ଭୁବନେଶ୍ୱର: ରେଭେନସା ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ବିତର୍କରେ ନିଆଁ ଲାଗିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଏକ ଟୁଇଟ୍(ଏକ୍ସ) ରାଜନୈତିକ ପାଣିପାଗକୁ ସରଗରମ କରିଛି । ଓଡିଆ ଅସ୍ମିତାର ଦ୍ୱାହି ଦେଇ ଇତିହାସକୁ ବିକୃତ କରିବାର ଅପଚେଷ୍ଟାକୁ ସେ ନିନ୍ଦା କରିଛନ୍ତି । ବ୍ୟାସକବି ଫକୀର ମୋହନ ଏବଂ ମୟୁରଭଞ୍ଜ ରାଜ ପରିବାରର ନାଁ ନେଇ ଓଡ଼ିଆ ଜାତିକୁ ସେମାନଙ୍କ ଅବଦାନର ସ୍ମରଣ କରିଛନ୍ତି । ମହାପୁରୁଷମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞ ରହିବା ବଦଳରେ ସେମାନଙ୍କୁ ଅସମ୍ମାନ ଜଣାଇ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କ’ଣ ଓଡ଼ିଆ ଅସ୍ମିତା କି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।
ନବୀନ ଲେଖିଛନ୍ତି-
ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ । ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉକ୍ରର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି ।
ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି । ଓଡ଼ିଶାର ସାମଗ୍ରିକ ବିକାଶରେ ମୟୁରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି । ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ ।
ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି । ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?
କଥାରେ କୋଣାର୍କ ହୁଏ ନାହିଁ । ଗୋଟିଏ ଅନୁଷ୍ଠାନଟିଏ ଗଢ଼ିବା ସହଜ ନୁହେଁ । ଦରକାର ଅନେକ ତ୍ୟାଗ ଓ ତପସ୍ୟା ।
ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି । ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ ।
ସୂଚନାଥାଉକି, ରେଭେନସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ବିତର୍କର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତାବ ଅଧିକାଂଶଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ରେଭେନସା ହେରିଟେଜ୍ ଫୋରମ୍ ଓ କ୍ରିୟାନୁଷ୍ଠାନ କମିଟି ସମେତ ରାଜ୍ୟର ଅଧିକାଂଶ ବୁଦ୍ଧିଜୀବୀ ଏବଂ ରେଭେନସା ପୁରାତନ ଛାତ୍ର ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ସପକ୍ଷ ଓ ବିପକ୍ଷବାଦୀମାନେ ଇତିହାସର ଖୋଳତାଡ଼ ଜାରି ରଖିଛନ୍ତି । କଟକ ସାଂସଦ ଭର୍ତ୍ତୃହରି ମହତାବ ରେଭେନସା ନାମ ପରିବର୍ତ୍ତନ ସପକ୍ଷରେ ମତ ଦେବାକୁ ଯାଇ ରେଭେନସା ସାହେବଙ୍କୁ ଖଳନାୟକ ଦର୍ଶାଇବା ସହ ଓଡ଼ିଶାର ନିର୍ଦ୍ଦିଷ୍ଟ ମହାପୁରୁଷଙ୍କ ଆଡ଼କୁ ମଧ୍ୟ ଅଙ୍ଗୁଳି ଉଠାଇ ଇତିହାସର ଅବତାରଣା କରିଛନ୍ତି ।
ଭର୍ତ୍ତୃହରିଙ୍କର ସମ୍ପାଦକୀୟ ଲେଖାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭର୍ତ୍ତୃହରିଙ୍କ ସମ୍ପାଦକୀୟରୁ ବିଜେଡି ଚାଟୁକାରିତାର ବାତ୍ସ୍ନା ବାରିଥିବା ବେଳେ କଂଗ୍ରେସ ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତ କରିଛି । ରେଭେନସା ହେରିଟେଜ୍ ଫୋରମ୍ ଓ କ୍ରିୟାନୁଷ୍ଠାନ କମିଟି ତାଙ୍କୁ ପ୍ରବଳ ବିରୋଧ କରିଛି । ଭର୍ତ୍ତୃହରି ତାଙ୍କ ମତ ବଦଳାନ୍ତୁ ବୋଲି ରେଭେନସା ହେରିଟେଜ୍ ର ନେତୃତ୍ୱ ନେଉଥିବା ସୌମ୍ୟ ରଂଜନ ପଟ୍ଟନାୟକ ଦାବି କରିଛନ୍ତି ।
ଆଉ ଏହି ସମୟରେ ନବୀନ ପଟ୍ଟନାୟକଙ୍କ ଟୁଇଟ୍ ନିଆଁରେ ଘିଅ ଢ଼ାଳି ଦେଇଛି ।