ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ପରିବେଶ) ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟିଙ୍କୁ ଆଜି ଭିଜିଲାନସ୍ ଗିରଫ କରିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟରେ ତାଙ୍କ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତ ଯାଇଛନ୍ତି । ଗତକାଲି ଭିଜିଲାନସ୍ ଟିମ୍ ତାଙ୍କ ଘର ଭୁବନେଶ୍ୱର ଓ ଗଞ୍ଜାମର ୭ ଟି ଜାଗାରେ ଚଢ଼ଉ କରି ଅଚଳାଚଳ ସମ୍ପତ୍ତି ଠାବ କରିଥିଲା ।
ଶ୍ରୀ ପୃଷ୍ଟିଙ୍କର ପଟିଆସ୍ଥିତ କଲଭିକ୍ କିଙ୍ଗ ପ୍ୟାଲେସରେ ବିଶାଳ ଫ୍ଲାଟ୍, ଜାଗମରା ଅନ୍ତର୍ଗତ ଜଗମୋହନ ନଗର ଗଜପତି ପ୍ୟାଲେସରେ ଫ୍ଲାଟ୍, ଖଣ୍ଡଗିରି ବାରଭୁଜା ମାର୍କେଟ୍ କମ୍ପ୍ଲେକ୍ସରେ ଦୋକାନ ଘର, ଫୁଲନଖରାସ୍ଥିତ ଗ୍ରାଣ୍ଡବଜାରରେ ଫ୍ଲାଟ୍, ପୁରୀ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ କୋଟିଏରୁ ଅଧିକ ମୂଲ୍ୟର ଫ୍ଲାଟ୍, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩ ପ୍ଲଟ୍, ୮୯.୪୬ ଲକ୍ଷ ଟଙ୍କାର ବ୍ୟାଙ୍କ, ଇନସୁରାନ୍ସ ଏବଂ ବଣ୍ଡ ଡିପୋଜିଟ୍, ୩୫୫ ଗ୍ରାମର ସୁନା ଏବଂ ୬୯୨ ଗ୍ରାମର ରୂପା ଅଳଙ୍କାର, ଗୋଟିଏ କାର ଏବଂ ତିନୋଟି ଦୁଇ ଚକିଆ ଯାନ ରହିଛି ।
ରାଜ୍ୟ ବାହାରେ ରିଅଲ୍ ଇଷ୍ଟେଟ୍ ବେପାରରେ ମଧ୍ୟ ସେ ବିପୁଳ ଟଙ୍କା ଖଟାଇଥିବା ସନେ୍ଦହ କରାଯାଉଛି ।