ଭୁବନେଶ୍ୱର: ବିଜେଡିର ଛାମୁଆ ସଂଗଠନଗୁଡ଼ିକୁ ଆଜି ଭାଙ୍ଗି ଦିଆଯାଇଛି । ସାଂଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି ପଦକ୍ଷେପ ନେଇଛନ୍ତି । ଭଙ୍ଗା ଯାଇଥିବା ଛାମୁଆ ସଂଗଠନଗୁଡ଼ିକ ହେଲା- ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମ୍ମୁଖ୍ୟ, ଲିଗାଲ୍ ସେଲ୍ ଓ ଅପ୍ରବାସୀ ସେଲ୍ ।
ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସବୁ ବର୍ଷ ନିର୍ଦ୍ଧାରିତ ସମୟରେ ଆମ ନିର୍ବାଚନ ହୁଏ । ୧୦ରୁ ୧୨ ସପ୍ତାହ ମଧ୍ୟରେ ପ୍ରକ୍ରିୟା ଶେଷ ହେବ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନାଁ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିବେ । ଚଳିତ ମାସ ଶେଷ କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏହା ଘୋଷଣା ହେବ । ତା’ ପରେ କ୍ଷେତ୍ରୀୟ ଅଧିକାରୀଙ୍କ ନାଁ ଘୋଷଣା ହେବ ।