ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୁବ ଶୀଘ୍ର କାମ ଆରମ୍ଭ ହେବା ସହିତ ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ।

ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଦେବ ଭୂମି ଓ ପୂଣ୍ୟ ଭୂମି । ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏଭଳି ପବିତ୍ର ମାଟିକୁ ଆସି ଓ ଆପଣମାନଙ୍କ ସହିତ ମିଶିବାର ସୁଯୋଗ ପାଇ ମୁଁ ବହୁତ ଖୁସି । ସାରା ବିଶ୍ୱକୁ ଏକ ପରିବାର ଭାବରେ ଗ୍ରହଣ କରି ମହିମା ଧର୍ମ ସରଳ ଜୀବନ, ସମ୍ୟତା ଓ ଜଗତକଲ୍ୟାଣରେ ବିଶ୍ୱାସ କରେ । ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଜଗତକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ଆମକୁ ମହିମା ଧର୍ମ ଶିକ୍ଷା ଦେଇଛି ବୋଲି କହି ମହିମା ଧର୍ମପୀଠର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଯୋଗଦେଇ କହିଲେ ଯେ ବହୁତ ଲୋକଙ୍କ ବିରୋଧ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଏହି ପୀଠର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁନିଆକୁ ସରଳତା, ସ୍ୱଚ୍ଛତା, ସେବା ଓ ନିସ୍ୱାର୍ଥପରତାର ବାର୍ତ୍ତା ଦେଉଥିବା ଏହି ମହିମା ଧର୍ମକୁ ଆଗେଇ ନେବାକୁ ହେବ। ଆମ ମୁଖ୍ୟମନ୍ତ୍ରୀ ଶ୍ରେୟ ପାଇଁ ନୁହେଁ, ସେବା ମନୋବୃତ୍ତି ନେଇ କାମ କରିଥାନ୍ତି ବୋଲି କହି ଏହି ପୀଠ ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ମହିମା ପୀଠର ବିକାଶ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସ୍ଥାନ ଦେଇଛନ୍ତି। ଏଥି ସହିତ ଓଡିଶାର ସମସ୍ତ ମହିମା ପୀଠର ବିକାଶ କାର୍ଯ୍ୟ ମଧ୍ୟ କରାଯିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ମହେଶ କୁମାର ସାହୁ, ବିଧାୟକ ସୁଧିର କୁମାର ସାମଲ, ବିଧାୟକ ଡ. ନୃସିଂହ ଚରଣ ସାହୁ, ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅର୍ଚ୍ଚନା ପୁହାଣ ପ୍ରମୁଖ ଯୋଗ ଦେଇଥିଲେ।
ବିରୋଧୀଙ୍କୁ ପାଣ୍ଡିଆନଙ୍କ ତେରେଛା ବାଣ
ବହୁତ ଲୋକ ଅଛନ୍ତି ଶ୍ରେୟ ନେବା ପାଇଁ କାମ କରନ୍ତି । କିଛି ଲୋକ ଅଛନ୍ତି ଅନ୍ୟ ଲୋକ ଯେପରି ଶ୍ରେୟ ପାଇପାରିବେନି ସେଥିପାଇଁ କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି । ଓଡ଼ିଶାବାସୀ ସେମାନଙ୍କୁ ଠିକ ଚିହ୍ନି ପାରିବେ । କିନ୍ତୁ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି, ଯେଉଁମାନେ ଶ୍ରେୟ ନେବା ପାଇଁ ନୁହେଁ, ବରଂ ସେବା ମନୋଭାବ ନେଇ କାମ କରନ୍ତି । ସେହି ବହୁତ କମ ଲୋକଙ୍କ ମଧ୍ୟରେ ଜଣେ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିକାଶ ବିରୋଧୀଙ୍କୁ ଏପରି ତେରେଚ୍ଛା ତୀର ମାରିଛନ୍ତି ଫାଇଭ-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଯୋରନ୍ଦା ମହିମାପୀଠର ରୂପାନ୍ତରଣ ପାଇଁ ଆୟୋଜିତ ଭୂମିପୂଜନ ଉତ୍ସବରେ ଓଡ଼ିଶାର ବିକାଶକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛନ୍ତି ।







