ଭୁବନେଶ୍ୱର: ଗତକାଲି ପୁଲିସକୁ ବଳ ଦେଖାଇଥିଲା ବିଜେପି ଯୁବ ବାହିନୀ । ଆଜି କଂଗ୍ରେସର ଛାତ୍ର ବାହିନୀ ଆଉ ଟିକେ ଅଧିକ ବଳ ଦେଖାଇବାକୁ ଚାହିଁଲା । ବିଧାନସଭା ଘେରାଉ କରିବାକୁ ଆସି ପୁଲିସ ଉପରକୁ ଅଣ୍ଡା ଓ ଟମାଟ ମାଡ଼ କଲା । ପୁଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କଲା । ସେମାନଙ୍କୁ ଅଟକାଇବାକୁ ଯାଇ ପୁଲିସ ବି ହିଂସ୍ର ହୋଇଗଲା । ଆନ୍ଦୋଳନକାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲା । ଏପରିକି କଂଗ୍ରେସ ଭବନକୁ ବି ପଶି ନିର୍ଘାତ୍ ମାଡ଼ କଲା । ଏଥିରେ ଉଭୟ ପକ୍ଷର ୨୦ ରୁ ଅଧିକ ଆହତ ହୋଇଛନ୍ତି ।
ମମିତା ମେହେର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରୁଥିବା କଂଗ୍ରେସ ଆଜି ବିଧାନସଭା ଆଗ ଲୋୟର ପିଏମଜିରେ ପ୍ରତିବାଦ ସଭା ଆୟୋଜନ କରିଥିଲା । ସେଠାରେ ଦଳୀୟ ନେତାଙ୍କ ଗରମ ଭାଷଣ ଚାଲିଥିବା ବେଳେ ଛାତ୍ର କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ ପାଇଁ ବାଇକ୍ ରାଲିରେ ଆସିଥିଲେ । ସେମାନେ ପୁଲିସ କର୍ଡନ ଡ଼େଇଁ ବିଧାନସଭା ଆଡ଼କୁ ମାଡ଼ି ଯିବାକୁ ଉଦ୍ୟମ କଲା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ।
ଏତିକିବେଳେ ଆନ୍ଦୋଳନକାରୀଙ୍କ ପଟୁ ପୁଲିସ ଉପରକୁ ଅଣ୍ଡା ଓ ଟମାଟ ମାଡ଼ ହୋଇଥିଲା । ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା । ସେହି ସମୟରେ କିଛି କର୍ମୀ ଏକ ପୁଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ଆଉ ଅବସ୍ଥା ଅଣାୟତ୍ତ ହେଉଥିବା ଦେଖି ପୁଲିସ ଆରମ୍ଭ କରିଦେଇଥିଲା ଲାଠିଚାର୍ଜ । ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଗୋଡ଼େଇ ଗୋଡ଼େଇ ପିଟିଥିଲା ପୁଲିସ । କିଛି କର୍ମୀ କଂଗ୍ରେସ ଭବନରେ ପଶିଯାଇଥିଲେ ମଧ୍ୟ ପୁଲିସ ଅମାନିଆଙ୍କୁ ଛାଡ଼ି ନ ଥିଲା । କଂଗ୍ରେସ ଭବନରୁ ଘୋଷାରି ଆଣି ପିଟିଥିଲା । ପୁଲିସ ମାଡ଼ରେ ଅନେକ ଛାତ୍ରକର୍ମୀଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଥିବା ଅଭିଯୋଗ ହୋଇଛି ।
ଦଳର ମୁଖପାତ୍ର ଗଣେଶ୍ୱର ବେହେରା ଏହାକୁ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କହି ତୀବ୍ର ନିନ୍ଦା କରିଛନ୍ତି । କଂଗ୍ରେସ ଭବନରେ ଜଣେ ବି ଆନ୍ଦୋଳନକାରୀ ନ ଥିଲେ ବୋଲି ସେ କହିଛନ୍ତି । ପୁଲିସ କମିଶନର ଏଥିପାଇଁ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିବା ସହ ଆଗକୁ ଆନେ୍ଦାଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନାଥାଉକି, ଗତକାଲି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଢ଼େଲା ଓ ପଥର ମାଡ଼ରେ ୧୫ ଜଣ ପୁଲିସ ଏବଂ ୪ ଜଣ ସାମ୍ବାଦିକ ଆହତ ହୋଇଥିଲେ । ପୁଲିସ ମାଡ଼ରେ ୫ରୁ ଅଧିକ ଯୁବମୋର୍ଚ୍ଚା କର୍ମୀ ମଧ୍ୟ ଆହତ ହୋଇଥିଲେ । ଆଜି ଅନୁରୂପ ଘଟଣାରେ ମଧ୍ୟ ଉଭୟ ପକ୍ଷର ମଧ୍ୟ ଅନେକ ଆହତ ହୋଇଛନ୍ତି । ପୁଲିସକୁ ଆକ୍ରମଣ କରିଥିବା ଛାତ୍ର କଂଗ୍ରେସ କର୍ମୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି ।
ସେପଟେ କଂଗ୍ରେସର ହିଂସାତ୍ମକ ଆନ୍ଦୋଳନକୁ ବିଜେଡ଼ି କଡ଼ା ନିନ୍ଦା କରିଛି । ଗୁଣ୍ଡାଗର୍ଦ୍ଦିରେ ବିଜେପି ସହ କଂଗ୍ରେସ ପ୍ରତିଯୋଗିତାରେ ମାତିଥିବା କୁହାଯାଇଛି । ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଗତକାଲି ବିଜେପି ଯୁବମୋର୍ଚ୍ଚା ପୁଲିସକୁ ଆକ୍ରମଣ କରି ଲହୁ ଲୁହାଣ କରିଥିବା ବେଳେ ଆଜି କଂଗ୍ରେସ ସେମାନଙ୍କ ସହ ପ୍ରତିଯୋଗିତା କରିବାକୁ ଯାଇ ପଚା ଅଣ୍ଡା ଓ ଟମାଟୋ ଫିଙ୍ଗିଛନ୍ତି । ଏପରିକି ପୁଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ପୁଲିସ ସେମାନଙ୍କୁ ପ୍ରତିରୋଧ କରି ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦେଇଛି । ସଦାବେଳେ ହିଂସା ଓ ବିଶୃଙ୍ଖଳିତ ଆଚରଣ ଲାଗି ବଦନାମ କଂଗ୍ରେସ ଏଭଳି ହିଂସା ଓ ଗୁଣ୍ଡାଗର୍ଦ୍ଦିରୁ ବିରତ ନ ରହିଲେ ଶାନ୍ତିପ୍ରିୟ ଓଡ଼ିଶାବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଥିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।