ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କାର୍ଟୁନ୍ ହୋଇଗଲେଣି କି? ଏକଥା ଆମେ କହୁନାହୁଁ । ତାଙ୍କର ଦଳୀୟ ସ୍ଥିତି ଏବଂ କାର୍ଯ୍ୟକଳାପରୁ ବିଭିନ୍ନ ମହଲରେ ଏଭଳି ଧାରଣା ସୃଷ୍ଟି ହୋଇଛି । ରାଜ୍ୟସଭାରେ ନିଜ ପାଇଁ ଜାଗାଟିଏ ନ ପାଇବାର ବ୍ୟର୍ଥତା ଭିତରେ ଥିବା ବୈଜୟନ୍ତ ତାଙ୍କର କେନ୍ଦ୍ରାପଡ଼ା ଆସନଟି ବି ହରାଇବାକୁ ଯାଉଥିବା ନଗଦ ଖବର ଆସିଛି । କୁଆଡ଼େ ବିଜେପି ଏହି ସଂସଦୀୟ କ୍ଷେତ୍ରକୁ ନିଜ ତାଲିକାରେ ରଖିନାହିଁ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ୧୪ ଟି ଲୋକସଭା ସଂସଦୀୟ ଉପରେ ଆଖି ପକେଇଛି । ବର୍ତ୍ତମାନ ୮ ଟି ଆସନ ଯଥା ଭୁବନେଶ୍ୱର, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ମୟୁରଭଞ୍ଜ, ବାଲେଶ୍ୱର ଏବଂ ବରଗଡ଼ ଥିବା ବେଳେ ଆଉ ୬ଟି ଆସନକୁ ଯୋଡା ଯାଇଛି । ସେହି ୬ ଆସନ ହେଲା- ପୁରୀ, ଭଦ୍ରକ, ବ୍ରହ୍ମପୁର, ନବରଙ୍ଗପୁର, କେନ୍ଦୁଝର ଏବଂ ଢ଼େଙ୍କାନାଳ । ବିଜେପି ଏହି ୧୪ ଟି ଯାକ ଆସନକୁ ଫୋକସ୍ ରେ ରଖି ସାଂଗଠନିକ କାର୍ଯ୍ୟକ୍ରମର ରଣନୀତି ପ୍ରସ୍ତୁତ କରୁଛି ।
ଏହି ତାଲିକାରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସ୍ଥାନ ନ ପାଇବା ବୈଜୟନ୍ତ ସମର୍ଥକଙ୍କୁ ନିରାଶ କରିଛି । କାରଣ ୨୦୦୯ ଏବଂ ୨୦୧୪ ରେ ବୈଜୟନ୍ତ ବିଜେଡ଼ି ଟିକେଟରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରୁ ତଡ଼ା ଖାଇ ବିଜେପି ହାତ ଧରିଥିଲେ ଏବଂ କେନ୍ଦ୍ରାପଡ଼ାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ନିଜ ଟିଭିରେ ବହୁତ ହାୱା କରିଥିଲେ । ମାତ୍ର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ପ୍ରାୟ ଦେଢ଼ଲକ୍ଷ ଭୋଟରେ ହାରିଥିଲେ । ନବୀନ ପଟ୍ଟନାୟକଙ୍କ ଦୟାରେ ଦୁଇଥର ରାଜ୍ୟସଭା ଓ ଦୁଇଥର ଲୋକସଭା ଯାଇଥିବା ବୈଜୟନ୍ତଙ୍କୁ ଏହି ପରାଜୟ ଭୀଷଣ ବାଧିଥିଲା । କାରଣ ସାଂସଦ ପଦ ଚାଲିଯିବା ପରେ ତାଙ୍କର ଦିଲ୍ଲୀ କାଟତି ଚାଲିଯାଇଥିଲା ।
ବିଜେପି ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ଥଇଥାନ କରିଥିଲେ ମଧ୍ୟ ତାହା ତାଙ୍କର ପୂର୍ବ କାଟତି ଫେରାଇ ପାରିନି । ଆସାମ ରାଜ୍ୟର ପ୍ରଭାରୀ ଭାବରେ ନିଯୁକ୍ତି ପାଇଥିଲେ । ହେଲେ ନିର୍ବାଚନ ବେଳକୁ ହାଇକମାଣ୍ଡ ତାଙ୍କୁ ଏକା ଭରସା କରିପାରି ନ ଥିଲେ । ନରେନ୍ଦ୍ର ସିଂହ ତୋମାର ଏବଂ ଜିତେନ୍ଦ୍ର ସିଂହଙ୍କୁ ପଠାଇଥିଲେ । ସେ ଯାହା ହେଉ, ନିର୍ବାଚନ ଜିତଲା ପରେ ବୈଜୟନ୍ତ ତାଙ୍କ ଟିଭି ମାଧ୍ୟମରେ ଆସାମ ବିଜୟର ଶ୍ରେୟ ଓଡ଼ିଶା ଲୋକଙ୍କ ଆଗରେ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବି ଲୋକହସା ହେବାକୁ ପଡ଼ିଥିଲା । ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଶପଥ ସମାରୋହରେ ବୈଜୟନ୍ତଙ୍କୁ ଦ୍ୱିତୀୟ ଧାଡ଼ିରେ ବସାଇ ଦିଆଗଲା । ଏଥିରୁ ତାଙ୍କର କେତେ ଗୁରୁତ୍ୱ ବୁଝାପଡ଼ିଗଲା ।
