ଭୁବନେଶ୍ୱର: ଶୀତ ଅଧିବେସନକୁ ଧୋଇ ଦେଲା ମମତା ମେହେର ଝଡ଼ । ଆଉ ଚାଲିପାରିଲାନି ବିଧାନସଭା । ୧୭ ଟି କାର୍ଯ୍ୟଦିବସ ବାକି ଥାଇ ୨୦ ଦିନ ପୂର୍ବରୁ ଆଜି ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ବିଧାନସଭାକୁ ବନ୍ଦ କରିଦେବା ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ବିଧାୟକମାନେ ବିରୋଧ କରିଛନ୍ତି । ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକମାନେଧାରଣା ଦେଇଛନ୍ତି ।
କ୍ରମାଗତ ୯ ଦିନ ପାଇଁ ଆଜି ମଧ୍ୟ ବିଧାନସଭା ଚାଲିପାରି ନ ଥିଲା । ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳ ଗୃହରେ ହୋ ହଲ୍ଲା ଏବଂ ଘଣ୍ଟାମାଡ଼ କରିଥିଲେ । ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରି ପୁଣି ଥରେ ସର୍ବଦଳୀୟ ବୈଠକ ଡାକିଥିଲେ । ମାତ୍ର ପୂର୍ବଭଳି ଆଜି ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରି ନ ଥିଲା କି ଗୃହ ଚାଲିପାରି ନ ଥିଲା । ଅପରାହ୍ନ ଅଧିବେସନରେ ବି ସମାନ ସ୍ଥିତି ଲାଗି ରହିଲା । ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା ମଧ୍ୟରେ ୧୯, ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ କୁ ବାଚସ୍ପତି ଗୃହରେ ପାରିତ କରାଇଥିଲେ ।
ଗୃହରେ ଆଉ କୌଣସି କାର୍ଯ୍ୟକ୍ରମ ନ ଥିବା ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଅଧିବେସନକୁ ବନ୍ଦ କରିବା ପାଇଁ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏକ ପ୍ରସ୍ତାବ ଆଗତ କରିଥିଲେ । ଶାସକ ଦଳର ସଭ୍ୟମାନେ ଏହାକୁ ସମର୍ଥନ କରିଥିଲେ । ବାଚସ୍ପତି ପ୍ରସ୍ତାବକୁ ଗ୍ରହଣ କରି ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ । ତେବେ ଏହି ନିଷ୍ପତ୍ତିକୁ ବିରୋଧୀ ସଦସ୍ୟମାନେ ବିରୋଧ କରି କକ୍ଷତ୍ୟାଗ କରିଥିଲେ ।
ହାତଗଣତିକୁ ଚଳିତ ଶୀତ ଅଧିବେସନ ୯ ଦିନ ହୋଇଥିଲେ ମଧ୍ୟ ଦୁଇ ଘଣ୍ଟା ମଧ୍ୟ ଚାଲିପାରିନାହିଁ । ପ୍ରଥମ ଦିନରୁ ବିଜେପି ଓ କଂଗ୍ରେସ ସଭ୍ୟମାନେ ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ହଙ୍ଗାମା ଜାରି ରଖିଥିଲେ । ଗୃହରେ ଘଣ୍ଟାମାଡ଼, ଗଙ୍ଗା ଜଳ ଓ ଗୋବର ପାଣି ଛିଞ୍ଚନ କରିଥିଲେ । ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ଦଳ ତେଲ ଓ ଗ୍ୟାସ ଦର ବୃଦ୍ଧିକୁ ପ୍ରସଙ୍ଗ କରି ବିଧାନସଭା ବାହାରେ ପ୍ରତିବାଦ ଚଳାଇଥିଲା । ଗୃହରେ ସ୍ୱାଭାବିକ ଅବସ୍ଥା ଆଣିବାକୁ ବାଚସ୍ପତି ନିଜେ ହାତ ଟେକି ଦେଇ ବାରମ୍ବାର ସର୍ବଦଳୀୟ ବୈଠକ ଡାକିଥିଲେ । ମାତ୍ର ତାହା ବିଫଳ ହୋଇଥିଲା ।
ବିରୋଧୀ ହୋ ହଲ୍ଲା ଓ ନାରାବାଜି ମଧ୍ୟରେ ଏହି ଅଧିବେସନରେ ଏକମାତ୍ର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ଆଗତ ଏବଂ ପାରିତ ହୋଇଥିଲା । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତାର ମାନ୍ୟତା ଦାବି ନେଇ ଏକ ସଂକଳ୍ପ ପାରିତ ହୋଇଥିଲା ।