ମମିତାଙ୍କୁ ନ୍ୟାୟ ଦେବା ପାଇଁ ମୋ ସରକାର ଅଙ୍ଗୀକାରବଦ୍ଧ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମମିତା ମେହେର ହତ୍ୟାର ନିରପେକ୍ଷ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳ ବିଧାନସଭାକୁ ଲଗାତର ୩ ଦିନ ପାଇଁ ଅଚଳ କରିଦେଇଛନ୍ତି । ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ଜାରି ରଖିଛନ୍ତି । ଆଜି ତୃତୀୟ ଦିନରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ କମ୍ପମାନ କରିଥିଲେ । ତେବେ ବିରୋଧୀ ଦଳର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମିତା ମେହେର ପ୍ରସଙ୍ଗରେ ଆଜି ସେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ।
ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖି ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ସରକାର ଅଙ୍ଗୀକାରବଦ୍ଧ ବୋଲି କହିବା ସହ ଏହି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି ନ କରିବା ପାଇଁ ବିରୋଧୀ ଦଳକୁ ନିବେଦନ କରିଛନ୍ତି । ପୁଲିସ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ରଖିବାକୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମମିତା ମେହେରଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ଘଟଣା । ଏହି ଜଘନ୍ୟ ଅପରାଧ ଆମ ସମସ୍ତଙ୍କୁ କଷ୍ଟ ଓ ବ୍ୟଥିତ କରିଛି । ଉଜ୍ଜଳ ଭବିଷ୍ୟତ ଥିବା ଜଣେ ବ୍ରିଲିଆଣ୍ଟ ଯୁବତୀଙ୍କ ଏଭଳି ଭୟଙ୍କର ମୃତ୍ୟୁ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ମୃତ ମମିତାଙ୍କ ପରିବାର ପାଇଁ ମୋର ଗଭୀର ସମବେଦନା ରହିଛି । ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ଏବଂ ଏଥିରେ ସାଲିସର ପ୍ରଶ୍ନ ନାହିଁ ।
ତେବେ ଏହି ଜଘନ୍ୟ ଏବଂ ସ୍ପର୍ଶକାତର ଅପରାଧକୁ ନେଇ ଯେଭଳି ରାଜନୀତି କରାଯାଉଛି ଏହା ମୋତେ ଏବଂ ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଛି । ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ କିଛି କରିବା ପୂର୍ବରୁ ଆମେ ପୀଡ଼ିତାଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣାକୁ ଭୁଲିଯିବା ଉଚିତ୍ ନୁହେଁ । ମାତ୍ର ବିରୋଧୀ ଦଳ ଘଟଣାକୁ ଏଭଳି ରଙ୍ଗ ଦେଉଛନ୍ତି ଯାହାର ପରିଣାମସ୍ୱରୂପ ପୀଡ଼ିତାଙ୍କ ବାପାମାଆ ତାଙ୍କ ଝିଅର ଚରିତ୍ର ସଂହାର ନ କରିବା ପାଇଁ ସମସ୍ତଙ୍କୁ ହାତଯୋଡି ନେହୁରା ହେଲେ । ଏହାସତ୍ତ୍ୱେ ବିରୋଧୀ ଦଳ ସେମାନଙ୍କ ରାଜନୀତି ଜାରି ରଖିବା ଦୁର୍ଭାଗ୍ୟଜନକ ।
ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସମସ୍ତଙ୍କୁ ବିଶେଷକରି ମହିଳା ଏବଂ ସମାଜର ଦୁର୍ବଳ ଶ୍ରେଣୀଙ୍କୁ ନ୍ୟାୟ ଦେବାକୁ ମୁଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ । ନିର୍ଦ୍ଦିଷ୍ଟ ଭାବେ ମମିତା ମାମଲାର ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ପାଇଁ ଆମେ ପଦକ୍ଷେପ ନେବୁ ।
