ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଭୀଷଣ ରାଗିଯାଇଛନ୍ତି । ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି । ତେବେ ଶ୍ରୀକ୍ଷେତ୍ରର ସୁରକ୍ଷା ଓ ଆଧ୍ୟାତ୍ମିକ ବାତାବରଣ ଉପରେ ଜୋର୍ ଦେଉଥିବା ଶଙ୍କରାଚାର୍ଯ୍ୟ ଆଜି ତାଙ୍କ ପ୍ରତିକ୍ରିୟାରେ ଏକ ବଡ଼ ରାଜନୈତିକ ଛୁଙ୍କ ଛାଡ଼ିଛନ୍ତି । କ୍ଷୁବ୍ଧ ଶଙ୍କରାଚାର୍ଯ୍ୟ କହିଛନ୍ତି, ସରକାରଙ୍କୁ ଚାଲେଞ୍ଜ କଲା ଭଳି ଓଡ଼ିଶାରେ ରାଜନୈତିକ ଦଳ ନାହାନ୍ତି । ବିଜେଡି-ବିଜେପି ମିଶିକି ଅଛନ୍ତି । କଂଗ୍ରେସ ଆଉ ଆଗ ଭଳି ନାହିଁ । ତେଣୁ ବିରୋଧ କିଏ କରିବ?
ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି । ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ଭିତିରି ବୁଝାମଣା ଥିବା ନେଇ କଂଗ୍ରେସର ପୁରୁଣା ଅଭିଯୋଗକୁ ଏହା ଉଜ୍ଜୀବିତ କରିବା ସହ ରାଜନୈତିକ ପୃଷ୍ଠଭୂମିରେ ପୁରୀ ବିବାଦକୁ ଭିନ୍ନ ମୋଡ଼ ଦେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସରକାରଙ୍କୁ କଟୁ ସମାଲୋଚନା କରୁଥିବା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହାଦ୍ୱାରା ରାଜ୍ୟ ବିଜେପିକୁ ଅଡୁଆରେ ପକାଇବା ସହ କଂଗ୍ରେସର ଅସ୍ତିତ୍ୱ ଉପରେ ପ୍ରଶ୍ନ କରିବା ଶକ୍ତ ଚଟକଣି ଭଳି ହୋଇଛି ।
ଖାଲି ସେତିକି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ହାଇକୋର୍ଟଙ୍କୁ ବି ଛାଡ଼ିନାହାନ୍ତି । ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ନ ଥିବାରୁ ସେ ଅସନ୍ତୋଷ ଜାହିର କରିଛନ୍ତି ।
ଶଙ୍କରାଚାର୍ଯ୍ୟ ଆଜି ଭୁବନେଶ୍ୱର ରେଳଷ୍ଟେସନ୍ ରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଥିଲେ । କହିଥିଲେ, ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ବିରୁଦ୍ଧାଚରଣ କରୁଛି । ତେଣୁ ବର୍ତ୍ତମାନ, ଭବିଷ୍ୟତ, ଅତୀତକୁ ଦେଖି ଯାହା କହିବା କଥା କହିବି । ମୁଁ ଯାହା କହେ ନିର୍ଭୟରେ କହେ, ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେନି ।
ପ୍ରକଳ୍ପ କାର୍ଯ ଆଗେଇଲା ବେଳେ ସେ କାହିଁକି ଚୁପ୍ ଥିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ଶଙ୍କରାଚାର୍ଯ୍ୟ କହିଥିଲେ, ମୋତେ ସେମାନେ ଡରନ୍ତି । ସେଥିପାଇଁ ମୁଁ ଏଠି ନ ଥିଲା ବେଳେ କାମ କରନ୍ତି । ସେ ପୁଣି କହିଥିଲେ, ଏଠାରେ ସରକାରଙ୍କ ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି । ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ତାଙ୍କୁ ଯେବେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ଯାଇ ମାନିବେ ।
ସୂଚନାଥାଉକି, ଗତକାଲି ଶଙ୍କରାଚାର୍ଯ୍ୟ କହିଥିଲେ, କୌଣସି ପରିସ୍ଥିତିରେ ସରକାର ମୋ ଉପରେ ଚାପ ପକାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଯାହା ଭୁଲ, ତାହା ଭୁଲ୍ । ଭୁଲ୍ ପଦକ୍ଷେପକୁ କେବେ ବି ସହ୍ୟ କରିବିନି । ତେବେ ତାଙ୍କ ଉପରେ କିଏ କିଭଳି ଚାପ ପକାଇବାକୁ ଉଦ୍ୟମ କରିଛନ୍ତି ତାହା କହି ନ ଥିଲେ ।
କେହି ବାଧା ସୃଷ୍ଟି କରିପାରିବେନି: ଅନ୍ୟପକ୍ଷରେ ପୁରୀ ସାଂସଦ ପିନାକୀ ମିଶ୍ର ଆଜି କହିଛନ୍ତି, ମହାପ୍ରଭୁଙ୍କ ଇଚ୍ଛାରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ହେଉଛି । ଦୁନିଆର କୌଣସି ସ୍ୱାର୍ଥପର ଏଜେନସୀ ଏଥିରେ ବାଧା ସୃଷ୍ଟି କରିପାରିବେନି । ପ୍ରକଳ୍ପ ନିର୍ମାଣରେ କୌଣସି ବେଆଇନ କାର୍ଯ୍ୟ ହୋଇ ନ ଥିବା ସେ ପୂର୍ବରୁ କହିଥିଲେ ।