ଭୁବନେଶ୍ୱର: ଚାକିରି କାଳରେ ୪୨ ପ୍ଲଟ୍, ୬ଟି ବହୁତଳ ପ୍ରାସାଦ, ଦୁଇଟି ଫ୍ଲାଟ୍ ର ମାଲିକ ବନିଥିବା ଅବକାରୀ ବିଭାଗର ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ର ଆଜି ଭିଜିଲାନସ୍ ଦ୍ୱାରା ଗିରଫ ହୋଇଛନ୍ତି । ବିପୁଳ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କର ଏତେ ସମ୍ପତ୍ତି କୁଆଡୁ ଆସିଲା ବୋଲି ସାମ୍ବାଦିକମାନେ ରାମଚନ୍ଦ୍ରଙ୍କୁ ପଚାରିବାରୁ ସେ ଅତି ନିର୍ଲଜ ଭାବେ ନିଜକୁ ନିରୀହ, ନିଦେ୍ର୍ଦାଷ ଦାବି କରିଛନ୍ତି ।
ରାମଚନ୍ଦ୍ର ମିଶ୍ର ତାଙ୍କ ୨୫ ବର୍ଷର ଚାକିରି କାଳରେ ଏହି ସବୁ ସମ୍ପତ୍ତି କମେଇଛନ୍ତି । ବିଡ଼ମ୍ବନାର କଥା ହେଉଛି, ତାଙ୍କର ସମ୍ପତ୍ତି ତାଲିକା ସହ ତାଳ ଦେଇ ବଢୁଥିଲା ତାଙ୍କ ଚାକିରିର ପଦୋନ୍ନତି । ବର୍ଷ ବଢ଼ିବା ସହ ଚାକିରିରୁ ତାଙ୍କ ବିପୁଳ କମାଣି ହେଉଥିଲେ ମଧ୍ୟ ପଦୋନ୍ନତିରେ କୌଣସି ଅନ୍ତରାୟ ସୃଷ୍ଟି ହୋଇ ନ ଥିଲା । ନା ସରକାର ନା ଭିଜିଲାନସ୍ କାହାର ନଜର ପଡ଼ିଥିଲା । ବରଂ ଦକ୍ଷତା ଏବଂ ଉତ୍ତମ ସିସିଆର ଭିତ୍ତିରେ ତାଙ୍କୁ ପଦୋନ୍ନତି ମିଳି ଚାଲିଥିଲା । ସବୁ ଖୋଳ କରିସାରିଥିବା ଏହି ବାବୁ ଏବେ ଯାଇ ଭିଜିଲାନସ୍ ହାବୁଡରେ ପଡ଼ିଛନ୍ତି ।
୧୯୮୮ ଜୁନ୍ ୧୦ ତାରିଖରେ ରାମଚନ୍ଦ୍ର ମିଶ୍ର ଅବକାରୀ ବିଭାଗରେ ବ ଇନସପେକ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ଇନସପେକ୍ଟର ପଦବୀକୁ ପଦୋନ୍ନତି ପାଇଥିଲେ । ୨୦୧୮ ମସିହାରେ ଅବକାରୀ ସୁପରିଟେଣ୍ଡେଣ୍ଟ ଏବଂ ୨୦୨୧ ମସିହାରେ ଡେପୁଟି କମିସନର ହୋଇଥିଲେ । ଏଇ ୨୦୨୪ ଜାନୁଆରୀରେ ସେ ଜଏଣ୍ଟ କମିସନର ଭାବେ ପଦୋନ୍ନତି ପାଇ ଇପିକଲ ଟାୱାରରେ ଥିବା ଅବକାରୀ ନିର୍ଦ୍ଦେଶାଳୟରେ ଅବସ୍ଥାପିତ ହୋଇଥିଲେ ।
ଭୁବନେଶ୍ୱରରେ ଦୁଇ ଦୁଇଟି ବଡ଼ ଫ୍ଲାଟ୍ ଥିଲେ ମଧ୍ୟ ଏହି ମାଲଦାର ବାବୁ ନିଜକୁ ସଚ୍ଚୋଟ ଦେଖାଇବା ପାଇଁ ଭୁବନେଶ୍ୱର ଧର୍ମବିହାରରେ ଘରଭଡ଼ା ନେଇ ରହୁଥିଲେ । ଧତରା ସ୍କୁଟି ଚଢ଼ୁଥିଲେ । ମାତ୍ର ଭିଜିଲାନସ୍ ଚଢ଼ଉ ପରେ ତାଙ୍କ ସମ୍ପତ୍ତି ଗୁମର ଖୋଲିଛି ।
ରାମଚନ୍ଦ୍ରଙ୍କର ଭୁବନେଶ୍ୱର ଆଇଗିଣିଆର ସତ୍ୟସାଇ ଏନକ୍ଲେଭ୍ ରେ ଏକ ଡୁପ୍ଲେକ୍ସ , ଖାରବେଳନଗର ଚନ୍ଦ୍ରମା କମ୍ପେକ୍ସରେ ଏକ ୨ ବିଏଚକେ ଫ୍ଲାଟ୍, ବରଗଡ଼ର ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଏକ ୨ ବିଏଚକେ ଫ୍ଲାଟ୍, ବଲାଙ୍ଗୀର ଠିକାଦାରପଡ଼ାରେ ଦୁଇଟି ତିନି ମହଲାର କୋଠା ଏବଂ ଆଉ ଗୋଟେ ଏକ ମହଲାର କୋଠା, ବୁର୍ଲାରେ ଏକ ଦୁଇମହଲା କୋଠା, ସୁବର୍ଣ୍ଣପୁରରେ ଏକ ମହଲା କୋଠା, ସୁବର୍ଣ୍ଣପୁର ତରଭାରେ ଏକ ରାଇସ୍ ମିଲ୍, ସୁବର୍ଣ୍ଣପୁରରେ ୮ ଏକର ଜାଗାରେ ଏକ ଫାର୍ମ ହାଉସ୍ ଅଛି । ତାଙ୍କର ସମୁଦାୟ ୫୨ଟି ପ୍ଲଟ୍ ମଧ୍ୟରୁ କେବଳ ସୁବର୍ଣ୍ଣପୁରରେ ୪୭ଟି ପ୍ଲଟ୍ ଅଛି । ସମ୍ବଲପୁରରେ ଦୁଇଟି ଏବଂ ବଲାଙ୍ଗୀରରେ ତିନିଟି ପ୍ଲଟ ଅଛି ।
ଏ ପର୍ଯ୍ୟନ୍ତ ତାଙ୍କର ୨୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୨୩୦ ଗ୍ରାମ୍ ର ସୁନା ଅଳଙ୍କାର ସମେତ ଦାମୀ ଆସବାବପତ୍ର ଠାବ ହୋଇଛି । ବିଭିନ୍ନ ଜାଗାରେ କୋଟି କୋଟି ଟଙ୍କାର ଅନ୍ୟାନ୍ୟ ଇନଭେଷ୍ଟମେଣ୍ଟ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
Continue Reading