ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଫାଇଲ୍ ଖୋଲିଛନ୍ତି ମୋହନ ସରକାର । ପୂର୍ବ ସରକାରଙ୍କ ତଦନ୍ତ ଉପରେ ଅନେକ ପ୍ରଶ୍ନ ଉଠିଥିବାରୁ ଏହାର ସାନି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ହିଁ ଏହାର ସାନି ତଦନ୍ତ କରିବ ବୋଲି ସେ କହିଛନ୍ତି । ଏଥିସହ କ୍ରାଇମବ୍ରାଞ୍ଚର ଏକ ଟିମ୍ ଝାରସୁଗୁଡ଼ା ଯାଇ ନବ ଦାସଙ୍କ ପତ୍ନୀ, ପୁଅ ଏବଂ ଝିଅଙ୍କୁ ପଚରାଉଚୁରା କରିଛନ୍ତି । ସେମାନଙ୍କର ବୟାନ ରେକର୍ଡ କରାଯାଇଛି ।
ଏଣେ ନବ ଦାସଙ୍କ ପତ୍ନୀ ମିନତୀ ଦାସଙ୍କୁ ଭେଟିବାକୁ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୧୧ ତାରିଖରେ ଇ-ମେଲ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେ ସମୟ ମାଗିଥିଲେ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି(ବୁଧବାର) ଅପରାହ୍ନ ୫ଟାରେ ଲୋକସେବା ଭବନରେ ତାଙ୍କୁ ଭେଟିବାକୁ ସମୟ ଦେଇଛନ୍ତି ।
ବହୁ ଚର୍ଚ୍ଚିତ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଗୋପାଳ ଦାସ ଗିରଫ ହୋଇଛନ୍ତି । ପ୍ରଥମରୁ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିଲା । ଗୋପାଳ ଦାସ ଏକମାତ୍ର ଅଭିଯୁକ୍ତ ବୋଲି ଦର୍ଶାଇଥିଲା । ତେବେ ପୂର୍ବ ସରକାରଙ୍କ ଦ୍ୱାରା କ୍ରାଇବ୍ରାଞ୍ଚର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ନିଖୋଜ ହୋଇଥିବା ନବ ଦାସଙ୍କ ରକ୍ତ ଭିଜା ସାର୍ଟ ଉପରେ ତଦନ୍ତ ଟିମ୍ ନିରବ ରହିବା ଏବଂ ତଦନ୍ତ ରିପୋର୍ଟରେ ସହଯୋଗୀଙ୍କ ସାର୍ଟ ବଦଳକୁ ନେଇ ପ୍ରଶ୍ନ ଉଠିଥିଲା । ମୋଟାମୋଟି ଭାବେ ପୂର୍ବ କ୍ରାଇମବ୍ରାଞ୍ଚ ତଦନ୍ତରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା ।
ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ପଛରେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ବିଜେପି ପକ୍ଷରୁ ସେତେବେଳେ ବାରମ୍ବାର ଅଭିଯୋଗ ହୋଇଥିଲା । ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବି କରାଯାଇଥିଲା ।
ବିଜେପି ସରକାର ଆସିଲା ପରେ ନବ ଦାସଙ୍କ ପରିବାର ଉପରେ ସିବିଆଇ ତଦନ୍ତ ଦାବି ଚାପ ବଢ଼ିଥିଲା । ସିବିଆଇ ତଦନ୍ତ ପାଇଁ ଲେଖିକି ଦେଲେ ରାଜ୍ୟ ସରକାର ତାହାକୁ ବିଚାର କରିବେ ବୋଲି କୁହାଗଲା ।
ଇତିମଧ୍ୟରେ ନବ ଦାସଙ୍କ ଝିଅ ଦୀପାଳି ତାଙ୍କ ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲା ବେଳେ ପତ୍ନୀ ମିନତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିଲେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ସେ ସିବିଆଇ ତଦନ୍ତ ପାଇଁ ଲିଖିତ ଆକାରରେ ଜଣାଇ ପାରନ୍ତି ।







