ଭୁବନେଶ୍ୱର: ମମିତା ମେହେରଙ୍କ ପାଇଁ ନ୍ୟାୟ ମାଗି ଆନ୍ଦୋଳନ କରୁଥିବା ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଆଜି ରାଜଧାନୀ ରାସ୍ତାରେ ତାଣ୍ଡବ କରିଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କୁ ଢ଼େଲା ପଥର ମାରି ରକ୍ତାକ୍ତ କରି ଦେଇଛନ୍ତି । ଏଥିରେ କନେଷ୍ଟବଳଙ୍କଠାରୁ ଏସିପି ପର୍ଯ୍ୟନ୍ତ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । କାହାର ମୁଣ୍ଡ ଫାଟିଛି ତ କାହାର ହାତ ଭାଙ୍ଗିଛି । ଢ଼େଲାମାଡ଼ରେ ୮ଟି ଗାଡ଼ି ମଧ୍ୟ ଭାଙ୍ଗିଛି । ଆକ୍ରମଣରୁ ସାମ୍ବାଦିକ ବି ବର୍ତ୍ତି ନାହାନ୍ତି । ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ପୁଲିସ ଲାଠିରେ କିଛି ଯୁବମୋର୍ଚ୍ଚା କର୍ମୀ ଆହତ ହୋଇଛନ୍ତି ।
ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିଲା । ସେହି ଅନୁଯାୟୀ ଦିନ ୧୨ଟା ବେଳକୁ ରାମମନ୍ଦିର ପାଖ ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲା ରାଲି । ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏହାର ନେତୃତ୍ୱ ନେଇଥିଲେ । ରାଲିରେ ଦଳୀୟ ବିଧାୟକ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ମଧ୍ୟ ସାମିଲ ହୋଇଥିଲେ ।
ବିଧାନସଭା ଅଭିମୁଖେ ଯାଉଥିବା ରାଲି ଦିନ ପ୍ରାୟ ୧ଟା ବେଳକୁ ଲୋୟର ପିଏମଜିରେ ପହଞ୍ଚିଥିଲା । ସେଠାରେ ଥିବା କର୍ଡନଠାରେ ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ମାତ୍ର ପୁଲିସ ସହ ସେମାନେ ଯୁକ୍ତିତର୍କ ଓ ଠେଲାପେଲା କରିଥିଲେ । କିଛି କର୍ମୀ ପ୍ରଥମ କର୍ଡନ ଭାଙ୍ଗି ଦ୍ୱିତୀୟ କର୍ଡନ ଆଡକୁ ମାଡ଼ି ଧାରଣାରେ ବସିବାକୁ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କ ବୁଝାସୁଝା କରି ଅଟକାଇବାକୁ ଚେଷ୍ଟା କରୁଥିଲା ବେଳେ ଆରମ୍ଭ ହୋଇଯାଇଥିଲା ଦୋଅକ୍ଷରୀ ଗାଳି, ଢ଼େଲା ଓ ପଥର ମାଡ଼ ।
