ଭୁବନେଶ୍ୱର: ସେବା ଓ ସମର୍ପଣର ଶକ୍ତ ସେତୁ ଓଡ଼ିଶା-ମୋ ପରିବାର ସର୍ବଦା ସାମାଜିକ ଦାୟିତ୍ଵବୋଧକୁ ସୁଚାରୁରୂପେ ତୁଲାଇଆସିଛି । ଯେତେବେଳେ କୌଣସି ଅଚିହ୍ନା,ଅଜଣା ଶବ ଅସହାୟ ଭାବେ ପଡ଼ିଥାଏ, ସେତେବେଳେ ଓଡ଼ିଶା-ମୋ ପରିବାର ତାକୁ ପ୍ରାଧାନ୍ୟ ଦେଇ ସସମ୍ମାନେ ଅନ୍ତିମ ସଂସ୍କାର କରିଥାଏ । ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ, ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ଦୃଷ୍ଟି ଗୋଚର ହେବା ପରେ ସଂଗଠନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।
ଘଟଣାଟି ଏପରି, ବାରଙ୍ଗ ପୁରୁଣା ଷ୍ଟେସନ ନିକଟ ଏକ ଅଧ ନିର୍ମିତ ଘରେ ଜଣେ ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ବାରଙ୍ଗ ବଜାରରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ଏ ନେଇ କେହି ସୁରାକ ପାଇନଥିଲେ। ମୃତଦେହ ବାରଙ୍ଗ, ନନ୍ଦନକାନନ ଓ ରେଳବାଇ ଫାଣ୍ଡି ମଧ୍ୟରେ ସୀମା ବିବାଦ କାରଣରୁ ପାଖାପାଖି ୮ ଘଣ୍ଟା କାଳ ସେମିତି ପଡ଼ିରହିଥିଲା। ସ୍ଥାନୀୟ ପୋଲିସ୍ ସମସ୍ତ ତଦନ୍ତ କରିସାରିବା ପରେ ଏହି ଅଚିହ୍ନା ଶବକୁ ସତ୍କାର ପାଇଁ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ସାମନ୍ତରାୟ ସଙ୍ଗେ ସଙ୍ଗେ ଏହି ବିଷୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କୁ ଅବଗତ କରାଇଥିଲେ । ପରେ ଶ୍ରୀ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ପୋଲିସ୍ ଦ୍ୱାରା ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ନିଜେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।