ଭୁବନେଶ୍ୱର: ଆମେରିକା ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମସମର୍ପଣ କରିଯାଇଛନ୍ତି ବୋଲି କଂଗ୍ରେସର ଅଭିଯୋଗ ପରିପ୍ରେକ୍ଷୀରେ ନେହେରୁ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ୍ ଆହୁରି ଶାଣିତ ହୋଇଛି । ଆଉ ଏଥିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ବି ଯୋଡ଼ି ଦିଆଯାଇଛି । ୧୯୬୨ ମସିଆ ଚୀନ ବିରୋଧୀ ଯୁଦ୍ଧକୁ ନେହରୁ ଆମେରିକା ଟଙ୍କାରେ ଲଢ଼ିଥିଲେ ଯେଉଁଥିରେ ବିଜୁବାବୁ ସଂଯୋଗକାରୀ ଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି । ନେହେରୁ ଓ ବିଜୁବାବୁ ଆମେରିକାର ଦଲାଲ ଥିଲେ ବୋଲି ସେ କହିବାକୁ ଚାହିଁଛନ୍ତି । ଦୁବେଙ୍କ ଏହି ମନ୍ତବ୍ୟ ସାରା ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି । ବିଜେଡି ଏଥିରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ଦୁବେଙ୍କର ମାନସିକ ଚିକିତ୍ସା ପାଇଁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିବା ବେଳେ ଓଡ଼ିଶାବାସୀଙ୍କୁ ସେ କ୍ଷମା ମାଗନ୍ତୁ ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି ।
ଝାଡ଼ଖଣ୍ଡର ଗୋଦା ଆସନରୁ ବିଜେପି ଟିକେଟରେ ସାଂସଦକୁ ନିର୍ବାଚିତ ହୋଇଥିବା ନିଶିକାନ୍ତ ଦୁବେ ଜଣେ ବିବାଦୀୟ ବ୍ୟକ୍ତି । ତାଙ୍କ ନାଁରେ ଠକେଇ ଓ ଜାଲିଆତି ମାମଲା ରହିଛି । ବିରାଟ ପଣ୍ଡିତ ବୋଲି ସେ ନିଜକୁ ବୋଲାନ୍ତି । ସେଥିପାଇଁ ବିଭିନ୍ନ ପ୍ରସଙ୍ଗରେ ଟୀକା ଟିପ୍ପଣୀ ଦିଅନ୍ତି ଓ ଟ୍ୱିଟ୍ କରନ୍ତି । ଯେଉଁଥିରେ ଅଧାରୁ ଅଧିକ ମିଛ ଓ ଅଯୌକ୍ତିକର ଥାଏ । ସେଥିପାଇଁ ଅତୀତରେ ସୁପ୍ରିମ୍ କୋର୍ଟରୁ ବି ଭର୍ତ୍ସନା ପାଇଛନ୍ତି । ଓଡ଼ିଆରେ ଏଭଳି ଚରିତ୍ରଙ୍କୁ ଡ଼ହରା କୁହାଯାଏ । ନବୀନଙ୍କ ଭାଷାରେ ଏହା ଦୁବେଙ୍କର ମୁଣ୍ଡ ଦୋଷ ବୋଲି କୁହାଯାଇପାରେ ।
ଆମେରିକା ପାଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମସମର୍ପଣ କରିଯାଇଛନ୍ତି ବୋଲି କଂଗ୍ରେସର ଅଭିଯୋଗ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରାଇବାକୁ ନିଶିକାନ୍ତ ଦୁବେ ଏଭଳି ଉଦ୍ୟମ କରିଥିବା କୁହାଯାଉଛି । ନେହରୁ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରିବାକୁ ଯାଇ ସେ ବିଜୁ ପଟ୍ଟନାୟକଙ୍କୁ ଯୋଡିଛନ୍ତି ।
ଦୁବେ କହିଛନ୍ତି- ଜବାହରଲାଲ ନେହରୁ ୧୯୬୨ ଚୀନ ବିରୋଧୀ ଯୁଦ୍ଧ ଆମେରିକା ଟଙ୍କାରେ ଲଢ଼ିଥିଲେ । ଆମେରିକାର ଗୁଇନ୍ଦା ସଂସ୍ଥା(ସିଆଇଏ)କୁ ଚୀନ୍ ବିରୋଧରେ ଲଗାଯାଇଥିଲା । ଆମେରିକା-ସିଆଇଏ ଓ ନେହରୁଙ୍କ ମଧ୍ୟରେ ସଂଯୋଗକାରୀ ଥିଲେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ବିଜୁ ବାବୁ ଆମେରିକାର ଏଜେଣ୍ଟ ଭାବେ କାମ କରୁଥିଲେ । ନେହରୁ ଆମେରିକାର ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ତୁମେ ତୁମ କାମ କର, ଡିଫେନ୍ସ କଥା ବୁଝିବାକୁ ବିଜୁ ପଟ୍ଟନାୟକ ଯାଉଛନ୍ତି ବୋଲି ମଧ୍ୟ ଜଣାଇଥିଲେ । ଓଡ଼ିଶାର ଚାରବାଟିଆ ବିମାନ ବନ୍ଦରରେ ୧୯୬୩ରୁ ୧୯୬୫ ପର୍ଯ୍ୟନ୍ତ ଆମେରିକୀୟ ସେନା ରହିଥିଲେ ବୋଲି ନିଶିକାନ୍ତ ଦୁବେ କହିଛନ୍ତି ।
ଦୁବେଙ୍କର ଏହି ତଥ୍ୟ ଓ ମନ୍ତବ୍ୟ ବିଜୁ ବାବୁଙ୍କର ସ୍ୱାଭିମାନ, ଓଡ଼ିଶାର ସମ୍ମାନ ସର୍ବୋପରି ଭାରତର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଅବଦାନ ଉପରେ ପ୍ରଶ୍ନ ଉଠାଇଛି । ଗତ ୨୭ ତାରିଖରେ ଦୁବେ ଏହି ଟ୍ୱିଟ୍ କରିବା ପରେ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ପ୍ରଥମେ ପ୍ରତିକ୍ରିୟାଶୀଳ ହୋଇଥିଲେ । ନିଶିକାନ୍ତ ଦୁବେ ଅଧ୍ୟକ୍ଷ ଥିବା ସଂସଦର ସ୍ଥାୟୀ କମିଟିରୁ ୨୮ ତାରିଖରେ ଇସ୍ତଫା ଦେଇଥିଲେ । ୨୯ ତାରିଖରେ ଅର୍ଥାତ ଗତକାଲି ସଂଧ୍ୟାରେ ଏହା ପଦାକୁ ଆସିଲା । ତା’ ପରେ ଆରମ୍ଭ ହୋଇଥିଲା ପ୍ରତିବାଦ । ୨୭ ତାରିଖରୁ ବିଜେଡି ଏହାର କାହିଁକି ପ୍ରତିବାଦ କଲାନି ତାହା ବୁଝାପଡ଼ିନାହିଁ ।
ଯାହା ବି ହେଉ, କାଲିଠାରୁ ବିଜେଡି ଜୋରଦାର ପ୍ରତିବାଦ କରୁଛି । ବିଜୁ ବାବୁଙ୍କୁ ଛୋଟ କରି ଦେଖାଇବା ପାଇଁ ଦୁବେଙ୍କ ଉଦ୍ୟମକୁ କଡ଼ା ଭର୍ତ୍ସନା କରାଯାଇଛି । ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଆଜି ଶାଣିତ ଢ଼ଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ସାଂସଦ ଦୁବେ ମାନସିକ ଭାବେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ମାନସିକ ଚିକିତ୍ସା ଦରକାର ବୋଲି ସେ କହିଛନ୍ତି । ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରମିଳା ମଲ୍ଲିକ ଦୁବେଙ୍କର ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଥିଲା ବେଳେ ଓଡ଼ିଶାର ଗର୍ବ ଓ ଗୌରବକୁ କ୍ଷୂର୍ଣ୍ଣ କରିବା ଉଦ୍ୟମରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି ।
ବିଜୁବାବୁଙ୍କୁ ଅପମାନ ପରିପ୍ରେକ୍ଷୀରେ ବିଜୁ ପ୍ରେମୀମାନଙ୍କର ହାବଭାବକୁ ଏବେ ଓଡ଼ିଶାବାସୀ ଲକ୍ଷ୍ୟ ରଖିଛନ୍ତି । ନଗଦ ରାଜ୍ୟସଭା ନିର୍ବାଚନରେ ବିଜୁ ଲିଗାସୀ ର ପ୍ରବକ୍ତା ସାଜିଥିବା ପ୍ରମୁଖ ନେତାମାନଙ୍କର ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳୁନାହିଁ । ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଆଜି ତାଙ୍କ ଟୁଇଟର ହାଣ୍ଡଲରେ ବିଜୁ ବାବୁଙ୍କର ଗୁଣଗାନ କରିଥିଲେ ମଧ୍ୟ ବିଜୁ ବାବୁଙ୍କୁ ଅପମାନିତ କରିଥିବା ସାଂସଦ ନିଶିକାନ୍ତ ଦୁବେଙ୍କୁ ନିନ୍ଦା କି ସମାଲୋଚନା କରିନାହାନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସସ୍ତ୍ରୀକ ଭେଟି ସୋସିଆଲ୍ ମିଡିଆରେ ଫଟୋ ଛାଡ଼ିଛନ୍ତି । ଅଥଚ ଦୁବେଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଉଚିତ୍ ମନେ କରିନାହାନ୍ତି । ଦିଲ୍ଲୀପ ରାୟଙ୍କ ପୋଷ୍ଟ ଲୋକଦେଖାଣିଆ ବୋଲି ବିଜେଡି କଟାକ୍ଷ କରିଛି ।
ଆଉ ଜଣେ ଓଡ଼ିଆ ସାଂସଦ ତଥା ରାଷ୍ଟ୍ରୀୟ ବିଜେପିର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟ୍ କରିଛନ୍ତି । ବିଜୁ ଅଙ୍କଲଙ୍କ ମହାନ୍ ବ୍ୟକ୍ତିଙ୍କୁ ସେ ମନେ ପକାଇଥିଲେ ମଧ୍ୟ ତାଙ୍କୁ ବେଜ୍ଜିତ କରିଥିବା ନିଶିକାନ୍ତ ଦୁବେଙ୍କ ନାଁ ନେଇନାହାନ୍ତି ।
ସୂଚନାଥାଉକି, ବିଜୁବାବୁଙ୍କ ଦେଶପ୍ରେମ ଅତୁଳନୀୟ । ସେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ଭାରତୀୟ ଥିଲେ । ଭାରତବର୍ଷର ବୈଦେଶିକ ନୀତି ଓ ଭାରତର ଅଖଣ୍ଡତା ରକ୍ଷା କ୍ଷେତ୍ରରେ ଅସମ୍ଭବ ବୀରତ୍ୱ ପ୍ରଦର୍ଶନ କରିଥିଲେ ମଧ୍ୟ ପଦପଦବୀ ପାଇଁ ଲାଳାୟିତ ନ ଥିଲେ । ସ୍ୱାଧୀନତା ଆନ୍ଦୋଳନ ବେଳେ ତାଙ୍କର ସାହସିକତା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଗୁପ୍ତ ଭାବରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରୁଥିଲେ । କାଶ୍ମୀର ଉପରେ ପାକିସ୍ଥାନର ଆକ୍ରମଣ ବେଳେ ଜୀବନକୁ ପାଣି ଛଡ଼ାଇ ଭାରତୀୟ ସେନାକୁ ଶ୍ରୀନଗରରେ ପହଞ୍ଚାଇବା କାର୍ଯ୍ୟ ବିଜୁବାବୁ ହିଁ କରିଥିଲେ ।
ଭାରତର ବୈଦେଶିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନେହରୁଙ୍କ ଆଗ୍ରହରେ ସେ କାମ କରିଥିଲେ । ନିଜ ଜୀବନକୁ ପାଣି ଛଡ଼ାଇ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହିତ ନିଜର ଡାକୋଟା ବିମାନ ଉଡ଼ାଇ ଇଣ୍ଡୋନେସିଆର ଜାକର୍ତ୍ତାରେ ପହଞ୍ଚିଥିଲେ ଏବଂ ସେଠାକାର ଜାତୀୟ ନେତୃବୃନ୍ଦଙ୍କୁ ଉଦ୍ଧାର କରି ଭାରତ ନେଇ ଆସିଥିଲେ । ଯେଉଁଥିପାଇଁ ତାଙ୍କୁ ଇଣ୍ଡୋନେସିଆର ଭୂମିପୂତ୍ର ଭାବେ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତ ପାଇଁ ବନ୍ଧୁରାଷ୍ଟ୍ର ରୁଷିଆକୁ ସହାୟତା କରିଥିବାରୁ ସୋଭିଏତ ସରକାର ତାଙ୍କୁ ଏକାଧିକ ସମ୍ମାନରେ ସମ୍ମାନିତ କରିଥିଲେ ।
ବିଜୁବାବୁ ଭାରତର ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ନ ଥିଲେ । ମାତ୍ର ତାଙ୍କ ମରଶରୀର ଉପରେ ୩ଟି ଦେଶର ଜାତୀୟ ପତାକା ପଡ଼ିଥିଲା । ଭାରତ, ରୁଷିଆ ଓ ଇଣ୍ଡୋନେସିଆ ସରକାର ତାଙ୍କ ଅନ୍ତେଷ୍ଟିକ୍ରିୟାରେ ସାମିଲ ହୋଇ ରାଷ୍ଟ୍ର ସମ୍ମାନ ଅର୍ପଣ କରିଥିଲେ ।
ନେହେରୁଙ୍କୁ ସମାଲେଚନା କରିବାକୁ ଯାଇ ବିଜେପି ସାଂସଦ ବିଜୁବାବୁଙ୍କୁ ଆମେରିକାର ଦଲାଲ କହି କାଠଗଡ଼ାରେ ଛିଡ଼ା କରାଇବାକୁ ସାହାସ କରିଛନ୍ତି । ଏହା ପାଗଳର ପ୍ରଳାପ କହିଲେ ଭୁଲ୍ ହେବ ନାହିଁ ।
Continue Reading







