ଭୁବନେଶ୍ୱର: ଖବର ସଂଗ୍ରହ କରିବାକୁ ଯାଇଥିବା କଳାହାଣ୍ଡିର ଜଣେ ଯୁବ ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ମୃତ ସାମ୍ବାଦିକ ହେଲେ ମୋହନଗିରି ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ୱାଳ । ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
ଏହି ହୃଦୟ ବିଦାରକ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ବ୍ଲକ୍ ର ଡମ୍ବକର୍ଲାଖୁଣ୍ଟା ନିକଟସ୍ଥ ଦୁଲେନ ଛକ ଅଞ୍ଚଳରେ । ସୂଚନା ଅନୁଯାୟୀ, ମାଓବାଦୀମାନେ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଆହ୍ୱାନ କରି କର୍ଲାଖୁଣ୍ଟା ବ୍ରିଜ୍ ରେ ପୋଷ୍ଟର ମାରିଥିବା ଆଜି ସକାଳେ ପ୍ରଚାର ହୋଇଥିଲା । ଖବର ସଂଗ୍ରହ ପାଇଁ ମୋହନଗିରି ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ୱାଳ ତାଙ୍କ ମୋଟରସାଇକେଲରେ ସେଠାକୁ ଯାଇଥିଲେ । ତେବେ ବ୍ରିଜ୍ ରେ ସେ ପହଞ୍ଚିଲା କ୍ଷଣି ହଠାତ୍ ସେଠାରେ ବିସ୍ଫୋରଣ ହୋଇଥିଲା । ଏଥିରେ ତାଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ସେ ମଟର ସାଇକେଲରୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୁଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବାକୁ ମାଓବାଦୀମାନେ ଦାବି କରୁଛନ୍ତି । ସେଥିପାଇଁ ସେମାନେ ପଞ୍ଚାୟତ ଭୋଟ ବର୍ଜନ ଆହ୍ୱାନ ଦେଇଛନ୍ତି । ଆଜି ମରାଯାଇଥିବା ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି ।
୧୩ ଲକ୍ଷ ସହାୟତା: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ସରକାରୀ ସହାୟତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।