ଭୁବନେଶ୍ୱର: ଅର୍ଥ ଅଭାବରୁ, ଶେଷକୃତ୍ୟ ନିମନ୍ତେ ଘରକୁ ଫେରିପାରୁନଥିଲା ମୃତଦେହ, ଠିକ୍ ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ଘରକୁ ଫେରିବା ପାଇଁ ଯୋଗାଇଦେଲା ଆମ୍ବୁଲାନ୍ସ ।
ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗରାଜପୁର ଅଞ୍ଚଳର ୬୫ ବର୍ଷୀୟ ଶେଷଦେବ ମହାରଣାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ଶେଷକୃତ୍ୟ ନିମନ୍ତେ ମୃତଦେହ ଘରକୁ ଫେରାଇ ନେବା ପାଇଁ ଅସମର୍ଥ ଥିଲେ ଏବଂ ଅସହାୟ ହୋଇ ସେମାନେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କର ସାହାଯ୍ୟ ଲୋଡିଥିଲେ । ଶ୍ରୀମତି ଅଗ୍ରୱାଲା ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଅବଗତ କରାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ତୋଷ ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କଟକ ବଡ଼ ମେଡ଼ିକାଲରୁ କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର ପାଇଁ ଯାତାୟାତ ବ୍ୟବସ୍ଥା କରିଥିଲେ ।
ଉପଯୁକ୍ତ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ ।