ଭୁୁବନେଶ୍ୱର: କଂଗ୍ରେସର ଯୁବ ବିଧାୟିକା ସୋଫିଆ ଫିର୍ଦୋଷଙ୍କର କିଛି ଟିପ୍ପଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ କଂଗ୍ରେସର ଦିବଙ୍ଗତ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କୁ ସେ ବହୁତ ମନେ ପକାଇଛନ୍ତି । କହିଛନ୍ତି, ଲୁଲୁଙ୍କ ପ୍ରତି ଆମ ମନରେ ବହୁତ ସମ୍ମାନ ଥିଲା ଏବଂ ଆଜି ମଧ୍ୟ ଅଛି । ତାଙ୍କ ନାଁ ଆସିଲେ ମନରେ ଶିହରଣ ଖେଳିଯାଏ । ସେ ଦଳ ପାଇଁ ଯେତିକି କରିଛନ୍ତି, ତାହାକୁ ଭୁଲି ହେବ ନାହିଁ ।
ବିଧାନସଭାରେ ମହିଳା ବାଚସ୍ପତିଙ୍କ ପ୍ରତି କଂଗ୍ରେସ ବିଧାୟକମାନଙ୍କର ଆଚରଣକୁ ବିଜେପିର ଯୁବ ବିଧାୟିକା ଉପାସନା ମହାପାତ୍ରଙ୍କ ସମାଲୋଚନା ପରିପ୍ରେକ୍ଷୀରେ ସୋଫିଆ ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଛନ୍ତି । ସେ କହିଥିଲେ, ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମୋର ସାନ ଭଉଣୀ ଭଳି । ଆମ ମନରେ ଲୁଲୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିବାରୁ ମୁଁ ମୋ ସାନଭଉଣୀକୁ ଜବାବ ଦେବି ନାହିଁ । କିନ୍ତୁ ଏୟା କହିବି ଯେ ବିଜେପି ବାଲା ଆଗ ନିଜ ଚେହେରା ଦେଖନ୍ତୁ ।
ଲୁଲୁଙ୍କ ପ୍ରତି ସୋଫିଆଙ୍କର ଏହି ଭକ୍ତିପୂତ ଟିପ୍ପଣୀ ଲୁଲୁ ସମର୍ଥକମାନଙ୍କୁ କିନ୍ତୁ ଖୁସି କରିନାହିଁ । ଓଲଟି ସେମାନେ ଏହି ମନ୍ତବ୍ୟରେ ଉତକ୍ଷିପ୍ତ ହୋଇଛନ୍ତି । ସୋଫିଆଙ୍କର ମନ୍ତବ୍ୟ କଟା ଘା’ ରେ ଚୂନ ବୋଳିଲା ଭଳି କଥା ବୋଲି ସେମାନେ କଟାକ୍ଷ କରିଛନ୍ତି ।
ସମର୍ଥକମାନଙ୍କ କହିବାନୁଯାୟୀ, ଲୁଲୁ ବାବୁ ତାଙ୍କର ସମଗ୍ର ଜୀବନକାଳ କଂଗ୍ରେସ ପାଇଁ ଉତ୍ସର୍ଗୀକୃତ ରହିଥିଲେ । ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଏକଦା ଓଡ଼ିଶାରେ କଂଗ୍ରେସର ଯୁବ ଓ ଛାତ୍ର ସଂଗଠନ କହିଲେ ଲୁଲୁ ମହାପାତ୍ରଙ୍କୁ ହିଁ ବୁଝାଯାଉଥିଲା । କଂଗ୍ରେସର ଖରାପ ବେଳାରେ ସେ ଥିଲେ ଦଳ ପାଇଁ ସଞ୍ଜିବନୀ । ପଦପଦବୀ ପ୍ରତି ଲାଳାୟିତ ନ ହୋଇ ସଂଗଠନକୁ ଶକ୍ତିଶାଳୀ କରିବା ଥିଲା ତାଙ୍କର ବିଶେଷତ୍ୱ । ବହୁ ଘାତ ପ୍ରତିଘାତ ଏବଂ ସଂଘର୍ଷ ମଧ୍ୟରେ ସେ ନିଜେ ଏବଂ ଦଳ ଗତି କରୁଥିଲେ ମଧ୍ୟ କେବେ ନିଜେ ଭାଙ୍ଗି ପଡ଼ି ନ ଥିଲେ କି ଦଳୀୟ କର୍ମୀଙ୍କ ମନୋବଳ ଭାଙ୍ଗି ନ ଥିଲେ ।
ଏଭଳି ଜଣେ ସଚ୍ଚା ଏବଂ ଦରଦୀ ନେତାଙ୍କୁ କଂଗ୍ରେସ କିନ୍ତୁ ଯେତିକି ନ୍ୟାୟ ଦେବା କଥା ଦେଇନାହିଁ । କ୍ଷମତାଲୋଭୀ ନେତାମାନେ ତାଙ୍କର କାର୍ଯ୍ୟପଥରେ ବାଧକ ହୋଇ ରହିଥିଲେ । ସେ ଉପରକୁ ଉଠିଲା ବେଳେ ଗୋଡ଼ ଟାଣି ଖସାଇ ଦେବାକୁ ଶକ୍ତି ଲଗାଉଥିଲେ । ତାଙ୍କ ପଛପଟୁ ଛୁରୀ ମାଡ଼ ହେଉଥିଲା । ୨୦୧୬ ମସିହା ଆରମ୍ଭରେ ଲୁଲୁଙ୍କ ପ୍ରସ୍ତାବିତ ଯୁବ ଗର୍ଜନ ସମାବେଶକୁ ବନ୍ଦ କରିବା ପଛରେ ଦଳ ଭିତରୁ ରଚାଯାଇଥିବା ଷଡ଼ଯନ୍ତ୍ର ତାଙ୍କୁ ଭୀଷଣ ଆଘାତ ଦେଇଥିଲା । ଏହା ସତ୍ତ୍ୱେ ବି କଂଗ୍ରେସ ପାଇଁ ସଂଗ୍ରାମରୁ ସେ କେବେ ଅଟକି ଯାଇ ନ ଥିଲେ । ବରଂ କଂଗ୍ରେସ ପାଇଁ ଜୀବନ ଦେଇଦେଲେ । ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ତାଙ୍କର ଜୀବନକୁ ଅକାଳରେ ନେଇଗଲା ।
ଲୁଲୁ ବଞ୍ଚିଥିବା ବେଳେ କଂଗ୍ରେସ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନାହିଁ ବୋଲି ସମର୍ଥକମାନେ ଅଭିଯୋଗ କରିଥିବା ବେଳେ ଏବେକାର ଯୁବପୀଢ଼ିଙ୍କ ମୁହଁରେ ଲୁଲୁଙ୍କ ମିଛ ପ୍ରଶଂସା କଟା ଘା’ ରେ ଚୂନ ବୋଳିଲା ଭଳି ଲାଗୁଛି ବୋଲି କହିଛନ୍ତି । ଉପାସନାଙ୍କ ଉଦ୍ଦେଶ୍ୟରେ ସୋଫିଆଙ୍କ ମନ୍ତବ୍ୟକୁ ସେମାନେ ଓଲଟି ତାତ୍ସଲ୍ୟ ଏବଂ ଆକ୍ଷେପମୂଳକ ବୋଲି କହିଛନ୍ତି ।