ଭୁବନେଶ୍ୱର: ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ପ୍ରେମ ଓ ବାଚାଳାମି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜନୈକା ବିବାହିତା ମହିଳା ଇନସପେକ୍ଟରଙ୍କ ସହ ପ୍ରେମ ସମ୍ପର୍କରେ ରହି ଏହି ବାବୁ କାଣ୍ଡ କାରଖାନା କରିଛନ୍ତି । ତଥାକଥିତ ପ୍ରେମିକାଙ୍କ ସରକାରୀ ଘରକୁ ମାତାଲ୍ ଅବସ୍ଥାରେ ଯାଇ ତାଙ୍କୁ ବାହା ହେବା ପାଇଁ ଜିଦ୍ ଧରିଥିଲେ । ଇନସପେକ୍ଟରଙ୍କ ସ୍ୱାମୀ ଏହାକୁ ବିରୋଧ କରିବାଙ୍କୁ ସେ ତାଙ୍କୁ ନିର୍ଘାତ ପିଟିଛନ୍ତି । କ୍ୟାପିଟାଲ୍ ଥାନା ଅଧିକାରୀ ସେଠାରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିବା କୁହାଯାଉଛି । ତେବେ ପୁଲିସ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିଲା ବେଳେ ତାହା କିନ୍ତୁ ଜାତୀୟ ମାନବାଧିକାର କମିସନଙ୍କ ପାଖରେ ପହଞ୍ଚି ଯାଇଛି ।
ଘଟଣାଟି ୨୭ ତାରିଖ ରାତିର । କ୍ୟାପିଟାଲ ଥାନା ଅନ୍ତର୍ଗତ କେଶରୀ ନଗରରେ ରହୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ(ଇଓଡବ୍ଲୁ) ଶାଖାରେ କାର୍ଯ୍ୟରତ ଜଣେ ମହିଳା ଇନସପେକ୍ଟରଙ୍କ ସରକାରୀ କ୍ୱାର୍ଟର୍ସରେ ହଠାତ୍ ଯାଇ ପହଞ୍ଚିଥିଲେ ଡିଆଇଜି ପାହ୍ୟାର ସଂପୃକ୍ତ ଆଇପିଏସ୍ ଅଧିକାରୀ । ସେତେବେଳକୁ ୯ଟା ବାଜିଥିଲା । ସମ୍ପୂର୍ଣ୍ଣ ନିଶାଶକ୍ତ ଅବସ୍ଥାରେ ଏହି ବାବୁ ଜଣଙ୍କ ମହିଳା ଇନସପେକ୍ଟରଙ୍କୁ ପ୍ରଥମେ ନିଭୃତରେ ଦେଖା କରିବାକୁ ଚାହିଁଥିଲେ । ଆଉ ତାଙ୍କୁ ବାହା ହେବାକୁ ଜିଦ୍ କରି ସାଙ୍ଗରେ ପଳାଇ ଆସିବାକୁ ବାଧ୍ୟ କରିଥିଲେ ।
ଏହି ସମୟରେ ଇନସପେକ୍ଟରଙ୍କ ସ୍ୱାମୀ ଘରେ ପହଞ୍ଚି ଯାଇଥିଲେ । ସେ କିଛି ବୁଝିବା ପୂର୍ବରୁ ଆଇପିଏସ୍ ବାବୁ ତାଙ୍କୁ ନାଲି ଆଖି ଦେଖାଇ ବାହାରେ ରହିବାକୁ ଇସାରା କରିଥିଲେ । ତେବେ ସବୁ କଥା ଜାଣିଲା ପରେ ଆଇପିଏସ୍ ବାବୁଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା । କଥା ମାରପିଟ୍ କୁ ଯାଇଥିଲା । କ୍ୱାର୍ଟର୍ସ ଭିତରେ ଖଣ୍ଡଯୁଦ୍ଧ ଚାଲିଥିବାର କୌଣସି ସୂତ୍ରରୁ କ୍ୟାପିଟାଲ୍ ଥାନା ପୁଲିସ ଖବର ପାଇଲା ପରେ ତୁରନ୍ତ ସେଠାକୁ ଏକ ପିସିଆର୍ ଭ୍ୟାନ୍ ପଠାଇଥିଲେ । ମାତ୍ର ମାମଲାର ଗମ୍ଭୀରତା ଜାଣିବା ପରେ ନିଜେ ଥାନା ଆଇଆଇସି ଏବଂ ଏସିପି ସେଠାକୁ ଦୌଡ଼ି ଆସିଥିଲେ । ନିଶାଶକ୍ତ ଅବସ୍ଥାରେ ଥିବା ଆଇପିଏସ୍ ବାବୁଙ୍କୁ ବୁଝାଇ ସୁଝାଇ ପରିସ୍ଥିତି ଆୟତ୍ତକୁ ଆଣିଥିଲେ ।
ଆଇପିଏସ୍ ଅଫିସରଙ୍କ ମାଡ଼ରେ ଇନସପେକ୍ଟରଙ୍କ ସ୍ୱାମୀଙ୍କ ମୁହଁ ଫାଟିଯାଇଛି । ପୁଲିସ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରି ଚିକିତ୍ସା କରାଇବା ସହ ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା କୁହାଯାଉଛି ।
ଏକ ପ୍ରମୁଖ ଖବରକାଗଜରେ ଏହି ଖବର ଆସିଥିଲେ ମଧ୍ୟ ସଂପୃକ୍ତ ଆଇପିଏସ୍ ଅଫିସର ଏବଂ ମହିଳା ଇନସପେକ୍ଟରଙ୍କ ନାଁ ଗୋପନ ରଖାଯାଇଥିଲା । ମାତ୍ର ସୂଚନାଧିକାର କର୍ମୀ ଜୟନ୍ତ କୁମାର ଦାସ ଉଭୟଙ୍କ ନାଁ ଖୁଲାସା କରି ଜାତୀୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ସେ ଦର୍ଶାଇଛନ୍ତି ଯେ ଜଣେ ମହିଳା ଇନସପେକ୍ଟର ତାଙ୍କ ନିଜ ଘରେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଯାହା ଭାରତୀୟ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛି । ପୁଲିସ ଏହି ମାମଲାକୁ ଚାପିଦେବା ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟର ଆଉ ଏକ ନମୁନା । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସେପଟେ ଜାତୀୟ ମାନବାଧିକାର କମିସନ ଏହି ଅଭିଯୋଗର ଗୁରୁତ୍ୱ ଅନୁଭବ କରି ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ।
ସୂଚନାଥାଉକି, ୫୦ ବର୍ଷୀୟ ଆଇପିଏସ୍ ବିବାହିତ । ତାଙ୍କର ସ୍ତ୍ରୀ, ପିଲାଛୁଆ ଅଛନ୍ତି । ନିଜର ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି । ଅପରପକ୍ଷରେ ମହିଳା ଇନସପେକ୍ଟର ଜଣଙ୍କ ମଧ୍ୟ ଦୁଇ ସନ୍ତାନର ଜନନୀ । ଉଭୟଙ୍କ ମଧ୍ୟରେ କୁଆଡ଼େ ୫ ବର୍ଷ ହେଲା ଗୋପନ ପ୍ରେମ ଚାଲିଥିଲା ଏବଂ ଇନ୍ସପେକ୍ଟରଙ୍କ ପ୍ରେମରେ ସବୁ ଭୁଲିଯାଇଥିଲେ ଆଇପିଏସ୍ ବାବୁ ।