ଭୁବନେଶ୍ୱର: ସବୁ ଚର୍ଚ୍ଚାର ଅବସାନ ହୋଇଛି । ବରିଷ୍ଠ କର୍ପୋରେଟର ତଥା ସୁସଂଗଠକ ଅମରେଶ ଜେନା କିମ୍ବା ବିରଞ୍ଜି ନାରାୟଣ ସୁପକାରଙ୍କ ଭାଗରେ ପଡ଼ିଲା ନାହିଁ ଡେପୁଟି ମେୟର ପଦ । ପ୍ରଥମ ଥର କର୍ପୋରେଟର ନିର୍ବାଚିତ ହୋଇଥିବା ୨୭ ବର୍ଷୀୟ ମଞ୍ଜୁଲତା କହଁରଙ୍କୁ ପ୍ରାର୍ଥୀ କରି ବିଜେଡ଼ି ସମସ୍ତଙ୍କୁ ଚକମା ଦେଇଛି । ଅନୁସୂଚିତ ଜନଜାତି(ଏସଟି) ବର୍ଗର ମଞ୍ଜୁଲତା ୨୨ ନମ୍ବର ୱାର୍ଡରୁ ନିର୍ବାଚିତ ହୋଇଛନ୍ତି ।
ଭରତପୁର ବସ୍ତିରେ ରହୁଥିବା ମଞ୍ଜୁଲତା ଜଣେ ଉଚ୍ଚ ଶିକ୍ଷିତା ମହିଳା । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଛନ୍ତି । ତାଙ୍କ ସ୍ୱାମୀ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ । ଫରେଷ୍ଟ ଗାର୍ଡ ଚାକିରି କରିଛନ୍ତି । ରାଜନୀତି ପ୍ରତି ଆଗ୍ରହ ଥିବା ମଞ୍ଜୁଲତା ବିଜେଡ଼ିରୁ ଟିକେଟ ପାଇ ପ୍ରଥମ ଥର ପାଇଁ କର୍ପୋରେଟର ନିର୍ବାଚନ ଲଢ଼ିଥିଲେ । ବିଜେପିର ସୁମିତ୍ରା ନାୟକଙ୍କୁ ସେ ୪୭୬ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।
ବିଜେଡ଼ି ପ୍ରାର୍ଥୀ ଘୋଷଣା କଲା ପରେ ମଞ୍ଜୁଲତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ନିର୍ଦ୍ଦଦ୍ୱରେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି ।
ଏଥିସହ ଭୁବନେଶ୍ୱର ଡେପୁଟି ମେୟର ପଦ ପୁଣି ଥରେ ମହିଳାଙ୍କ ପାଖକୁ ଯାଇଛି । ପୂର୍ବରୁ ଉର୍ମିଳା ମହାପାତ୍ର, ଭାରତୀ ସିଂ ଏବଂ କେ. ଶାନ୍ତି ଡେପୁଟି ମେୟର ଥିଲେ । ଏଥର ଭୁବନେଶ୍ୱର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା ଏବଂ ସୁଲୋଚନା ଦାସ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହି ଦୃଷ୍ଟିରେ ଡେପୁଟି ମେୟର ପଦବୀ ପୁରୁଷଙ୍କ ଭାଗରେ ପଡ଼ିବା ଜଣାପଡୁଥିଲା । ତେବେ କଟକ ଭଳି ଭୁବନେଶ୍ୱରରେ ମଧ୍ୟ ଏସଟି ବର୍ଗର ଜଣେ ନବାଗତ ମହିଳାଙ୍କୁ ଡେପୁଟି ମେୟର କରି ବିଜେଡ଼ି ଗୋଷ୍ଠୀ କନ୍ଦଳ ଏଡାଇବାକୁ ଚେଷ୍ଟା କରିଥିବା ଆଲୋଚନା ହେଉଛି ।