ଭୁବନେଶ୍ୱର: ସବୁ ଉତ୍କଣ୍ଠା, ପ୍ରତୀକ୍ଷା ଓ କଳ୍ପନାଜଳ୍ପନାର ଅବସାନ । ଟାଣୁଆ ଆଦିବାସୀ ନେତା ମୋହନ ଚରଣ ମାଝୀ ହେବେ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ବିଧାନସଭା ଆସନରୁ ଚାରି ଥରର ବିଧାୟକ ଶ୍ରୀ ମାଝୀ ଓଡ଼ିଶାରେ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେେବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ସର୍ବସମ୍ମତ ନେତା ନିର୍ବାଚିତ କରାଯାଇଛି । ଦଳର ବରିଷ୍ଠ ନେତା ତଥା ପାଟଣାଗଡ଼ରୁ ୬ ଥର ନିର୍ବାଚିତ ହୋଇଥିବା କନକ ବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ାରୁ ପ୍ରଥମ ଥର ବିଧାୟକ ହୋଇଥିବା ପ୍ରଭାତୀ ପରିଡ଼ାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି ।
୫୨ ବର୍ଷ ବୟସ୍କ ମୋହନ ମାଝୀ ଅତି ସାଧାରଣ ପରିବାରରୁ ଆସିଛନ୍ତି । କେନ୍ଦୁଝର ଜିଲ୍ଲା ରାଇକଳା ଗାଁରେ ତାଙ୍କର ଜନ୍ମ । ଛାତ୍ର ଜୀବନରୁ ଆରଏସଏସ ନୀତି ଆଦର୍ଶରେ ଅନୁପ୍ରାଣିତ ମୋହନ ପାଠପଢ଼ା ସାରିଲା ପରେ ସରସ୍ୱତୀ ଶିଶୁମନ୍ଦିରରେ ଶିକ୍ଷକତା କରିଥିଲେ । ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ପାଦ ଦେଇ ୧୯୯୭ ମସିହାରେ ସରପଞ୍ଚ ହୋଇଥିଲେ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ କେନ୍ଦୁଝର ଆସନରୁ ସେ ବିଜେପି ଟିକେଟ୍ ରେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ । ୨୦୦୪ରେ ମଧ୍ୟ ବିଧାୟକ ହୋଇଥିଲେ । ୨୦୦୫ରୁ ୨୦୦୯ ପର୍ଯ୍ୟନ୍ତ ସେ ମେଣ୍ଟ ସରକାରରେ ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ । ୨୦୧୯ ରେ ତୃତୀୟ ଥର ପାଇଁ ବିଧାୟକ ହୋଇ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ କାମ କରିଥିଲେ । ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ ଅତ୍ୟନ୍ତ ପ୍ରଭାବୀ ଢ଼ଙ୍ଗରେ ସେ ନିଜର ଦାୟିତ୍ୱ ତୁଲାଇଥିଲେ ।
ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଘରେ ମାଆ, ବଡ଼ଭାଇ, ଭାଉ, ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଏବଂ ଦୁଇ ପୁଅ ଅଛନ୍ତି । ତାଙ୍କର ବଡ଼ପୁଅ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସାନପୁଅ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । ଉଭୟ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।
ଆସନ୍ତାକାଲି ଅପରାହ୍ନ ୫ଟାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଜନତା ମଇଦାନରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାରୋହରେ ଉପସ୍ଥିତ ରହିବେ ।