ଭୁବନେଶ୍ୱର: ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ଛତିଶା ନିଯୋଗ ବୈଠକରେ କୁଆଡ଼େ ନିଷ୍ପତ୍ତି ହୋଇଥିଲା । ଆଜି ସକାଳେ ଗଣମାଧ୍ୟମକୁ ଏହି ନିଷ୍ପତ୍ତି ଜଣାଇଥିଲେ ଏଏସଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ । ଏହାକୁ ସବୁ ଗଣମାଧ୍ୟମ ବଡ଼ ଖବର କରି ଦିନ ତମାମ ପ୍ରସାର କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୋସିଆଲ୍ ମିଡିଆରେ ଏହି ଖବରକୁ ସେୟାର୍ କରି ଖୁସିବ୍ୟକ୍ତ କରିଥିଲେ । ମାତ୍ର ଏହି ଖବରଟି ଯେ ମିଛ ତାହା ସଂଧ୍ୟା ବେଳକୁ ଜଣାପଡ଼ିଛି । ଖୋଦ୍ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଭଳି କୌଣସି ନିଷ୍ପତ୍ତି ହୋଇ ନ ଥିବା ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏହି ଖବର ଦେଇଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି । ଏ ସମ୍ପର୍କରେ ଛତିଶା ନିଯୋଗ ବୈଠକରେ କିଛି ନିଷ୍ପତ୍ତି ହୋଇନି । ଜଣେ ଏଏସଆଇ ଅଧିକାରୀ ଏ ସମ୍ପର୍କରେ ଭ୍ରାନ୍ତ ଖବର ଦେଇଛନ୍ତି । ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କେବେ ଖୋଲାଯିବ, କ’ଣ ହେବ, ସରକାର ସେ ନେଇ ନିଷ୍ପତ୍ତି ନେବେ ।
ସୂଚନାଥାଉକି, ଆସନ୍ତା ଜୁଲାଇ ୮ ତାରିଖରେ କୋର୍ କମିଟି, ଟେକ୍ନିକାଲ୍ କମିଟି ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଆଜି ଦ୍ୱିପ୍ରହରେ ଗଣମାଧ୍ୟମକୁ ବାଇଟ୍ ଦେଇଥିଲେ ଏଏସଆଇ ଅଧୀକ୍ଷକ ଶ୍ରୀ ଗଡ଼ନାୟକ । ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସେ ଜଣାଇଥିଲେ । ଏହି ପ୍ରସଙ୍ଗକୁ ଅଧିକ ବ୍ୟାଖ୍ୟା କରି ସେ କହିଥିଲେ ଯେ ରତ୍ନଭଣ୍ଡାର ବାହାର ପାଶ୍ୱର୍ କାନ୍ଥ ଲେଜର ସ୍କାନିଂ କରାଯାଇଛି । ୨୦୧୮ ମସିହାରେ ଆସିଥିବା ରିପୋର୍ଟରେ ରତ୍ନଭଣ୍ଡାରର କିଛି ସ୍ଥାନରେ କ୍ରାକ୍ ତଥା ଭଙ୍ଗାରୁଜା ରହିଥିବା ଜଣାପଡ଼ିଥିଲା । ଲେଜର୍ ସ୍କାନିଂ ରିପୋର୍ଟରେ ବି ଏହା ସ୍ପଷ୍ଟ ହୋଇଛି । ଉକ୍ତ କ୍ରାକ୍ ଦେଇ ପାଣି ଭିତରକୁ ଯାଉଥିବ । ତେଣୁ ଆବଶ୍ୟକତା ଅନୁଯାୟୀ ତୁରନ୍ତ ଏହାର ମରାମତି କରାଯିବ ବୋଲି ସେ କହିଥିଲେ ।