ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ପ୍ରଥମ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ । ସେଠାରେ ତାଙ୍କ ମନରେ ପରାଜୟର ଗ୍ଲାନି ନ ଥିଲା । ବରଂ ବେଶ୍ ଫୂର୍ତ୍ତି ଓ ଆନନ୍ଦର ସହ ଶପଥ ଗ୍ରହଣ ଉତ୍ସବକୁ ଉପଭୋଗ କରିଥିଲେ ।
ନବୀନ ବାବୁଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଆମନ୍ତ୍ରଣ କରିବାର ସୌଜନ୍ୟତା ଭୁଲି ନ ଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଦ୍ୱିପ୍ରହରେ ସେ ନିଜେ ନବୀନ ବାବୁଙ୍କୁ ଉତ୍ସବକୁ ନିମନ୍ତ୍ରଣ କରିବାକୁ ନବୀନ ନିବାସ ଯାଇଥିଲେ । ନବୀନ ବାବୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ନିଜର ଖୁସି ପ୍ରକଟ କରିଥିଲେ ଏବଂ ସାଦରରେ ତାଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଥିଲେ । ଆଉ ନିର୍ଦ୍ଧାରିତ ସମୟରେ ଶପଥ ମଞ୍ଚରେ ପହଞ୍ଚି ଯାଇଥିଲେ ।
ନବୀନ ବାବୁ ସେଠାରେ ପହଞ୍ଚିବା ମାତ୍ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଆସନରୁ ଉଠି ଆସି ତାଙ୍କୁ ତାଙ୍କୁ ପ୍ରଣାମ କରିଥିଲେ । ଏବଂ ତାଙ୍କ ପାଖରେ ଥିବା ଉଦ୍ଦିଷ୍ଟ ଆସନ ପାଖକୁ ପାଛୋଟି ଆଣିଥିଲେ । ସେତିକିବେଳେ ଅମିତ୍ ଶାହ ତାଙ୍କୁ ଭେଟି ସମ୍ମାନ ଜଣାଇବା ସହ କିଛି ସମୟ କଥା ହୋଇଥିଲେ । ଜେପି ନଡ୍ଡା ମଧ୍ୟ ତାଙ୍କୁ ସ୍ୱାଗତ ସମ୍ମାନ କରିଥିଲେ । ସେଠାରେ ଉପସ୍ଥିତ ଅନ୍ୟ କେନ୍ଦ୍ରୀୟ ନେତା ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନବୀନ ପଟ୍ଟନାୟକଙ୍କୁ ବେଶ୍ ସମ୍ମାନ ଜଣାଇଥିଲେ । ନବୀନ ବାବୁ ବି ଜଣ ଜଣ କରି ସମସ୍ତଙ୍କୁ ପାଲଟା ସମ୍ମାନ ଜଣାଇବା ସହ ଖୁସି ମିଜାଜରେ କଥା ହେଉଥିବା ଦେଖିବାକୁ ମିଳିଥିଲା ।
ଶପଥ ଗ୍ରହଣ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନବୀନ ବାବୁଙ୍କ ପାଖକୁ ଯାଇ କିଛି ସମୟ ଅଟକି ଯାଇଥିଲେ । ଉଭୟଙ୍କ ମଧ୍ୟରେ କିଛି ମନଖୋଲା କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା । ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ । ଗଣତାନ୍ତ୍ରିକ ପରମ୍ପରାର ଏହି ମନୋହର ଦୃଶ୍ୟ ଆଜି ଦେଖଣାହାରୀଙ୍କ ମନ କିଣି ନେଇଥିଲା ।






