ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ପିସିସି ସଦସ୍ୟ ଥିବା ମନ୍ମଥଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଛି । ପିସିସି ଶୃଙ୍ଖଳାଗତ କମିଟି କମିଟି ଅଧ୍ୟକ୍ଷ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଦସ୍ତଖତରେ ଏହି ନିଲମ୍ବନ ନୋଟିସ୍ ଜାରି ହୋଇଛି । ବଡ଼କଥା ହେଲା, କଂଗ୍ରେସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ମନ୍ମଥ ଖୁସି ହୋଇଛନ୍ତି । ବାପାଙ୍କ ତାଗିଦ୍ ପରେ ତାଙ୍କ ମନରେ ଆସିଥିବା ଦ୍ୱନ୍ଦ ଦୂର ହୋଇଗଲା ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
ବୁଧବାର ଦିନ ମନ୍ମଥ ଅଚାନକ ଗଣମାଧ୍ୟମକୁ ଡାକି ଜଟଣୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ନ ଲଢ଼ିବାକୁ ତାଙ୍କର ନିଷ୍ପତ୍ତି ଘୋଷଣା କରିଥିଲେ । ବିଜେଡି ଏବଂ ବିଜେପି ସହିତ ସୁସମ୍ପର୍କ ଥିବା ଜଣାଇବା ସହ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ଅକ୍ଟୋବର ପୂର୍ବରୁ ସ୍ପଷ୍ଟ କରିବେ ବୋଲି କହିଥିଲେ । ତେବେ ମନ୍ମଥଙ୍କ ଏହି ନିଷ୍ପତ୍ତିକୁ ତାଙ୍କ ବାପା ସୁର ରାଉତରାୟ ବିରୋଧ କରି ଗତକାଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ । ପୁଅ କଂଗ୍ରେସରୁ ଅଲବତ ନିର୍ବାଚନ ଲଢ଼ିବ ବୋଲି ସେ କହିଥିଲେ । ଏ ସଂକ୍ରାନ୍ତରେ ସେ ପୁଅକୁ ବୁଝାଇଛନ୍ତି ବୋଲି ମଧ୍ୟ ଜଣାଇଥିଲେ ।
ଇତିମଧ୍ୟରେ ପିସିସି ଶୃଙ୍ଖଳା କମିଟି ପକ୍ଷରୁ ଗତକାଲି ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସ ସହ ସମ୍ପର୍କ ନ ଥିବା କହିବା ଏବଂ ଏବଂ ବିଜେଡି ଓ ବିଜେପି ସପକ୍ଷରେ ଦେଇଥିବା ବୟାନର ଜବାବ ମଗାଯାଇଥିଲା । ମାତ୍ର ମନ୍ମଥ ଏହି କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେଇ ନ ଥିଲେ । ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି ବୋଲି ତାଙ୍କୁ ଦିଆଯାଇଥିବା ନିଲମ୍ବନ ଚିଠିରେ କୁହାଯାଇଛି ।
ଅନ୍ୟପକ୍ଷରେ ମନ୍ମଥ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବିସ୍ମିତ ହେବା ସହ ନିଜର ଖୁସି ଜାହିର କରିଛନ୍ତି । ସେ ପିସିସି ସଦସ୍ୟ ଥିବା ଜାଣନ୍ତି ନାହିଁ ବୋଲି ଏବଂ କିଏ ତାଙ୍କୁ ପିସିସି ସଦସ୍ୟ କରିଥିଲେ ବୋଲି ଓଲଟି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଯାହା ହେଲା ଭଲ ହେଲା । ବାପାଙ୍କ ତାଗିଦ୍ ପରେ ସେ କ’ଣ କରିବେ ନ କରିବେ ଚିନ୍ତାରେ ଥିଲେ । ମାତ୍ର ଏବେ ତାଙ୍କ ରାସ୍ତା ସଫା ହୋଇଗଲା । ଜଟଣୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାର ଆଉ ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।








