ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ପାଳନ ହେଉଛି ଦୁର୍ନୀତି ନିବାରଣ ସପ୍ତାହ । ଲୋକସେବା ଭବନ କନଭେନସନ୍ ହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବାରେ ୧୪୦ ଦିନ ହୋଇଛି । ଏହି ସମୟରେ ବହୁ ଦୁର୍ନୀତିଖୋର ଅଧିକାରୀ ବନ୍ଧା ହେଲେଣି । ଯେଉଁମାନେ ବନ୍ଧା ହୋଇନାହାନ୍ତି ସେମାନଙ୍କ ଛାତିରେ ଛନକା ପଶିଛି । ସରକାର କେତେବେଳେ ବି ସେମାନଙ୍କୁ ବାନ୍ଧିପାରେ । ଏବେ କେବଳ ଟ୍ରେଲର ଚାଲିଛି । ଆଗକୁ ପୂରା ଫିଲ୍ମ ଦେଖିବାର ବାକି ଅଛି । ଉପସ୍ଥିତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ମୋ ମୁହଁରୁ ବାହାରୁଥିବା କଥାକୁ ହେୟଜ୍ଞାନ କରିବା ଉଚିତ୍ ନୁହେଁ । ପୂରା ଫିଲ୍ମ ଶେଷ ଯାଏ ଅପେକ୍ଷା କରନ୍ତୁ ।
ମୁଖ୍ୟମନ୍ତ୍ରୀଙ୍କର ଏହି ଭାଷଣରୁ ତାଙ୍କୁ କିଛି ଅଧିକାରୀ ଯେ ହେୟଜ୍ଞାନ କରୁଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କହୁ କହୁ ଏମିତି କହିଦେଲେ ନା ୪ ମାସର ଅନୁଭୂତିରୁ କହିଲେ ତାହା ଜଣାପଡୁନାହିଁ । ତେବେ ରାଜ୍ୟ ଶାସନ ମୁଖ୍ୟଙ୍କର ଏହି ଅସହାୟତା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଏହାକୁ କଟାକ୍ଷ କରିଛି ।







