନ ପାଉ, ଜଣେ ମନ୍ତ୍ରୀଙ୍କୁ ହଟାଇ ପାରିଲେ ତାହା ସେମାନଙ୍କ ପାଇଁ ବଡ଼ ହେବ । ବାହାବା ମିଳିବ ।
ସୂଚନାଥାଉକି, ଲକଡାଉନ୍ ସମୟରେ ଖୋଦ୍ ରାଜଧାନୀରେ ଜଣେ ନାବାଳିକାକୁ ୭ ଜଣ ଯୁବକ ୧୫ ଦିନ ଧରି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ମାଆଙ୍କ ଏତଲା ଆଧାରରେ ମହିଳା ଥାନା ପୁଲିସ ପୋକସୋ ଆକ୍ଟରେ ମାମଲା ରୁଜୁ କରିବାର ଇତିମଧ୍ୟରେ ୩ ମାସ ହୋଇଗଲାଣି । ୧୩ ବର୍ଷର ପୀଡ଼ିତା ଝିଅକୁ ଧରି ମାଆ ନ୍ୟାୟ ଭିକ୍ଷା କରୁଥିଲେ ମଧ୍ୟ ପୁଲିସଠାରୁ ନ୍ୟାୟ ପାଉନାହାନ୍ତି ।
ଏଭଳି ଏକ ସମ୍ବେଦନଶୀଳ ମାମଲା ଗଣମାଧ୍ୟମରେ ବାରମ୍ବାର ଚର୍ଚ୍ଚା ହେଉଥିଲେ ମଧ୍ୟ ବିରୋଧୀ ଦଳ ପାଟି ଫିଟାଉନାହାନ୍ତି । ବିଜେପି ନେତା ଓ ନେତ୍ରୀମାନେ ମୁହଁରେ ପଟି ଭିଡ଼ିଛନ୍ତି । ନା ପୁଲିସର ନିଷ୍କ୍ରିୟତା ଉପରେ ଅଙ୍ଗୁଳି ଉଠାଉଛନ୍ତି ନା ପୀଡ଼ିତାଙ୍କୁ ଆହା ପଦେ କହୁଛନ୍ତି । ଏହା ପଛର ରହସ୍ୟ ସମସ୍ତଙ୍କୁ ଜଣା ।