ଭୁବନେଶ୍ୱର: ଯାହା ଆଶଙ୍କା ଥିଲା, ସେୟା ହଉଛି । ବିଜେଡି ସାଂଗଠନିକ ପୁର୍ନବିନ୍ୟାସରେ ବରିଷ୍ଠ ନେତାଙ୍କୁ ଅପମାନିତ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ମୁଖିଆ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ତାଲିକାକୁ ଗ୍ରହଣ କରିବା ପାଇଁ ଅନେକ ରାଜି ନୁହଁନ୍ତି । ପ୍ରଥମ ନେତା ଭାବେ ରାଜ୍ୟସଭା ସାଂସଦ ମୁଜିବୁଲା ଓରଫ୍ ମୁନ୍ନା ଖାଁ ଏହାକୁ ଚାଲେଂଜ କରିଛନ୍ତି । ଦଳର ସଂଖ୍ୟାଲଘୁ ସେଲ୍ ପଦବୀକୁ ସେ ଗ୍ରହଣ କରିନାହାନ୍ତି । ତାଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ହୋଇଥିବା ଉଦ୍ୟମ ସଫଳ ହୋଇନାହିଁ । ଖୋଦ୍ ମୁଖିଆଙ୍କ ଆଗରେ ଅସନ୍ତୋଷ ଝାଡ଼ି ନବୀନ ନିବାସରୁ ଫେର ଆସିିଛନ୍ତି ମୁନ୍ନା ଖାଁ ।
ଗତ ୫ ତାରିଖରେ ବିଜେଡିର ନବ କଳେବର ହୋଇଥିଲା । ୧୦ ଜଣିଆ ରାଜନୈତିକ ବ୍ୟାପାର କମିଟି ସମେତ ୭୧ ଜଣିଆ ଅଫିସ କର୍ମକର୍ତ୍ତା, ୧୦ ଜଣ ବରିଷ୍ଠ ନେତାଙ୍କୁ ଛାମୁଆ ଦାୟିତ୍ୱ ଏବଂ ୫ ନେତାଙ୍କୁ ନେଇ ବିଜେଡି ସଂଖ୍ୟାଲଘୁ ସେଲ୍ ଗଠିତ ହୋଇଥିଲା । ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ ସେଲ୍ ର ରାଜ୍ୟ ଆବାହକ କରାଯାଇଥିବା ବେଳେ ରାଜ୍ୟ ସହ ଆବାହକ କରାଯାଇଛି ରିଜୱାନା ବେଗମଙ୍କୁ । ବରିଷ୍ଠ ନେତା ତଥା ସାଂସଦ ମୁନ୍ନା ଖାଁ ଙ୍କୁ ଦକ୍ଷିଣ ଜୋନ୍ ର ସଂଯୋଜକ ପଦ ଦିଆଯାଇଥିଲା । ଅନ୍ୟତମ ବରିଷ୍ଠ ନେତା ଆୟୁବ ଖାଁଙ୍କୁ ପଶ୍ଚିମ ଜୋନ୍ ସଂଯୋଜକ ଏବଂ ଶେଖ୍ ନିଜାମୁଦ୍ଦିନଙ୍କୁ କେନ୍ଦ୍ରୀୟ ଜୋନ୍ ସଂଯୋଜକ ନିଯୁକ୍ତି କରାଯାଇଛି ।
ଅନ୍ୟ ଦାୟିତ୍ୱରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ ପ୍ରମୁଖଙ୍କୁ ଅପମାନିତ କଲା ଭଳି ସଂଖ୍ୟାଲଘୁ ସେଲ୍ ରେ ମୁନା ଖାଁ ଏବଂ ଆୟୁବ ଖାଁଙ୍କୁ ଲଲିପପ୍ ଦେଇ ଭୀଷଣ ଭାବେ ଅପମାନିତ କରାଯାଇଛି । ଅତି କନିଷ୍ଠ ରିଜୱାନା ବେଗମ୍ ଙ୍କୁ ପଦମର୍ଯ୍ୟାଦାରେ ଏମାନଙ୍କଠାରୁ ଯଥେଷ୍ଟ ଉପରେ ରଖାଯାଇଛି । ରିଜୱାନାଙ୍କ ଅଧୀନରେ ଏମାନଙ୍କୁ ଗୋଟିଏ ଗୋଟିଏ ଜୋନ୍ ଦାୟିତ୍ୱରେ ସୀମିତ ରଖାଯାଇଛି ।