ଆଗରୁ ପ୍ରସ୍ତୁତ ହୋଇ ଯାଇଥିବା ଯୁବମୋର୍ଚ୍ଚା କର୍ମୀମାନେ ପୁଲିସ ଉପରକୁ ଆଖିବୁଜା ଢ଼େଲା, ପଥର ମାରିଥିଲେ । ଏଥିରେ ଜଣେ ଏସସିପି, ୩ ଜଣ ଆଇଆଇସିଙ୍କ ସମେତ ୧୫ ଜଣ ପୁଲିସ ଆହତ ହୋଇଥିଲେ । ଖୋଦ୍ ଡିସିପି ଉମାଶଙ୍କର ଦାଶଙ୍କ ଉପରକୁ ମଧ୍ୟ ଢ଼େଲା ଆସିଥିଲା । ସୌଭାଗ୍ୟକୁ ଏହା ତାଙ୍କ ଦେହରେ ନ ବାଜି ପାଖରେ ଛିଡ଼ା ହୋଇଥିବା ଜଣେ ସାମ୍ବାଦିକଙ୍କ ନାକରେ ବାଜିଥିଲା । ତାଙ୍କୁ ମିଶାଇ ୪ ଜଣ ସାମ୍ବାଦିକ ଯୁବମୋର୍ଚ୍ଚା କର୍ମୀଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ।
ଖାଲି ସେତିକି ନୁହେଁ, ଆନ୍ଦୋଳନକାରୀମାନେ ସେଠାରେ ଥିବା ପୁଲିସ ଭ୍ୟାନ୍ ଗୁଡ଼ିକୁ ଭାଙ୍ଗରୁଜି ଦେଇଥିଲେ । ପୁଲିସ ଏବଂ ସାଧାରଣ ଲୋକଙ୍କର ସମୁଦାୟ ୮ ଟି ଗାଡ଼ି ଭାଙ୍ଗିରୁଜି ଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
ଆନ୍ଦୋଳନକାରୀଙ୍କ ଏଭଳି ତାଣ୍ଡବ ବେଳେ ଘଟଣାସ୍ଥଳରେ ୧୮ ପ୍ଲାଟୁନ୍ ପୁଲିସ ଫୋର୍ସ ଥିଲେ । ବିନା ସଂଘର୍ଷରେ ପରିସ୍ଥିତି ସମ୍ଭାଳି ନେବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲେ । ମାତ୍ର ଅବସ୍ଥା ଅଣାୟତ୍ତ ହେବାରୁ ପୁଲିସ ଆଉ ଫୁରସତ୍ ଦେଇ ନ ଥିଲା । ଆନ୍ଦୋଳନକାରୀଙ୍କୁ ମାଷ୍ଟରକ୍ୟାଣ୍ଟିନ୍ ଯାଏଁ ଗୋଡ଼େଇ ଗୋଡ଼େଇ ପିଟିଥିଲା । ଏଥିରେ କିଛି କର୍ମୀ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । କମିଶନର ଶ୍ରୀ ପ୍ରିୟଦର୍ଶୀ ଏବଂ ଡିସିପି ଶ୍ରୀ ଦାଶ କ୍ୟାପିଟାଲ୍ ହସ୍ପିଟାଲ୍ ଆସି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ପୁଲିସ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି ।
ବିଜେପିର ଅସଲ ଚେହେରା ଓଡ଼ିଶା ଦେଖିଲା:ବିଜେଡ଼ି
ଆଜିର ଏହି ଘଟଣାରେ ଓଡ଼ିଶାବାସୀ ବିଜେପିର ଅସଲ ଚେହେରା ଦେଖିବାକୁ ପାଇଲେ ବୋଲି ବିଜେଡ଼ି ପକ୍ଷରୁ ବରିଷ୍ଠ ବିଧାୟକ ପ୍ରତାପ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାଜରାସ୍ତାରେ ହିଂସାକୁ ଆପଣାଇ ବିଜେପି ଯୁବମୋର୍ଚ୍ଚାର ଅସଲ ଚରିତ୍ର ଓ ଚେହେରା ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି ।
କେବଳ ସେତିକି ନୁହେଁ, ଆଜି ଶୋଭାଯାତ୍ରାରେ ବିଜେପି କର୍ମୀମାନେ ଧରିଥିବା ପ୍ଲାକାର୍ଡରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଭଳି ଚିତ୍ରଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ । ମମିତାଙ୍କ ବାପା ମା’ ତାଙ୍କ ଝିଅର ଚରିତ୍ର ସଂହାର ନ କରିବାକୁ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ । ମାତ୍ର ଏହାକୁ ବେଖାତିର କରି ବିଜେପି ନେତାମାନେ ତାଙ୍କର ଫଟୋକୁ ଅଶୋଭନୀୟ ଭାବେ ଚିତ୍ରଣ କରିଛନ୍ତି । ଏହା ସେମାନଙ୍କ ସମ୍ବେଦନହୀନତା ଓ ହୀନ ରାଜନୈତିକ ମନୋଭାବକୁ ପଦାରେ ପକାଇଛି ।
