ଭୁବନେଶ୍ୱର: ଭୟଙ୍କର ଅବସ୍ଥା । ପୁଣି ନାବାଳିକା ଗ୍ୟାଙ୍ଗରେପ୍…ମର୍ଡର । ଗତକାଲି ଭଦ୍ରକ ଚାନ୍ଦବାଲିରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ୧୦ ବର୍ଷର ଏହି ନିଷ୍ପାପ ଝିଅ ସହ ଦୁର୍ବୃତ୍ତ ଜଘନ୍ୟ କାଣ୍ଡ ଘଟାଇବା ପରେ ଶବକୁ ରାସ୍ତାରେ ଫିଙ୍ଗିଦେଇଥିଲା । ଏହି ବର୍ବର ଓ ନାରକୀୟ କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ଆଜି ସକାଳେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲେ ମଧ୍ୟ ଜନସାଧାରଣଙ୍କ ପ୍ରତିକ୍ରିୟା ଆକ୍ରୋଶର ରୂପ ନେଇଛି । ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ରାକ୍ଷସର ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ତା’ ଗାଁରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଚାନ୍ଦବାଲି-ଆଖଣ୍ଡଳମଣି ମୁଖ୍ୟ ରାସ୍ତାରେ ଟାୟାର ଜାଳି ବସିଛନ୍ତି । ସମଗ୍ର ଭଦ୍ରକ ଜିଲ୍ଲାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।
ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀର କୁନି ଝିଅଟି ଗତକାଲି ଅପରାହ୍ନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲା । ଘରଲୋକେ ଖୋଜାଖୋଜି କରି ପାଇ ନ ଥିଲେ । ତେବେ ସଂଧ୍ୟାବେଳେ ପିଲାଟିର ମୃତଦେହ ଚାନ୍ଦବାଲି ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ ଅଫିସ୍ ଆଗ ଏକ ନିଛାଟିଆ ଜାଗାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସେଇ ପିଲାଟିକୁ କେହି ଦୁଷ୍କର୍ମ କରିବା ପରେ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ଲୋକେ ସନ୍ଦେହ କରିଥିଲେ । ଏହି ସନ୍ଦେହ ସତ୍ୟ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।
ଗତକାଲି ଏହି ଘଟଣା ପ୍ରଚାରିତ ହେବା ପରଠୁ ସ୍ଥାନୀୟ ଅଞ୍ଚଳରେ ଲୋକେ ତାତି ନିଆଁ ହୋଇଛନ୍ତି । ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି । ପୁଲିସ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରି ବିଫଳ ହୋଇଛି । ଫେରାର ଅଭିଯୁକ୍ତକୁ ଆଜି ସକାଳେ ପୁଲିସ ତା’ ଶ୍ୱଶୁର ଘରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଲୋକଙ୍କର କ୍ରୋଧ ଥମିନାହିଁ । ଅଭିଯୁକ୍ତର ଘରକୁ ମାଟିରେ ମିଶାଇ ଦେଇଛନ୍ତି । ସେଠାରେ ପ୍ରବଳ ଉତ୍ତେଜନା ଲାଗି ରହିଛି ।
ନିକଟରେ ଖୋଦ୍ ରାଜଧାନୀରେ ଲଗାତର ଦୁଇଟି ଘଟଣାରେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ରାଜ୍ୟରେ ଦୁଷ୍କର୍ମ ଘଟଣା ସାଧାରଣ ହୋଇଗଲାଣି । ଚାନ୍ଦବାଲି ଘଟଣାଠାରୁ ଅତି ଜଘନ୍ୟ, ନୃଶଂସ, ବର୍ବର ଓ ଅମାନବୀୟ କାଣ୍ଡ ବୋଧେ ଆଉ କିଛି ହୋଇ ନ ପାରେ । ମାତ୍ର ଦୁର୍ଭାଗ୍ୟ ଯେ ରାଜଧାନୀରେ ବସିଥିବା ସରକାର କି ବିରୋଧୀ ଦଳରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିନି । ମୁଖ୍ୟମନ୍ତ୍ରୀ କି ବିରୋଧୀ ଦଳ ନେତାଙ୍କ ସୋସିଆଲ୍ ମିଡିଆ ହାଣ୍ଡଲରୁ ଘଟଣାକୁ ନିନ୍ଦା କରି ଏ ଯାଏଁ ଟୁଇଟ୍ ଗୋଟେ ଆସିନାହିଁ । ବିଜେଡି କି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମଧ୍ୟ ନାହିଁ ।
ସେହିଭଳି ମୁଖ୍ୟସ୍ରୋତରେ ଥିବା ଏକ ନମ୍ବର ଦୁଇ ନମ୍ବର ଗଣମାଧ୍ୟମରେ ଏହି ଖବରର ଆଖିଦୃଶିଆ କଭରେଜ୍ ନାହିଁ । ଏକ ନମ୍ବର ଟିଭି ଚାନେଲ ସଂସ୍ଥାର ଟୁଇଟର(ଏକ୍ସ) ହାଣ୍ଡଲରେ ଏହି ନାରକୀୟ କାଣ୍ଡ ସ୍ଥାନ ପାଇନାହିଁ । ସେଥିରେ ଏକ ବିଲେଇ ହତ୍ୟାକାରୀକୁ ଖୋଜାଚାଲିଛି । ସେହି ପୋଷ୍ଟରେ କୁହାଯାଇଛି- ମରିଗଲା ମାନବିକତା ବଳି ପଡ଼ିଲା ବିଲେଇ । ସତେ ଯେମିତି ବିଲେଇ ମୃତ୍ୟୁ ଓ ଶ୍ରୀମୟୀ ମିଶ୍ରଙ୍କ ଟୁଇଟ୍ ଆଗରେ ଚାନ୍ଦବାଲି ଜଘନ୍ୟ ଘଟଣା ଗୁରୁତ୍ୱହୀନ!
ସତରେ କି ଦୁର୍ଭାଗ୍ୟ ଆମ ଓଡ଼ିଶାବାସୀଙ୍କର!!
Continue Reading







