ଭୁବନେଶ୍ୱର: ଓଡ଼ିଶାରେ ବିଜେପି ରାଜ୍ ସହ ଡବଲ୍ ଇଞ୍ଜିନ୍ ସରକାର ଆରମ୍ଭ ହୋଇଛି । ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆଜି ଶପଥ ଗ୍ରହଣ କରିଛନ୍ତି । ଖଚାଖଚ ଜନତା ମଇଦାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଏହି ଶପଥ ସମାରୋହ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ୮ ଜଣ କ୍ୟାବିନେଟ୍ ପାହ୍ୟା ଏବଂ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ପାହ୍ୟାର ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ମୋହନ ମାଝୀଙ୍କ ସରକାରର କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ- ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଡ. ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଏବଂ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ହେଲେ- ଗଣେଶ ରାମ ସିଂହଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶପଥ ଗ୍ରହଣ ସମାରୋହ ସ୍ଥଳରେ ଅପରାହ୍ନ ୫.୧୦ରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ ସମାରୋହ । ଏହା ଅଧଘଣ୍ଟା ଧରି ଚାଲିଥିଲା । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ୍ ଓରାମଙ୍କ ସମେତ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ ।