ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନଙ୍କ ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତବେଳେ ଆଜି ଅଭାବନୀୟ କାଣ୍ଡ ଘଟିଛି । ସ୍ଥାନୀୟ ୟୁଜିଏସ କଲେଜ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବାକୁ ଯାଉଥିବା ଶ୍ରୀ ପାଣ୍ଡିଆନଙ୍କ ଉପରକୁ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳି ପଡ଼ିଥିଲା । କାଳିମାଡ଼ କରିଥିବା ଦୁର୍ବୃତ୍ତ ଭାସ୍କର ସାହୁଙ୍କୁ ପୁଲିସ ଘଟଣାସ୍ଥଳରୁ କାବୁ କରିଛି । ସ୍ଥାନୀୟ ବିଜେପିର ସେ ଜଣେ ଆଗଧାଡ଼ିର କର୍ମୀ ବୋଲି ଜଣାପଡ଼ିଛି ।
ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ବୁଲୁଥିବା ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଗତକାଲିଠାରୁ ଦୁଇଦିନିଆ ପୁରୀ ଜିଲ୍ଲା ଗସ୍ତରେ ଥିଲେ । ଆଜି ଗସ୍ତର ଦ୍ୱିତୀୟ ଦିନରେ ସେ କାକଟପୁର, ନିମାପଡ଼ା ଏବଂ ପୁରୀରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ପ୍ରାୟ ୨ଟାରେ ସତ୍ୟବାଦୀରେ ପହଞ୍ଚିଥିଲେ । ସ୍ଥାନୀୟ ୟୁଜିଏସ୍ କଲେଜ ପଡ଼ିଆରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମିଶନ ଶକ୍ତି ମା’ ମାନେ ସ୍ୱାଗତ କରିଥିଲେ । ଏତିକିବେଳେ କର୍ଡନ ନିକଟରେ ଆଉ କିଛି ଲୋକ ତାଙ୍କ ସହ ହାତ ମିଳାଉଥିବା ବେଳେ ସେହି ଗହଳି ଭିତରେ ଛକି ରହିଥିବା ଦୁର୍ବୃତ୍ତ ଭାସ୍କର ସାହୁ ପକେଟରୁ ଏକ କାଳି ବୋତଲ ବାହାର କରି ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗିଥିଲେ । ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି କାଳି ପଡ଼ିଥିଲା ।
ଦୁର୍ବୃତ୍ତକୁ ପୁଲିସ ସେହି ଜାଗାରୁ କାବୁ କରିନେବା ପରେ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ସୁରକ୍ଷାକୁ ବଢ଼ାଇ ଦେଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଥିଲେ । କାଳିମାଡ଼ ପରେ ଶ୍ରୀ ପାଣ୍ଡିଆନ ବିଚଳିତ ନ ହୋଇ ହସ ହସ ମୁହଁରେ ଲୋକଙ୍କ ସହ ମିଶୁଥିବା ଦେଖିବାକୁ ମିଳିଥିଲା । ଲୋକଙ୍କଠାରୁ ଅଭିଯୋଗପତ୍ର ମଧ୍ୟ ଗ୍ରହଣ କରିଥିଲେ । ମିଶନ ଶକ୍ତି ମା’ ମାନେ ହୁଳହୁଳି ପକାଇ ସେମାନଙ୍କ ପଣତିକାନିରେ ତାଙ୍କ ମୁହଁରୁ କାଳି ପୋଛିବାର ଦୃଶ୍ୟ ସେଠାରେ ଭାବାବେଗ ପରିବେଶ ସୃଷ୍ଟି କରିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଞ୍ଚଳର ବିକାଶ ପାଇଁ ଆସିଥିବା ୫-ଟି ସଚିବଙ୍କ ଉପରକୁ କାଳିମାଡ଼ ଘଟଣାକୁ ମହିଳାମାନେ ଛିଛାକର କରିଥିଲେ ।
କିଏ ସେହି ଭାସ୍କର ସାହୁ?








