ନୂଆଦିଲ୍ଲୀ: ଭାରତର ସୁଯୋଗ୍ୟ ସନ୍ତାନ ତଥା ପ୍ରଥମ ଚିଫ୍ ଅଫ୍ ଡିଫେନସ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ୍ ଏବଂ ପତ୍ନୀ ମଧୁଲିକାଙ୍କୁ ଆଜି ଦେଶ ଅଶ୍ରୁଳ ବିଦାୟ ଦେଇଛି । ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍ କ୍ରିମେସନ୍ ଗ୍ରାଉଣ୍ଡରେ ଅପରାହ୍ନ ପ୍ରାୟ ୫ ଟା ବେଳେ ଜେନେରାଲ୍ ରାୱତ୍ ଦମ୍ପତ୍ତିଙ୍କ ଚିତା ଜଳିଥିଲା । ଦୁଇଝିଅ କ୍ରିତିକା ଓ ତାରିନି ମୁଖାଗ୍ନି ଦେଇଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ତିନିବାହିନୀର ମୁଖ୍ୟଙ୍କ ସମେତ ବହୁ ବିଦେଶ ଅତିଥି ମଧ୍ୟ ସେଠାରେ ଅନ୍ତିମ ବିଦାୟ ଦେଇଥିଲେ । ୮୦୦ ସର୍ଭିସ୍ ପର୍ସୋନାଲ୍ ସେଠାରେ ଉପସ୍ଥିତ ଥିଲେ ।
ଗତ ୮ ତାରିଖରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜେନେରାଲ୍ ରାୱତ୍ ଏବଂ ପତ୍ନୀ ମଧୁଲିକାଙ୍କ ମର ଶରୀରକୁ ନୂଆଦିଲ୍ଲୀର ୩, କାମରାଜ ମାର୍ଗସ୍ଥିତ ସରକାରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଗୃହମନ୍ତ୍ରୀ ଅମିତ୍ ଶାହା, ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍ ଡୋଭଲ୍, ରାହୁଲ ଗାନ୍ଧୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ସେଠାକୁ ଆସି ଶେଷ ଦର୍ଶନ କରିଥିଲେ । ଅପରାହ୍ନ ୨ଟାରେ ସେମାନଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ଫୁଲରେ ସୁସଜ୍ଜିତ ଏକ ଗନ୍ କ୍ୟାରେଜ୍ ରେ ଚିର ନିଦ୍ରାରେ ଶୋଇଥିଲେ ଜେନେରାଲ୍ ରାୱତ୍ ଏବଂ ପତ୍ନୀ ମଧୁଲିକା । ରାସ୍ତାର ଦୁଇପାଖରେ ହଜାର ହଜାର ଜନତା ଜେନେରାଲ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତ ମାତା କି ଜୟ, ଜେନେରାଲ୍ ରାୱତ୍ ଅମର ରହେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା ।
ଅପରାହ୍ନରେ ପ୍ରାୟ ୪ ଟାରେ ସ୍କୋୟାର୍ କ୍ରିମେସନ୍ ରେ ଶବ ପହଞ୍ଚିବା ପରେ ଶେଷବିଧି ଆରମ୍ଭ ହୋଇଥିଲା । ଉଭୟ ପତି ଓ ପତ୍ନୀଙ୍କୁ ଗୋଟିଏ ଜୁଇରେ ରଖାଯାଇ ପାଖାପାଖି ୫ଟା ବେଳକୁ ଦୁଇ ଝିଅ ମୁଖାଗ୍ନି ଦେଇଥିଲେ । ସାମରିକ ବାହିନୀ ପକ୍ଷରୁ ୧୭ ତୋପ ସଲାମୀ ଦିଆଯାଇଥିଲା । ଏହାପରେ ଚିତା ଜଳି ଉଠିଥିଲା । ପଞ୍ଚଭୂତରେ ବିଲୀନ ହୋଇଗଲେ ଏହି ମହାନ୍ ବ୍ୟକ୍ତିତ୍ୱ ।