ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ । ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ସାଧାରଣ ଜନତାଙ୍କ ଭାବାବେଗ ଓ ଉତ୍ସାହ ଏହାକୁ ପ୍ରମାଣିତ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତ ରେ ଆସିଛନ୍ତି। ପ୍ରଥମେ ଘଟଗାଁ ଠାରେ ମା ତାରିଣୀ ଙ୍କ ଆଶିର୍ବାଦ କାର୍ଯ୍ୟକ୍ରମ ରହିଥିଲା। ଘଟଗାଁ ହାଇସ୍କୁଲ ପଡିଆରେ ବୁଲି ବୁଲି ଲୋକଙ୍କ ସହ ମିଶିଥିଲେ ।ସେଠାରୁ ଜନସାଧାରଣ ଏକ ବିଶାଳ ରୋଡ ସୋ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ଜନତା ଫୁଲ ପକାଇ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାକୁ ସ୍ୱାଗତ କରିଥଲେ। ଗାଡି ଆଗରେ ଏବଂ ପଛରେ ଚାଲିଥିଲେ ହଜାର ହଜାର ଜନତା । ମୋହନ ମାଝୀ ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହେଉଥିଲା ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ।
ସାଧାରଣ ଲୋକଙ୍କ ଭାବାବେଗ ଓ ଉତ୍ସାହ ପ୍ରମାଣିତ କରୁଥିଲା ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମା ତାରିଣୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ମା’ଙ୍କ ଆଶିର୍ବାଦ ନେଇଥିଲେ । ମନ୍ଦିର ପରିସରରେ ସମାଜ ସେବୀ ଭୀମସେନ ରାଉତ ଓ ରାଜା ଗୋବିନ୍ଦ ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମନ୍ଦିର ବାହାରେ ଏକ ସାଧାରଣ ଲୋକ ପରି ନଡ଼ିଆ କୋରା, ମା ଙ୍କ ଫଟୋ ଓ ଭୋଗ ସାମଗ୍ରୀ ନିଜେ ପଇସା ଦେଇ କିଣିଥିଲେ। ଦୋକାନୀ ଅଧିର ଦାସଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ । ଅଧିର ଦାସ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଏବଂ କହିଥିଲେ ମୋ ଭଳି ଗୋଟେ ସାଧାରଣ ଲୋକ ଓ ଏକ ସାଧାରଣ ଦୋକାନକୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ମୁଁ କେବେ କଳ୍ପନା କରି ନଥିଲି ।
ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏତେ ସାଧାରଣ ଭାବରେ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥାଏ। ରୋଡ ସୋ ରେ ଏବଂ ମନ୍ଦିର ପାଖରେ ଲୋକଙ୍କ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରୁଥାନ୍ତି ମୁଖ୍ୟମନ୍ତ୍ରୀ।
ମା’ଙ୍କ ଦର୍ଶନ ସାରି ଫେରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶୁନଥିଲେ, ମୁଁ ଗୋଟେ ସାଧାରଣ ଗରିବ ଘରୁ ଆସିଛି, ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛି ତେଣୁ ଗରିବଙ୍କୁ ଚିହ୍ନିବା ଓ ଗରିବର ସମସ୍ୟା ଜାଣିବାରେ ମୋର ଅସୁବିଧା ନାହିଁ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ଵତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦିଆଯିବା ସହିତ ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଏବେ ମା’ ଙ୍କ ମନ୍ଦିର ବିକାଶ ପାଇଁ ୫୦ କୋଟି ଟଙ୍କାର କାମ ଚାଲିଛି। ଏହା ପର୍ଯ୍ୟାପ୍ତ ନୁହେଁ, ମା’ ଙ୍କ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଆଉ ୫୦ କୋଟିର ଅନୁଦାନ ଘୋଷଣା କରିଥଲେ। ଏବେ ୧୦୦ କୋଟି ଟଙ୍କାରେ ମା’ ଙ୍କ ମନ୍ଦିର ବିକାଶ କାମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ଆହୁରି ମଧ୍ୟ କହିଲେ ଯେ, ଖଣି ଖାଦାନ, ବୈତରଣୀ ଓ ମା ତାରିଣୀ ଙ୍କ ଆଶିର୍ବାଦ କେନ୍ଦୁଝରକୁ ସମୃଦ୍ଧ କରିଛି। ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ପ୍ରଚେଷ୍ଟା ରେ କେନ୍ଦୁଝର ହେବ ସୁନାର କେନ୍ଦୁଝର ।