ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଫଲାଇନ୍ କ୍ଲାସ୍ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ମର୍ମରେ ଚିଠି ଲେଖାଯାଇଛି । ୧୯ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ହଷ୍ଟେଲ୍ ଖାଲି କରିବାକୁ କୁହାଯାଇଛି ।
ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ୧୯ ତାରିଖରୁ ଅଫଲାଇନ୍ କ୍ଲାସ୍ କିମ୍ବା ପରୀକ୍ଷା ହେବ ନାହିଁ ।୧୯ ତାରିଖରୁ ହେବାକୁ ଥିବା ଥିଓରୀ ଏବଂ ପ୍ରାକ୍ଟିକାଲ୍ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୁଳପତି/ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇ ସଂଶୋଧିତ କାର୍ଯ୍ୟସୂଚୀ ଜଣାଇ ଦିଆଯିବ । ଅନଲାଇନ୍ ରେ ଛାତ୍ରଛାତ୍ରୀଙ୍କ କ୍ଲାସ୍ ହୋଇ ସିଲାବସ୍ ଠିକ୍ ସମୟରେ ସାରିବାକୁ କୁହାଯାଇଛି ।
ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ଚାଲିବ । ସେମାନଙ୍କ ମଧ୍ୟରେ ରୋଷ୍ଟର୍ ଡୁ୍ୟଟି ହେବ । ଅଫିସ୍ କାର୍ଯ୍ୟ ବାଧା ନ ହେଲା ଭଳି ରୋଷ୍ଟର୍ ଡୁ୍ୟଟି ବାଣ୍ଟିବାକୁ ଅନୁଷ୍ଠାନର ମୁଖ୍ୟମାନଙ୍କୁ କୁହାଯାଇଛି । ଡ୍ୟୁଟି ସମୟ ଅନୁଯାୟୀ ଶିକ୍ଷକମାନେ ଅନୁଷ୍ଠାନ କିମ୍ବା ଘରୁ ଅନଲାଇନ୍ କ୍ଲାସ୍ କରିବେ । ଶିକ୍ଷକ କିମ୍ବା କର୍ମଚାରୀମାନେ ହେଡକ୍ୱାଟର୍ ଛାଡ଼ିପାରିବେ ନାହିଁ ।
ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଏବଂ ସଚିବ ଶାଶ୍ୱତ ମିଶ୍ର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ପରିପ୍ରେକ୍ଷୀରେ ୧୯ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ଲାସ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା ।
ଅନଲାଇନ୍ କ୍ଲାସ୍ ଭଳି ଅନଲାଇନ୍ ପରୀକ୍ଷା କରିବାକୁ ବିଚାର ବିମର୍ଷ ଚାଲିଥିବା ଜଣାପଡ଼ିଛି । ତେବେ ବିଭାଗ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
୧୯ରୁ କ୍ରୀଡ଼ା ଛାତ୍ରାବାସ ବନ୍ଦ: ୧୯ ତାରିଖରୁ ରାଜ୍ୟର ସମସ୍ତ କ୍ରୀଡ଼ା ଛାତ୍ରାବାସ ବନ୍ଦ ରଖିବାକୁ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତେବାସୀମାନେ ହଷ୍ଟେଲ୍ ଖାଲି କରି ଘରକୁ ଯିବାକୁ କୁହାଯାଇଛି ।