ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ । ଭାରତ ମହାସାଗର-ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ଏ ପର୍ଯ୍ୟନ୍ତ ଦେଖାଯାଇନି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ହୋଇଥିବା ଆକଳନରେ ଓଡ଼ିଶା ଉପରେ ବାତ୍ୟା ସମ୍ଭାବନା ଦେଖିବାକୁ ମିଳିନି ବୋଲି କହିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ । ତାଙ୍କର କହିବା କଥା, ସାଧାରଣତଃ ମାର୍ଚ୍ଚ ମାସରେ ପାଣିପାଗ ସ୍ଥିତି ବାତ୍ୟା ଅନୁକୂଳ ନୁହେଁ । ବାୟୁମଣ୍ଡଳର ଉପରି ଭାଗରେ ଓଡ଼ିଶା ଆଡକୁ ମୁହାଁଉଥିବା ପବନ ବାତ୍ୟା ପାଇଁ ଅନୁକୂଳ ହୋଇ ନ ଥାଏ ।
ଅନ୍ୟପକ୍ଷରେ ବେସରକାରୀ ପାଣିପାଗ ବିଶେଷଜ୍ଞମାନେ କିନ୍ତୁ ବାତ୍ୟାର ଆକଳନ କରିଛନ୍ତି । ସେମାନଙ୍କ ପୂର୍ବାନୁମାନ ହେଲା, ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମାର୍ଚ୍ଚ ୨୦ ତାରିଖରେ ବାତ୍ୟାର ରୂପ ନେବ । ଏହା ଓଡ଼ିଶା ଉପର ଦେଇ ବାଲାଂଦେଶ ଯିବ । ୨୩ ତାରିଖରେ ଏହା ସ୍ଥଳ ଭାଗ ଛୁଇଁବ । ୨୦୦ କିମି ଦୂର ଦେଇ ଏହା ଅତିକ୍ରମ କରିବାର ଥିବାରୁ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ି ନ ପାରେ । ମାତ୍ର ଓଡ଼ିଶା ଉପକୂଳରେ ବର୍ଷା ହେବ ।