ବିକ୍ଷୋଭର ନେତୃତ୍ୱ ନେଉଥିବା ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଇତିହାସ ଖୋଳିଛନ୍ତି ଶ୍ରୀ ଦେବ । ସେ କହିଛନ୍ତି, ଇରାଶିଷ ଜଣେ ଗୁଣ୍ଡା ପ୍ରକୃତିର ଏବଂ ଅପରାଧପ୍ରବଣ ବ୍ୟକ୍ତି ବୋଲି ଆମେ ଆଗରୁ ବି କହିଥିଲୁ । ତାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି । ପୂର୍ବରୁ ବରଗଡ଼ ଓ ପୁରୀରେ ଗୁଣ୍ଡାଗର୍ଦ୍ଦି କରିଥିଲେ । ଆଜି ରାଜଧାନୀ ରାଜରାସ୍ତାରେ ଓଡ଼ିଶା ତାଙ୍କର ତାଣ୍ଡବ ଦେଖିଲା । ଶାନ୍ତିପ୍ରିୟ ଓଡ଼ିଶାବାସୀ ଆଗାମୀ ଦିନରେ ଏହାର ଜବାବ ଦେବେ ବୋଲି ସେ କହିଛନ୍ତି ।
ସେପଟେ ବିଜେପିର ଅଭିଯୋଗ ହେଉଛି, ଯୁବମୋର୍ଚ୍ଚା କର୍ମୀମାନେ ଆନ୍ଦୋଳନ କରୁଥିବା ବେଳେ ପୁଲିସ ସେମାନଙ୍କ ଉପରେ ବଳପ୍ରୟୋଗ କରିଥିଲା । ଏଥିରେ ବହୁ କର୍ମୀ ଆହତ ହୋଇଛନ୍ତି । ଏହାର ଜବାବ ଦିଆଯିବ ବୋଲି ବିଜେପି ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଦଳର ସଭାପତି ସମୀର ମହାନ୍ତି ଆଜି ସଂଧ୍ୟାରେ କ୍ୟାପିଟାଲ୍ ହସ୍ପିଟାଲ୍ ଆସି ଆହତ ଯୁବକର୍ମୀଙ୍କୁ ଭେଟିଥିଲେ ।
ରାଜନୀତି ପାଇଁ ଲୋକ କଲବଲ: ଗୋଟିଏ ପଟେ ବିଜେପି ଯୁବମୋର୍ଚ୍ଚାର ରାଲି ଏବଂ ସେପଟେ ତେଲ ଓ ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ବିଜେଡ଼ିର ରାଲି ଯୋଗୁଁ ଆଜି ରାଜଧାନୀବାସୀଙ୍କୁ ପ୍ରବଳ କଲବଲ ହେବାକୁ ପଡ଼ିଥିଲା । ରାଜମହଲ, ଏଜି ଛକଠାରୁ ରାମମନ୍ଦିର ଛକ ରାସ୍ତା ସାଧାରଣ ଲୋକଙ୍କ ପାଇଁ ବହୁ ସମୟ ଧରି ବନ୍ଦ ହୋଇଯାଇଥିବା ବେଳେ ଆଚାର୍ଯ୍ୟବିହାର, ଜୟଦେବ ବିହାର ଯାଏଁ ରାସ୍ତାଘାଟ ଓ ଗଳିକନ୍ଦି ବସ୍ ଓ ଅନ୍ୟାନ୍ୟ ଚାରିଚକିଆ ଯାନରେ ଖୁନ୍ଦି ହୋଇଯାଇଥିଲା । ୧୦ ମିନିଟ୍ ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ୧ ଘଣ୍ଟା ଲାଗିଯାଉଥିଲା । ନେତାଙ୍କ ରାଜନୀତି ପାଇଁ ସାଧାରଣ ଜନତାଙ୍କ ଏହି କଲବଲ ଦୃଶ୍ୟ ଆଜି ଘରେ ଘରେ ଆଲୋଚନା ହେଉଛି ।