ଭୁବନେଶ୍ୱର: ୟୁଟ୍ୟୁବ୍ ପ୍ଲାଟଫର୍ମରୁ ଉଡ଼ିଯାଇଛି ଲୋକପ୍ରିୟ ଓଡ଼ିଆ ୟୁଟ୍ୟୁବ୍ ଚାନେଲ୍ “ମୁଁ ରୁବେନ୍ କହୁଛି” । ଗତକାଲି ରାତିରୁ ଏହି ଚାନେଲ ଗାଏବ ହୋଇଯାଇଛି । ଏହି ଚାନେଲଟି ଥିଲା ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କର । ବର୍ଷେ ତଳେ ସେ ତାଙ୍କର ଏହି ନିଜସ୍ୱ ଚାନେଲଟି ଆରମ୍ଭ କରିଥିଲେ । ଓଡ଼ିଶା ରାଜନୀତି ଉପରେ ନିୟମିତ ବ୍ୟବଧାନରେ ଗୋଟାଏ ଲେଖାଏଁ ଏପିସୋଡ୍ କରୁଥିଲେ । ତାଙ୍କର ଏପିସୋଡ୍ ଗୁଡ଼ିକ ବହୁତ ଲୋକପ୍ରିୟ ହୋଇଥିଲା । ଦୁଇଦିନ ତଳେ ‘ଓଡ଼ିଶା ରାଜନୀତିର ତିନୋଟି ଅବୁଝା ରହସ୍ୟ’ ଶୀର୍ଷକରେ ତାଙ୍କର ଏପିସୋଡ୍ କୁ ପାଖାପାଖି ୧ ଲକ୍ଷ ଲୋକ ଦେଖି ସାରିଥିଲେ । ତେବେ କେଉଁ କାରଣ ଯୋଗୁଁ ୟୁଟ୍ୟୁବ୍ ପ୍ଲାଟଫର୍ମରୁ ଏହା ଉଭାନ୍ ହୋଇଗଲା ଜଣାପଡ଼ିନାହିଁ ।
ପଶ୍ଚିମବଙ୍ଗରେ ଜନ୍ମିତ ରୁବେନ୍ ବାନାର୍ଜୀ ଓଡ଼ିଶାର ସାମ୍ବାଦିକ ଜଗତରେ ଜଣେ ଚର୍ଚ୍ଚିତ ଚେହେରା । ସେ ବହୁବର୍ଷ ଧରି ପ୍ରତିଷ୍ଠିତ ଇଂରାଜୀ ଖବରକାଗଜରେ ଓଡ଼ିଶାର ପ୍ରତିନିଧି ଭାବେ କାମ କରିଛନ୍ତି । ଆଉଟଲୁକ୍ ପତ୍ରିକାର ଗ୍ରୁପ୍ ଏଡିଟର ଭାବେ ଦିଲ୍ଲୀରେ କାମ କରୁଥିଲା ବେଳେ ଏକ ବିବାଦୀୟ ପରିସ୍ଥିତିରେ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା । ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ଭାବେ ସେ ଏବେ ଦାୟିତ୍ୱ ସମ୍ଭାଳୁଛନ୍ତି । ତେବେ ଓଡ଼ିଶାର ରାଜନୀତି ଉପରେ ତାଙ୍କର ବିଶେଷ ରୁଚି ଥିବା ସେ ସବୁବେଳେ ଦାବି କରନ୍ତି ।
ଓଡ଼ିଶା ରହଣୀ ବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ବେଶ୍ ବନ୍ଧୁତା ଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେ ତାଙ୍କର ଦୃଢ଼ ସମାଲୋଚକ ପାଲଟିଥିଲେ । ୭ ବର୍ଷ ତଳେ ନବୀନଙ୍କ ଉପରେ ସେ ଲେଖିଥିବା ପୁସ୍ତକକୁ ବିଜେଡି ନେତାମାନେ ଅଗ୍ରାହ୍ୟ କରିଥିଲେ । ମୋଟାମୋଟି ଭାବେ ନବୀନ ବାବୁଙ୍କର ଜଣେ କଟୁ ସମାଲୋଚକ ଭାବେ ତାଙ୍କୁ ପରିଗଣିତ କରାଗଲା । ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ନିର୍ଦ୍ଦିଷ୍ଟ ଟିଭି ଚାନେଲରେ ତାଙ୍କୁ ନିୟମିତ ଦେଖିବାକୁ ମିଳିଥିଲା । ରାଜନୈତିକ ଚର୍ଚ୍ଚା ମାଧ୍ୟମରେ ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନଙ୍କୁ କଟୁ ସମାଲୋଚନା କରୁଥିଲେ ।
ଓଡ଼ିଶାରେ ମୋହନ ମାଝୀଙ୍କ ସରକାର ଦାୟିତ୍ୱ ନେବାର କିଛି ମାସ ପରେ ତାଙ୍କର ନିଜସ୍ୱ ୟୁଟ୍ୟୁବ୍ ଚାନେଲ “ମୁଁ ରୁବେନ୍ କହୁଛି” ଆରମ୍ଭ କରିଥିଲେ । ସମୟକ୍ରମେ ମୋହନ ସରକାରଙ୍କ ବିଭିନ୍ନ ତ୍ରୁଟି ବିଚ୍ୟୁତିକୁ ରୁବେନ୍ ସାମନାକୁ ଆଣିଥିଲେ । କିଛି ମାସ ତଳେ ମୁଖ୍ୟମନ୍ତ୍ରୀଙ୍କର ବିଳାସବ୍ୟସନକୁ ନେଇ ତାଙ୍କର ଗୋଟିଏ ସୋ’ ବହୁତ ଭାଇରାଲ୍ ହୋଇଥିଲା । ଖାଲି ସେଇ ଗୋଟିଏ ନୁହେଁ, ସାମ୍ପ୍ରତିକ ଓଡ଼ିଶା ରାଜନୀତି ଓ ସରକାରଙ୍କର ବହୁତ ଅନାଲୋଚିତ ଦିଗ ସେ ସାମନାକୁ ଆଣୁଥିଲେ । ଲାଗ ଲାଗ ତାଙ୍କ ସୋ’ ରେ ମୋହନ ସରକାରଙ୍କ ବିଫଳତାର କାହାଣୀ ଦେଖିବାକୁ ମିଳୁଥିଲା । ‘ଓଡ଼ିଶା ରାଜନୀତିର ତିନୋଟି ଅବୁଝା ରହସ୍ୟ’ ଶୀର୍ଷକ ତାଙ୍କର ଏପିସୋଡ୍ ରେ ସେ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ଉପରେ ଚର୍ଚ୍ଚା କରିଥିଲେ । ଯାହା ତାଙ୍କର ଅନ୍ତିମ ଏପିସୋଡ ହୋଇଯାଇଛି ।