ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ଯଥା- କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ପ୍ରୟାସ ଜାରି ରଖି ଚିତ୍ରାଙ୍କନ ପ୍ରତିଯୋଗୀତା ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଏହି କ୍ରମରେ ଆଜି ଭୁବନେଶ୍ୱର ୱାର୍ଡ ନଂ.-୫, ମଞ୍ଚେଶ୍ୱର ସ୍ଥିତ ପାଟଦେଇ-କ ବିଜୁ ଆଦର୍ଶ କଲୋନୀରେ ପ୍ରଥମ ଥରପାଇଁ ଏକ ଝୋଟି ପ୍ରତିଯୋଗିତା ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା । ପୁରାତନ କାଳରୁ ମାଣବସା ଗୁରୁବାର ଦିନ ଓଡ଼ିଶାର ଘରେ ଘରେ ମହିଳାମାନେ ଝୋଟି ଆଙ୍କି ମା’ ଲକ୍ଷ୍ମୀଙ୍କୁ ଆବାହନ କରିଥାନ୍ତି । ବର୍ତ୍ତମାନର ଆଧୁନିକ ଯୁଗରେ ଏହି ପରମ୍ପରାକୁ ଉଦଜୀବିତ କରି ରଖିବାପାଇଁ ଓଡ଼ିଶା-ମୋ ପରିବାରର ଏକ ପ୍ରୟାସ ।
ସ୍ଥାନୀୟ ଅଞ୍ଚଳର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ମହିଳାମାନେ ନିଜ ନିଜ ଘର ସାମ୍ନାରେ ଉତ୍ସାହର ସହିତ ଝୋଟି ଆଙ୍କି ଏହି ପ୍ରତିଯୋଗିତା ଭାଗ ନେଇଥିଲେ। ପ୍ରତିଯୋଗିତାକୁ ପାରମ୍ପରିକ ଚିତ୍ରକଳାରେ ସ୍ନାତକୋତ୍ତର ଲାଭ କରିଥିବା ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ପାରମ୍ପରିକ ଚିତ୍ରକଳା କ୍ଷେତ୍ରରେ ବହୁ ସମ୍ମାନର ଅଧିକାରୀ ଶ୍ରୀମତୀ ସତ୍ୟଭାମା ମାଝୀଙ୍କ ଦ୍ୱାରା ବଛାଯାଇଥିବା ପ୍ରଥମ ତିନିଜଣଙ୍କୁ ଓଡ଼ିଶା-ମୋ ପରିବାର ଆବାହକଙ୍କ ଦ୍ୱାରା ପୁରଷ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।
ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବାସହ ସେମାନଙ୍କୁ ସାର୍ଟିଫିକେଟ ଏବଂ ପୁରଷ୍କାର ବଣ୍ଟନ କରିଥିଲେ । ତତ୍-ସହିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟସମସ୍ତ ପ୍ରତିଯୋଗୀମାନଙ୍କୁ ସଂପାଦକ (ଓଡ଼ିଶା-ମୋ ପରିବାର) ଦୁର୍ଗା ସାମନ୍ତରାୟ, ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ସମୀର ପ୍ରଧାନଙ୍କ ଦ୍ୱାରା ପୁରଷ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମିନୁଶ୍ରୀ ଖୁଣ୍ଟିଆଙ୍କ ସମେତ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ସମାଜେସେବୀ ତଥା କଣ୍ଠଶିଳ୍ପୀ ଶ୍ରୀମତୀ କୃଷ୍ଣପ୍ରିୟା ମିଶ୍ର ପ୍ରତିଯୋଗିତାଟିକୁ ପରିଚାଳନା କରିଥିଲେ ।