ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିପାଇଁ ଉପସ୍ଥିତ ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଜୋସ୍ ଦେଖିବାକୁ ମିଳିଥିଲା । ନୂଆ ସଭାପତି ତାଙ୍କ ଭାଷଣରେ ସମସ୍ତେ ଏକାଠି ହୋଇ ବିଜେଡି ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି । ଶୋଇବୁନୁ କି ଶୁଆଇ ଦେବୁନୁ ବୋଲି ନୂଆ ସଭାପତି ନବୀନ ପଟ୍ଟନାୟକଙ୍କୁ ଚାଲେଂଜ ଦେଇଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ମନମୋହନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀଙ୍କ ସହ ବିଦାୟୀ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର, ସମସ୍ତ ସାଂସଦ ଏବଂ ବିଧାୟକ ଉପସ୍ଥିତ ଥିଲେ । ମନମୋହନଙ୍କ ନେତୃତ୍ୱରେ ନବୀନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସମସ୍ତେ ରଣହୁଙ୍କାର ଦେଇଥିଲେ ।
ସମ୍ବର୍ଦ୍ଧନାର ଉତ୍ତରରେ ମନମୋହନ ଦଳୀୟ ନେତା ଓ କର୍ମୀଙ୍କୁ ବିଜୟର ମନ୍ତ୍ର ଦେଇଥିଲେ । ସେ କହିଥିଲେ, ସମସ୍ତେ ମିଳିମିଶି ଲଢ଼ିବା । ୨୦୦୦ରେ କଂଗ୍ରେସ ହଟାଇବା ଶପଥ ନେଇଥିଲେ, ଏବେ ବିଜେଡି ହଟାଇବା । ମୁଁ ରାତିରାତି, ଦିନ ଦିନ ବସିବି । ଯାହା ସମସ୍ୟା ଅଛି ଦୂର କରିବି । ବିଜେଡିକୁ ଗାଦିଚ୍ୟୁତ କରିବା ପାଇଁ ସମସ୍ତେ ଏକାଠି କାମ କରିବା ।
ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇ ମନମୋହନ କହିଥିଲେ, ନିର୍ବାଚନ ପର୍ଯ୍ୟନ୍ତ ପରିବାରକୁ ଦାୟିତ୍ୱ ଦେଇ ଘରଦ୍ୱାର ଛାଡ଼ନ୍ତୁ । ନିର୍ବାଚନ ସରିଲେ ଫେରିବା । ନିଜ ଭିତରେ ଯେଉଁ ଶକ୍ତି ଅଛି ବିଜେଡି ବିରୋଧରେ ଲଗାଇବା । ସାଧାରଣ ଲୋକ ଏଥର ନିର୍ବାଚନ ଲଢ଼ିବେ । ଐତିହାସିକ ନିର୍ବାଚନ ହେବ । ଆଜିଠୁ ଶୋଇବାନି କି କାହାକୁ ଶୋଇବାକୁ ଦେବା ନାହିଁ ।
ଭୁବନେଶ୍ୱରର ରାଜ୍ୟ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଆଜି ମନମୋହନ ଭଦ୍ରକରୁ ଆସିବା ବାଟରେ ତାଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀମାନେ ସମ୍ବର୍ଦ୍ଧନା ଜଣାଇଥିଲେ । ଭୁବନେଶ୍ୱରରେ ତାଙ୍କୁ ସମ୍ବର୍ଦ୍ଧନା ଏବଂ ବକ୍ତବ୍ୟ ଦଳୀୟ ମାହୋଲକୁ ଚଳଚଞ୍ଚଳ କରିଛି । ସଭା ପରେ ଦଳୀୟ କାର୍ଯ୍ୟାଳୟରେ ନୂଆ ସଭାପତି ଦାୟିତ୍ୱ ଗ୍ରହଣ କରିବା ସହ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାର ବିମର୍ଷ କରିଥିଲେ । ସାମଗ୍ରିକ ଭାବେ ମନମୋହନଙ୍କୁ ନେଇ ଦଳୀୟ ଶିବିରରେ ଉତ୍ସୁକତା ଦେଖିବାକୁ ମିଳିଛି ।
ମନମୋହନଙ୍କୁ ରାଜ୍ୟ ବିଜେପିର ମଙ୍ଗୁଆଳ ଦାୟିତ୍ୱ ମିଳିବା ପରେ ଦଳୀୟ ରାଜନୀତିରେ ମଧ୍ୟ ଭିନ୍ନ ଅଧ୍ୟାୟ ଦେଖିବାକୁ ମିଳିଛି । ଦୀର୍ଘ ପ୍ରାୟ ଏକ ଦଶନ୍ଧୀ ଧରି ରାଜ୍ୟ ବିଜେପିକୁ ଧର୍ମେନ୍ଦ୍ର ପ୍ରଧାନ ନିୟନ୍ତ୍ରଣ କରୁଥିଲା ବେଳେ ଏବେ ସେଥିରେ ଭିନ୍ନତା ସୃଷ୍ଟି ହୋଇଛି । ଆଜି ମନମୋହନଙ୍କ ପାଇଁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଧର୍ମେନ୍ଦ୍ର ଉପସ୍ଥିତ ନ ଥିଲେ । ତେବେ ଦଳର ସବୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନମୋହନ ତାଙ୍କ ଭାଷଣରେ ଧର୍ମେନ୍ଦ୍ରଙ୍କ ନାଁ ନେଇ ପ୍ରଂଶସା କରିଥିଲେ ମଧ୍ୟ ଅନ୍ୟ କାହାରି ମୁହଁରୁ ତାଙ୍କ ନାଁ ଶୁଣିବାକୁ ମିଳି ନ ଥିଲା । ଲାଗୁଥିଲା, ରାଜ୍ୟର ପରିବର୍ତ୍ତିତ ଦଳୀୟ ରାଜନୀତିରେ ଧର୍ମେନ୍ଦ୍ର ସତେ ଯେମିତି ଗୁରୁତ୍ୱ ହରାଇଛନ୍ତି । ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ଭାଷଣରୁ ଏହାର ସଙ୍କେତ ମଧ୍ୟ ମିଳିଥିଲା । ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲେ ମଧ୍ୟ ଏଥିରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।