ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଛୋଟ ପିଲା ଯିବେ ସ୍କୁଲ । କରୋନା ଯୋଗୁଁ ବନ୍ଦ ଥିବା ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଆସନ୍ତା ୭ ତାରିଖରୁ ଖୋଲିବ । ଅଷ୍ଟମରୁ ଉପରକୁ ସମସ୍ତ କ୍ଲାସ୍ ଫେବ୍ରୁଆରୀ ୭ ରୁ ଏବଂ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ଫେବ୍ରୁଆରୀ ୧୪ରୁ ଖୋଲିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏକ ପ୍ରେସବାର୍ତ୍ତାରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଜଣାଇଛନ୍ତି ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ଫେବ୍ରୁଆରୀ ୭ ରୁ ଅଷ୍ଟମ ଉପରକୁ ଥିବା କଲେଜ, ବିଶ୍ୱବିଦ୍ୟାଳୟ, ଟେକ୍ନିକାଲ୍ ଏବଂ ପ୍ରଫେସନାଲ୍ ଶିକ୍ଷାନୁଷ୍ଠାନ ଖୋଲିବ । ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ସହ ସଂପୃକ୍ତ ହଷ୍ଟେଲଗୁଡ଼ିକ ମଧ୍ୟ ଖୋଲିବ । ତେବେ ପିଲାମାନେ ସ୍କୁଲ ଯିବାକୁ ବାଧ୍ୟ କରାଯିବନି । ସେମାନେ ନିଜ ଇଚ୍ଛାରେ ଅଫଲାଇନ କିମ୍ବା ଅନଲାଇନ କ୍ଲାସ କରିପାରିବେ । ତେବେ ପିଲାମାନଙ୍କ ସୁବିଧା ପାଇଁ ବିଭିନ୍ନ ବ୍ରିଜ୍ କୋର୍ସ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ହେଲେ ସେମାନେ ଖରାଛୁଟି ଅବଧି କମାଇ ପାରିବେ ବୋଲି କୁହାଯାଇଛି ।
ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ । ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ଯଥାବିଧି ହେବ । କେଜିରୁ ନବମ ଶ୍ରେଣୀ ଏବଂ ଏକାଦଶରୁ ଦ୍ୱାଦଶ ଯିବା ପାଇଁ କ୍ଲାସ୍ ପ୍ରମୋସନ ପରୀକ୍ଷା ହେବ । ଉଭୟ ପରୀକ୍ଷା କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । ଛାତ୍ରଛାତ୍ରୀମାନେ କ୍ଲାସ ଭଳି ପ୍ରମୋସନ ପରୀକ୍ଷା ମଧ୍ୟ ଅନଲାଇନ କିମ୍ବା ଅଫଲାଇନରେ ଦେଇପାରିବେ । ଦଶମ ଏବଂ ଦ୍ୱାଦଶ ପରୀକ୍ଷା ସେମାନଙ୍କ ବୋର୍ଡ ଆୟୋଜନ କରିବେ । କଲେଜସ୍ତରରେ ମଧ୍ୟ କର୍ତ୍ତୃପକ୍ଷ ପୂର୍ବ ଗାଇଡଲାଇନ୍ ଅନୁଯାୟୀ ପରୀକ୍ଷା କରିବେ ।
ସୂଚନାଥାଉକି, ୨ ମାସ ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଗତକାଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ କୋଭିଡ୍ ସଂକ୍ରମଣ କମିଥିବାରୁ ରାଜ୍ୟ ସରକାର ଅବିଳମ୍ବେ ନିଷ୍ପତ୍ତି ନେଇଛନ୍ତି ।