ଭୁବନେଶ୍ୱର: ଖବର ପରିବେଷଣ ବେଳେ ଅର୍ଗସ୍ ଟିଭିର ଜଣେ ମହିଳା ସାମ୍ବାଦିକଙ୍କୁ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଲଗାଇବା ଘଟଣା ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଆଜି ଭୁବନେଶ୍ୱରରେ ସାମ୍ବାଦିକମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହ ଅଭିଯୁକ୍ତ ଶ୍ରୀ ଦାସଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟ ବ୍ୟାପୀ ଆନେ୍ଦାଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଏଥିସହ ସାମ୍ବାଦିକଙ୍କୁ ସୁରକ୍ଷା ଓ ସମ୍ମାନ ପାଇଁ ରାଜ୍ୟର ବିଜେପି ସରକାର ତତ୍ପରତା ଦେଖାଇବାକୁ ଦାବି ହୋଇଛି ।
ଗତ ୨୫ ତାରିଖ ଏହି ଘଟଣା । ଅଭିଯୋଗ ଅନୁଯାୟୀ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ସରକାରୀ କ୍ୱାର୍ଟର୍ସ ଭଙ୍ଗା ଘଟଣାର ଖବର ପରିବେଷଣ କରିବାକୁ ଅର୍ଗସ୍ ଟିଭିର ସାମ୍ବାଦିକା ଚିନ୍ମୟୀ ସାହୁ ତାଙ୍କ କ୍ୟାମେରା ମ୍ୟାନ୍ ଙ୍କ ସହ ପଡ଼ୋଶୀ କ୍ୱାର୍ଟର୍ସରେ ରହୁଥିବା ରଘୁନନ୍ଦନ ଦାସଙ୍କ ଗେଟ୍ ପଟେ ଯାଇଥିଲେ । ଗେଟ୍ ରେ ଥିବା ସୁରକ୍ଷାକର୍ମୀଙ୍କ ଅନୁମତି ନେଇ ଭିତରକୁ ପଶିଥିଲେ । ତେବେ ଭିତରେ ଥିବା ଶ୍ରୀ ଦାସ ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ପୋଷା କୁକୁରକୁ ଲଗାଇ ଦେଇଥିଲେ । ଦୁଇଟି କୁକୁର ସାମ୍ବାଦିକାଙ୍କ ଟିମ୍ କୁ କାମୁଡ଼ିବାକୁ ଗୋଡ଼ାଇବାରୁ ସେମାନେ ଭୟରେ ଦୌଡ଼ିଥିଲେ । ତେବେ ଏତିକିରେ ଥମି ନ ଥିଲା ଘଟଣା । ଶ୍ରୀ ଦାସ ଗାଳିଗୁଲଜ କରିବା ସହ କ୍ୟାମେରାମ୍ୟାନଙ୍କୁ ଧକ୍କା ମାରି ତାଙ୍କ ସାର୍ଟ ଚିରି ଦେଇଥିଲେ । କ୍ୟାମ୍ପସ୍ ରୁ ବାହାରି ଯିବାକୁ ଧମକାଇଥିଲେ । ପରେ ଏ ନେଇ ସାମ୍ବାଦିକା ଚିନ୍ମୟୀ କ୍ୟାପିଟାଲ୍ ଥାନାରେ ଏତଲା ଦେଇଥିଲେ ।
ଅନ୍ୟପକ୍ଷରେ ଏହି ଅଭିଯୋଗ ସତ ନୁହେଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ରଘୁନନ୍ଦନ । କହିଛନ୍ତି, ଅର୍ଗସ୍ ଟିଭିର ସାମ୍ବାଦିକା ତାଙ୍କ ସୁରକ୍ଷା କର୍ମୀଙ୍କୁ ଧମକାଇ କ୍ୱାର୍ଟର୍ସ ଭିତରକୁ ପଶିଥିଲେ । ସେମାନେ ଘରର ପ୍ରାଇଭେଟ୍ ଇଲାକାରେ ପଶିବାରୁ ସେ ନିବୃତ୍ତ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ସଂପୃକ୍ତ ସାମ୍ବାଦିକା ଓଲଟି ତାଙ୍କୁ ଉଚ୍ଚ ସ୍ୱରରେ କହିବାରୁ ସେ କୁକୁର ଛାଡ଼ିଦେବା କଥା କହିଥିଲେ ହେଁ କୁକୁର ଛଡ଼ା ଯାଇନାହିଁ । ତାଙ୍କ ବିରୋଧରେ ମିଥ୍ୟା କଥା କୁହାଯାଉଛି ଏବଂ ତାଙ୍କ ଘରକୁ ଜବରଦସ୍ତ ପଶିବାକୁ ନେଇ ସେ ପାଲଟା ଏତଲା ଦେବେ ବୋଲି କହିଛନ୍ତି ।
ଇତିମଧ୍ୟରେ କ୍ୟାପିଟାଲ୍ ଥାନା ପୁଲିସ ରଘୁନନ୍ଦନ ଦାସଙ୍କ ସରକାରୀ ଘରକୁ ଯାଇ ତାଙ୍କୁ ଅଭିଯୋଗ ଉପରେ ପଚରାଉଚୁରା କରିଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସାରା ରାଜ୍ୟରୁ ସାମ୍ବାଦିକମାନେ ଘଟଣାର ତୀବ୍ର ନିନ୍ଦା କରିବା ସହ ରଘୁନନ୍ଦନଙ୍କ ଗିରଫ ଦାବି କରିଛନ୍ତି ।
ଆଜି ଭୁବନେଶ୍ୱର ଜୟଦେବ ଭବନ ସାମନାରେ ରାଜଧାନୀର ସାମ୍ବାଦିକମାନେ ମିଳିତ ହୋଇ ଘଟଣାର ପ୍ରତିବାଦ କରିଥିଲେ । ପୁଲିସର ନିଷ୍କ୍ରିୟତାକୁ ସେମାନେ ସମାଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ବୋଲି କହିଛନ୍ତି । ରଘୁନନ୍ଦନ ଦାସ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ସାମ୍ବାଦିକମାନଙ୍କ ପ୍ରତି ତାଙ୍କର ଦାୟିତ୍ୱ ଓ ସଚେତନତା ରହିବା ଦରକାର । ମାତ୍ର ତାଙ୍କଠାରେ ଏହା ଦେଖିବାକୁ ମିଳିନାହିଁ । ଏଭଳି ଲୋକ ସାଧାରଣରେ କ୍ଷମା ପ୍ରାର୍ଥନା କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।
ସେହିଭଳି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି, ଜଣେ ମହିଳା ସାମ୍ବାଦିକଙ୍କ ପ୍ରତି ପୂର୍ବତନ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବ୍ୟବହାର ଗ୍ରହଣୀୟ ନୁହେଁ । ଏ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ମଧ୍ୟ ଦୁର୍ଭାଗ୍ୟଜନକ । ସର୍ବୋପରି ପୂର୍ବ ସରକାର ଭଳି ରାଜ୍ୟର ନୂଆ ସରକାର ଏ ଦିଗରେ ତତ୍ପରତା ପ୍ରକାଶ ନ କରିବା ଆହୁରି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସାମ୍ବାଦିକଙ୍କ ସୁରକ୍ଷା ଓ ସମ୍ମାନ ଉପରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି ।