ଉଲ୍ଲେଖଥାଉକି, ୱକଫ୍ ବିଲ୍ କୁ ରାଜ୍ୟସଭାରେ ବିରୋଧ କରି ଚର୍ଚ୍ଚାରେ ଥିଲେ ମୁନ୍ନା ଖାଁ । ଶେଷ ମୁହୂର୍ତ୍ତରେ ବିଜେଡି ଆଭିମୁଖ୍ୟ ବଦଳାଇଥିବା ବେଳେ ମୁନ୍ନା ଖାଁ କିନ୍ତୁ ନବୀନ ପଟ୍ଟନାୟକଙ୍କ ପ୍ରଥମ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ । ଏହାକୁ ନେଇ ବିଜେଡି ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ମୁନ୍ନା ଖାଁ ଦିଲ୍ଲୀରୁ ଫେରିଲା ଦିନ ବିମାନବନ୍ଦରରୁ ସମର୍ଥକମାନଙ୍କ ଗହଣରେ ପ୍ରଥମେ ନବୀନ ନିବାସ ଯାଇଥିଲେ । ସେଠାରେ ନବୀନଙ୍କୁ ଭେଟି ଫେରିଲା ବେଳେ ସମର୍ଥକମାନେ ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଥିଲେ । ନବୀନ ନିବାସରେ ପାଣ୍ଡିଆନଙ୍କ ବିରୋଧରେ ନାରା ଶୁଭିବା ସେଦିନ ପ୍ରଥମ ଘଟଣା ଥିଲା ।
ମୁନ୍ନା ଖାଁକୁ ଏହାର ଫଳ ଭୋଗିବାକୁ ପଡ଼ିଲା ବୋଲି ବିଜେଡି ପୁନର୍ଗଠନ ତାଲିକାରୁ ସ୍ପଷ୍ଟ ହୋଇଥିଲା । ଏହି ପଦକୁ ସେ ପ୍ରଥମରୁ ଅଗ୍ରାହ୍ୟ କରିଥିବା ସୂଚନା ମିଳିଥିଲା । ଅପମାନ ସହିବେ ନାହିଁ ବୋଲି ସେ ସଂକଳ୍ପ ନେଇଥିବା ଚର୍ଚ୍ଚା ହୋଇଥିଲା । ଇତିମଧ୍ୟରେ ଭାରତ-ପାକ୍ ଲଢ଼େଇ ଭିତରେ ଏହି ପ୍ରସଙ୍ଗ ଲୋକଲୋଚନରୁ ଦୂରେଇ ଯାଇଥିଲେ ମଧ୍ୟ ମୁନ୍ନା ଖାଁକୁ ବୁଝାସୁଝା କରି ଶାନ୍ତ କରିବାକୁ ପାଣ୍ଡିଆନ୍-ବବି ଗୋଷ୍ଠୀ ଉଦ୍ୟମ ଜାରି ରଖିଥିଲେ । କାରଣ ମୁନ୍ନା ଖାଁଙ୍କ ପରେ ଅନ୍ୟ ଅସନ୍ତୁଷ୍ଟ ନେତାମାନେ ନବୀନ ନିବାସରେ ଧାଡ଼ି ବାନ୍ଧିବେ ବୋଲି ସେହି ଗୋଷ୍ଠୀ ଭଲ ଭାବେ ଜାଣିଛନ୍ତି ।
ବିଶ୍ୱସ୍ତ ସୂତ୍ରର ସୂଚନା ଅନୁଯାୟୀ, ସଂଖ୍ୟାଲଘୁ ସେଲ୍ ପଦବୀରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଗତକାଲି ପ୍ରଚାର ହେବା ପରେ ବବି ଦାସ ତାଙ୍କୁ ମନାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ତାଙ୍କୁ ନବୀନ ନିବାସକୁ ଡାକି ଶାନ୍ତ କରାଇବା ଯୋଜନା କରାଯାଇଥିଲା । ସେହି ଅନୁଯାୟୀ ଆଜି ସକାଳୁ ନବୀନ ନିବାସରୁ ତାଙ୍କୁ ଫୋନ୍ ଯାଇଥିଲା । ନବୀନ ବାବୁ ନିଜେ ଫୋନ୍ ଧରିଥିଲେ । ତାଙ୍କ ନିଦେ୍ର୍ଦଶରେ ମୁନ୍ନା ଖାଁ ସେଠାକୁ ଯାଇଥିଲେ । ମାତ୍ର ମୁଖିଆଙ୍କଠାରୁ ସେ ଆଉ କିଛି ଶୁଣିବା ଅବସ୍ଥାରେ ନ ଥିଲେ । ତାଙ୍କୁ ଇସ୍ତଫା ପତ୍ର ଧରାଇ ଚାଲିଆସିଥିଲେ ।
ତେବେ ଏ ସମ୍ପର୍କରେ ଗଣମାଧ୍ୟମକୁ ମୁନ୍ନା ଖାଁ କିଛି କହିନାହାନ୍ତି । ନବୀନ ବାବୁ ମୋର ନେତା, ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି ବୋଲି ଦୁଇ ଧାଡ଼ିଆ ପ୍ରତିକ୍ରିୟା ଦେଇଛନ୍ତି ।
Continue Reading