ମମିତା ମାମଲାରେ ତଦନ୍ତର ସ୍ୱଚ୍ଛତା ପାଇଁ ଜଣେ ସିଟିଂ ଜଜ୍ ଅଥବା ଅବସରପ୍ରାପ୍ତ ଜଜ୍ ଙ୍କୁ ତଦାରଖ ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ଏବଂ ଓଡ଼ିଶା ହାଇକୋର୍ଟ ତାହାକୁ ଗ୍ରହଣ କରିଛନ୍ତି । ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟପାଳିକା ଉପରେ ସମସ୍ତଙ୍କର ଦୃଢ଼ ବିଶ୍ୱାସ ଅତୁଟ ରହିବା ଉଚିତ ।
ଯେ କୌଣସି ଅପରାଧିକ ମାମଲାରେ ପୁଲିସ ତଦନ୍ତର ନିରପେକ୍ଷତା ଉପରେ ସନ୍ଦେହ ରହିବା ଉଚିତ୍ ନୁହେଁ । ପୁଲିସ ନିଜ କାର୍ଯ୍ୟ ନିଷ୍ଠାର ସହ କରିବା ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ତେଣିକି ସେ ଯେତେ କ୍ଷମତାଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି । ଯେଉଁଠି ବ୍ୟତିକ୍ରମ ଦେଖାଦେଇଛି, ସେହି ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଅତୀତରେ ଅନେକ ମହିଳା ବିରୋଧୀ ଅପରାଧିକ ମାମଲାର ସିବିଆଇ କିମ୍ବା ନ୍ୟାୟିକ ତଦନ୍ତ ହୋଇଛି । ମାତ୍ର ଓଡ଼ିଶା ପୁଲିସର ପ୍ରଫେସନାଲିଜିମ୍ ବା କାର୍ଯ୍ୟତରିକା ଉପରେ ପ୍ରଶ୍ନ ଉଠିନି । ମମିତା ମାମଲାର ତଦନ୍ତ ଏବେ ନ୍ୟାୟିକ ତଦାରଖରେ ଚାଲୁଥିବାରୁ ଯଦି କାହା ବିରୋଧରେ କାହା ପାଖରେ କିଛି ପ୍ରମାଣ ଅଛି ତେବେ ତୁରନ୍ତ କୋର୍ଟଙ୍କ ନଜରକୁ ଆଣନ୍ତୁ ।’
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧୀ ଦଳ ବିଧାନସଭାରେ ପୂରାଇ ନ ଦେବାର ଧମକ ଉପରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ବି ରଖିଛନ୍ତି । ବିଧାନସଭାର ଜଣେ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହି ବିନା ଭୟ କିମ୍ବା ଚାପରେ କାର୍ଯ୍ୟ କରିବାର କ୍ଷମତା ଓ ଦାୟିତ୍ୱ ସମ୍ବିଧାନ ଦେଇଛି । ମାତ୍ର ଦୁଃଖର କଥା ବିଧାନସଭା ସଦସ୍ୟଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିବାକୁ ଉଦ୍ୟମ କରାଯାଉଛି । ଭବିଷ୍ୟତ ପାଇଁ ଏହା ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଓଡ଼ିଶାବାସୀଙ୍କ କଲ୍ୟାଣ ନିମନ୍ତେ ବିଧାନସଭା କାର୍ଯ୍ୟ ସୁରୁଖୁରୁରେ ଚଲାଇବା ପାଇଁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ସହଯୋଗ ଲୋଡ଼ିଥିବା ବେଳେ ମମିତା ମେହେରକୁ ନ୍ୟାୟ ଦେବା ପାଇଁ ତାଙ୍କ ସରକାର ଅଙ୍ଗୀକାରବଦ୍ଧ ବୋଲି ଦୋହରାଇଥିଲେ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେପି ପ୍ରତ୍ୟାଖାନ କରିଛି । ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଛନ୍ତି । ଆମେ ଲୋକଙ୍କ ପାଇଁ ନ୍ୟାୟ ମାଗୁଛୁ । ରାଜନୀତି ନୁହେଁ । ସୁତରାଂ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ଆମେ ମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବି କରୁଛୁ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହକୁ ମିଥ୍ୟା ତଥ୍ୟ ଦେଇଛନ୍ତି । ମମିତାଙ୍କ ଚରିତ୍ର ସଂହାର ବିରୋଧୀ ନୁହଁନ୍ତି, ରାଜ୍ୟ ସରକାର କରିଛନ୍ତି । ଚକ୍ରାନ୍ତକାରୀଙ୍କୁ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଥିବା ତାଙ୍କ ବକ୍ତବ୍ୟରୁ ବୁଝାପଡୁଛି । କଂଗ୍ରେସ ତାର ପ୍ରତିବାଦକୁ ଆହୁରି ତୀବ୍ର କରିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି ।