ଭୁବନେଶ୍ୱର: ଯାଜପୁର ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଟୀଙ୍କୁ ବଦଳି କରିବାକୁ ଏକ ପ୍ରଭାବଶାଳୀ ଗୋଷ୍ଠୀ ଚକ୍ରାନ୍ତ ଚଳାଇଛନ୍ତି । କାରଣ ହେଉଛି- ବେଆଇନ ଖଣି କାରବାରକୁ ଆହୁରି ଅବାଧ କରିବା ପାଇଁ ଜିଲ୍ଲାପାଳଙ୍କ ସହଯୋଗ ଆଶାନୁରୂପକ ହୋଇପାରୁନାହିଁ । ମନ ପସନ୍ଦର ଜିଲ୍ଲାପାଳ ଆସିଲେ କାମ ଆଗେଇ ଚାଲିବ । କେହି ବାଧା ଦେଇପାରିବେ ନାହିଁ ।
ଯାଜପୁର ଜିଲ୍ଲା ବିଶେଷ କରି ଧର୍ମଶାଳା ଅଞ୍ଚଳରେ ବେଧଡ଼କ ବେଆଇନ ଖଣି କାରବାରର ପୃଷ୍ଠପୋଷକତା କରୁଥିବା ଏକ ପ୍ରଭାବଶାଳୀ ଗୋଷ୍ଠୀଙ୍କ ଏଭଳି ଚକ୍ରାନ୍ତକୁ ନେଇ ଏବେ ଜିଲ୍ଲା ତମାମ ଚର୍ଚ୍ଚା । ବର୍ତ୍ତମାନର ଜିଲ୍ଲାପାଳଙ୍କ ଆଭିମୁଖ୍ୟ ସେଭଳି କଠୋର ନ ଥିଲେ ମଧ୍ୟ ମାଫିଆଙ୍କୁ କିନ୍ତୁ ପସନ୍ଦ ହେଉନାହିଁ । ସେମାନେ ଲମ୍ବା ଯୋଜନାରେ ଥିବାରୁ କାରବାରକୁ ସୁହାଇଲା ଭଳି ଜିଲ୍ଲାପାଳ ଚାହୁଁଛନ୍ତି ।
ଜିଲ୍ଲା ପ୍ରଶାସନକୁ କରାୟତ୍ତ ଅଭିଯାନର ପ୍ରଥମ ପରୀକ୍ଷାରେ ମାଫିଆମାନେ ସଫଳ ହୋଇଥିବା ଛାତି ଫୁଲେଇ ପ୍ରଚାର କରୁଛନ୍ତି । ବୋଲ୍ ନ ମାନିବା କାରଣରୁ କିଛି ମାସ ତଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନେ ବଦଳି କରିବାରେ ସମର୍ଥ ହୋଇଛନ୍ତି । ପରବର୍ତ୍ତୀ ଯୋଜନା ରହିଛି ଖୋଦ୍ ଜିଲ୍ଲା ପ୍ରଶାସନର ମୁଖିଆଙ୍କୁ ବଦଳେଇବା ।
ବେଆଇନ ଖଣି କାରବାର ଏବଂ ମାଫିଆ ରାଜ୍ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଠୋର ଆଭିମୁଖ୍ୟ ରଖିଥିବା ବେଳେ ଯାଜପୁର ଜିଲ୍ଲାରେ ଖଣି ମାଫିଆଙ୍କ ପୃଷ୍ଠପୋଷକତା କରୁଥିବା ପ୍ରଭାବଶାଳୀ ନେତାଙ୍କ ଚକ୍ରାନ୍ତ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଖଣି ମାଫିଆଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇ ଦାୟିତ୍ୱ ସମ୍ଭାଳିଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିରବତା ମଧ୍ୟ ସମସ୍ତଙ୍କୁ ଆଚମ୍ବିତ କରୁଛି ।
ଜିଲ୍ଲାରେ ମାଫିଆ ରାଜ୍ ସମ୍ପର୍କରେ ଅଞ୍ଚଳର ବୁଦ୍ଧୀଜୀବୀମାନେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଉଥିବା ଜଣାପଡ଼ିଛି ।







