ଭୁୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ କର୍ତ୍ତବ୍ୟରତ ପୁଲିସ ଏଏସଆଇ କାହିଁକି ହତ୍ୟା କଲେ? ବ୍ୟକ୍ତିଗତ ଶତ୍ରୁତା ନା ମାନସିକ ବିକାର ନା ସୁପାରି ଏହି ହତ୍ୟା ପଛର କାରଣ ତାହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆଲୋଚନା ଜାରି ରହିଛି । ତଦନ୍ତ ଫଳାଫଳକୁ ସମସ୍ତଙ୍କର ଅପେକ୍ଷା ରହିଛି । ସେପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଆଜି ତୃତୀୟ ଦିନ ପାଇଁ ଘଟଣାର ଛାନଭିନ୍ ହୋଇଛି । ମାତ୍ର ହତ୍ୟା ଘଟଣା ଉପରୁ କୌଣସି ତଥ୍ୟ ସାମନାକୁ ଆସିନାହିଁ ।
ଆଜି ହତ୍ୟାକାଣ୍ଡ ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚର ଫରେନସିକ୍ ଟିମ୍ ଯାଇ ତନ୍ନ ତନ୍ନ ପରୀକ୍ଷା କରିଥିଲେ । ଅତ୍ୟାଧୁନିକ ଜ୍ଞାନ କୌଶଳସମ୍ପନ୍ନ ଲେଜର୍ ସ୍କାନିଂରେ କ୍ରାଇମ୍ ସ୍ପଟ୍ ର ଫଟୋ ଉଠାଯାଇଥିଲା । ଅନ୍ୟ ଏକ ଟିମ୍ ଅଭିଯୁକ୍ତ ଗୋପାଳ ଦାସର ବ୍ରହ୍ମପୁର ଜଳେଶ୍ୱରପୁରସ୍ଥିତ ପୈତୃକ ଘରକୁ ଯାଇ ପତ୍ନୀ ଏବଂ ପରିବାରବର୍ଗଙ୍କୁ ଦୀର୍ଘ ଦେଢ଼ଘଣ୍ଟା କାଳ ପଚରାଉଚୁରା କରିଥିଲା । ବ୍ରଜରାଜନଗରରେ ହୋଟେଲ କରିଥିବା ଗୋପାଳଙ୍କ ବଡ଼ଭାଇଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଉଠାଇ ନେଇଛନ୍ତି । ହତ୍ୟାକାଣ୍ଡ ଦିନ ତାଙ୍କ ହୋଟେଲ ବନ୍ଦ ଥିବାରୁ ସେ ସନ୍ଦେହକୁ ଆସିଛନ୍ତି । ଅନ୍ୟପକ୍ଷରେ ନବ ଦାସଙ୍କ ଗାଡ଼ି ଚଳାଉଥିବା ସରକାରୀ ଡ୍ରାଇଭର ଏବଂ ତାଙ୍କ ପିଏସଓଙ୍କଠାରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତଥ୍ୟ ସଂଗ୍ରହ କରିଛନ୍ତି ।
ସେପଟେ ମନ୍ତ୍ରୀଙ୍କ ହତ୍ୟା ପଛରେ ଟପ୍ ଲେବଲ୍ ର ଷଡ଼ଯନ୍ତ୍ର ରହିଥିବା ତାଙ୍କର ସମ୍ପର୍କୀୟମାନେ ଅଭିଯୋଗ ଆଣିବା ପରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି । ମାମଲାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ସେମାନେ ଭରସା କରିନାହାନ୍ତି ।
ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟା ଅଭିଯୁକ୍ତ ହେଉଛନ୍ତି ଜଣେ ପୁଲିସ । ତେଣୁ ପୁଲିସ ଏହାର ତଦନ୍ତ କରି ସତ୍ୟ ଉନ୍ମୋଚନ କରିବା ଆଶା କରିବା ବୃଥା । ପୂର୍ବରୁ କ୍ରାଇମବ୍ରାଞ୍ଚ ଯେତେ ସବୁ ତଦନ୍ତ କରିଛି, ତାହାର ଫଳ ଶୂନ । ତେଣୁ ତୁରନ୍ତ ସିବିଆଇକୁ ତଦନ୍ତ ଭାର ଦିଆଯାଉ । ତଦନ୍ତ ବିଳମ୍ବ କଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ । ଘଟଣାକୁ ନେଇ ଏଯାଏ ଡିଜିପି ଏବଂ ଗୃହ ସଚିବ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିଭଳି କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ ଏବଂ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଟପ୍ ଲେବଲ୍ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି । ଏହା ଏକ ମାମୁଲି ହତ୍ୟା ନୁହେଁ । ଏଥିରେ ଗଭୀର ଷଡ଼ଯନ୍ତ୍ର ରହିଛି ବୋଲି ସେମାନେ ଅଭିଯୋଗ ଆଣି ଘଟଣାର ଏସଆଇଟି ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଫାୟାରିଂ ଜାଗାରେ ହିଁ ନବ ଦାସଙ୍କର ମୃତ୍ୟୁ ହୋଇଥିବା ସେ ଶୁଣୁଛନ୍ତି ବୋଲି କହି ସରକାର କାହିଁକି ଏତେ ସମୟ ଲୁଚାଇଲେ ବୋଲି ପ୍ରଶ୍ନ କରିଛନ୍ତି ।
ଜବାବରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଜୟନାରାୟଣ ଜଣେ ହତ୍ୟା ଅଭିଯୁକ୍ତ । ବାଉଳିଚାଉଳି ହୋଇ ଅବନ୍ତର ମନ୍ତବ୍ୟ ଦେଉଛନ୍ତି । ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ବିଜେଡି ଗୁରୁତ୍ୱ ଦିଏ ନାହିଁ ବୋଲି ସେ କହିଛନ୍ତି ।