ଖାଲି ସେତିକି ନୁହେଁ ଆସାମରୁ ଖାଲିଥିବା ଗୋଟିଏ ରାଜ୍ୟସଭା ଆସନକୁ ବୈଜୟନ୍ତ ଆଖେଇଥିଲେ ମଧ୍ୟ ହାଇକମାଣ୍ଡ ତାଙ୍କ ନାଁ ବିଚାରକୁ ମଧ୍ୟ ନେଲେ ନାହିଁ । ପରବର୍ତ୍ତୀ ପାଳିରେ ତ୍ରିପୁରା, ଉତ୍ତରାଖଣ୍ଡ କିମ୍ବା ଉତ୍ତର ପ୍ରଦେଶରୁ ରାଜ୍ୟସଭା ଯିବାକୁ ମନ ବଳାଇଥିଲେ । ମାତ୍ର ହାଇକମାଣ୍ଡ ତାଙ୍କ ମନକଥା ବୁଝିପାରିଲେନି ।
ରାଜ୍ୟସଭା ରାସ୍ତା ବନ୍ଦ ହେବା ପରେ କେନ୍ଦ୍ରାପଡ଼ାରୁ ପୁଣି ଲଢ଼ି ବିଜୟ ଆଶା ରଖିଥିବା ବୈଜୟନ୍ତଙ୍କୁ ଦଳର ପ୍ରାରମ୍ଭିକ ଆଭିମୁଖ୍ୟ ଅନୁକୂଳ ହୋଇନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଅହି ନକୂଳ ସମ୍ପର୍କ ଏବଂ ରାଜ୍ୟ ସଂଗଠନ ସହ ସମ୍ପର୍କ ରଖି ନ ଥିବାରୁ ତାଙ୍କର ଆଗାମୀ ଭବିଷ୍ୟତକୁ ନେଇ ରାଜନୈତିକ ମହଲ ଆଶଙ୍କା ପ୍ରକାଶ କରିଛନ୍ତି । ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ରଖିଥିବା ବୈଜୟନ୍ତ ଏବେକୁ କାର୍ଟୁନ୍ ବନିଯାଇଥିବା ବିରୋଧୀମାନେ କଟାକ୍ଷ କରିଛନ୍ତି ।
ସେପଟେ ଚାଲୁଣି କହୁଛି ଛୁଞ୍ଚିକୁ ନ୍ୟାୟରେ ନେସନାଲ୍ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଇଡି ଜେରାକୁ ନେଇ ତାଙ୍କର ଟୁଇଟ୍ ତାଙ୍କ ପାଇଁ ବୁମେରାଂ ହୋଇଛି । ରାହୁଲ ଗାନ୍ଧୀ, ସତ୍ୟେନ୍ଦ୍ର ଜୈନ୍ ଙ୍କୁ କାନୁନ୍ ଦେଖାଇଥିବା ବୈଜୟନ୍ତଙ୍କ ବିରୋଧରେ ବାହାମାସ୍ ଦାଗ ଲାଗିଛି । ତାଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ଟିକସ ଫାଙ୍କି ଭଳି ସଙ୍ଗୀନ ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଅଫିସଠାରୁ ଆରମ୍ଭ କରି ସିବିଆଇ, ଇଡି, ଏସଆଇଟି, ମାଗ ଆଦି ତଦନ୍ତକାରୀ ସଂସ୍ଥାରେ ଗଡୁଛି । ବାହାମାସ୍ ରେ ପଣ୍ଡା ଦମ୍ପତ୍ତି ଭୂତ କମ୍ପାନୀ ଜରିଆରେ କଳାଟଙ୍କା ଠୁଳ କରିଥିବାର ତଥ୍ୟପ୍ରମାଣ ଦେଇଛନ୍ତି ଦିଲ୍ଲୀର ସୂଚନା ଅଧିକାର କର୍ମୀ ଭୂପେନ୍ଦ୍ର ସିଂ ପଟେଲ ।
ତିନିବର୍ଷ ତଳେ ଜାତୀୟ ଗଣମାଧ୍ୟମରେ ଏହା ପ୍ରମୁଖ ଖବର ହୋଇଥିଲା । ମାତ୍ର ଏ ପର୍ଯ୍ୟନ୍ତ କୌଣସି ତଦନ୍ତକାରୀ ସଂସ୍ଥା ଅଭିଯୋଗର ତଦନ୍ତ କରିନାହାନ୍ତି । ତାଙ୍କ ବିରୋଧରେ ତଦନ୍ତ ଏଡ଼ାଇବା ପାଇଁ ସେ ବିଜେପିର ଶରଣାପନ୍ନ ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା । ଅଭିଯୋଗ ଘୋଡ଼ାଇବା ପାଇଁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ଆହୁରି ସହାୟକ ହୋଇଥିବା ମଧ୍ୟ କୁହାଯାଇଥିଲା । ଯାହା ସତ୍ୟ ବୋଲି ପ୍ରମାଣିତ ହୋଇଥିବା ନିଜ ନାଁ ଗୋପନ ରଖିବା ସର୍ତ୍ତରେ ବିଜେପିର ଜଣେ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି ।